ବାଲ୍ୟ ବିବାହ ରୋକିବାକୁ ପ୍ରଶାସନର ତତ୍ପରତା, ଜନଜାତିଙ୍କୁ କଲା ସଚେତନ

ମହାକାଳପଡ଼ା, ୨୭/୧୧ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳ ଅଞ୍ଚଳରେ, ବିଶେଷକରି ଜନଜାତି ଓ ବଙ୍ଗୀୟ ବସତି ଅଞ୍ଚଳରେ ବାଲ୍ୟ ବିବାହ ବୃଦ୍ଧି ପାଉଥିବା ଅଭିଯୋଗ ହୋଇଛି। ଏହା ଏକ ସାମାଜିକ ବ୍ୟାଧି ହୋଇଥିବାରୁ ଏହାକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।

ବ୍ଲକର ବିଭିନ୍ନ ଅଞ୍ଚଳରେ, ବିଶେଷକରି ଜନଜାତି ଓ ବଙ୍ଗୀୟ ବସତି ଅଞ୍ଚଳରେ ଗୋପନରେ ବାଲ୍ୟ ବିବାହ ଚାଲିଥିବା ଅଭିଯୋଗ ରହିଛି। ଏହି ଅଞ୍ଚଳର ଗରିବ ଖଟିଖିଆ ପରିବାରର ନାବାଳିକାମାନଙ୍କୁ ରାଜ୍ୟ ବାହାରେ କୋଲକାତା, ବିହାର ଓ ଉତ୍ତରପ୍ରଦେଶର ଝାନ୍ସୀ ଆଦି ସ୍ଥାନରେ ବୟସ୍କ ବ୍ୟକ୍ତିଙ୍କ ସହ ବିବାହ କରାଯାଉଥିବା ଅଭିଯୋଗ ହୋଇଛି। ଏଥିରେ ଦଲାଲମାନଙ୍କ ଭୂମିକା ରହିଥିବା ମଧ୍ୟ କୁହାଯାଉଛି।

ସେହିପରି ଏହି ଅଞ୍ଚଳରେ ରାତି ଅଧିଆ ବିଭିନ୍ନ ଦେବାଳୟରେ ଅତି ସତର୍କତାର ସହ ଗୋପନରେ ବିବାହ କରାଯାଉଥିବା ଅଭିଯୋଗ ରହିଛି। ଏ ସମ୍ପର୍କରେ ଖବର ପାଇ ବିଗତ କିଛି ବର୍ଷ ମଧ୍ୟରେ ପ୍ରଶାସନ ପକ୍ଷରୁ ୩୦ରୁ ଅଧିକ ବାଲ୍ୟ ବିବାହକୁ ରୋକାଯାଇଥିବା ଜଣାପଡ଼ିଛି।

ଏହି ପରିପ୍ରେକ୍ଷୀରେ ଶୁକ୍ରବାର ବ୍ଲକ ଅଧୀନ ପେଟଛେଲା ପଞ୍ଚାୟତର ଜନଜାତି ବହୁଳ ଶବରପଡ଼ା ଗ୍ରାମ ମୁଣ୍ଡରେ ଥିବା ବରଗଛ ଚାନ୍ଦିନୀଠାରେ ପ୍ରଶାସନ ପକ୍ଷରୁ ଏକ ବାଲ୍ୟ ବିବାହ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି।

ଏହି ସଭାରେ ସରପଞ୍ଚ ପ୍ରସନ୍ନ କୁମାର ବେହେରା, ନିର୍ବାହୀ ଅଧିକାରୀ ହୃଷିକେଶ ସେଠୀ, ୱାର୍ଡ ସଭ୍ୟ ମଧୁ ବାସ୍କେ, ରମେଶ ଭକ୍ତା, ଗ୍ରାମର ମୁରବୀ ଅନନ୍ତ ମଲ୍ଲିକ, ଅଙ୍ଗନୱାଡ଼ି କର୍ମୀଙ୍କ ସମେତ ବହୁ ସଂଖ୍ୟାରେ ମହିଳା ଉପସ୍ଥିତ ଥିଲେ। ସଭାରେ ବାଲ୍ୟ ବିବାହର କୁପରିଣାମ ଓ ଏହାକୁ ରୋକିବା ପାଇଁ ଆଇନଗତ ବ୍ୟବସ୍ଥା ସମ୍ପର୍କରେ ସଚେତନ କରାଯାଇଥିଲା।

ସେହିପରି ବତୀଘରଠାରେ ମଧ୍ୟ ବାଲ୍ୟ ବିବାହ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ସରପଞ୍ଚ ଶିବାନୀ ବିଜୁଳିଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି ବାଲ୍ୟ ବିବାହ ରୋକିବା ଦିଗରେ ସଚେତନତା ସୃଷ୍ଟି କରିଥିଲେ।

Dharitri – Odisha’s No.1 Odia Daily

Share