ଛତ୍ରପୁର, ୨୨।୯(ଦିଲ୍ଲୀପ ସାମଲ): ସମ୍ଭାବ୍ୟ ଗଭୀର ଅବପାତ ଓ ପ୍ରବଳ ବର୍ଷା ଜନିତ ବିପର୍ଯ୍ୟୟର ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଜିଲାର ବିଭିନ୍ନ ସଂବେଦନଶୀଳ ଅଞ୍ଚଳରୁ ୨୧୬ ଜଣ ଲୋକଙ୍କୁ ସୁରକ୍ଷିତ ଭାବେ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ସ୍ଥାନାନ୍ତରିତଙ୍କ ମଧ୍ୟରେ ୧୩୧ ଜଣ ମହିଳା ଓ ୮୫ ଜଣ ପୁରୁଷ ରହିଛନ୍ତି।
ଏହା ସହିତ ପ୍ରଶାସନ ପକ୍ଷରୁ ଜିଲ୍ଲାରେ ୯୪୩ ଜଣ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନିରନ୍ତର ନଜର ରଖାଯାଇଛି। ଆବଶ୍ୟକତା ପଡ଼ିଲେ ସେମାନଙ୍କୁ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଓ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି।
ପରିସ୍ଥିତିର ଗୁରୁତ୍ୱକୁ ଅନୁଧ୍ୟାନ କରି ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ ଗତକାଲି ରାତିରେ ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟ ପରିଦର୍ଶନ କରି ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ଓ ଜରୁରୀକାଳୀନ କାର୍ଯ୍ୟକଳାପର ପ୍ରତ୍ୟକ୍ଷ ତଦାରଖ କରିଛନ୍ତି। ଏହି ପରିଦର୍ଶନ ସମୟରେ ଅତିରିକ୍ତ ଜିଲ୍ଲାପାଳ ଦେବଦତ୍ତ ପଣ୍ଡା, ଜିଲା ଜରୁରୀକାଳୀନ ଅଧିକାରୀ ସୁନୀଲ ସାଇ ଦେବାଶିଷଙ୍କ ସମେତ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ଜିଲାରେ ବର୍ଷା ଓ ପାଣିପାଗ ସ୍ଥିତି ଉପରେ ୨୪ ଘଣ୍ଟିଆ ନଜର ରଖାଯିବା ସହ ଜରୁରୀ ସେବା ଯୋଗାଇବା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।