ବିସ୍ଥାପନ ପାଇଁ ଦ୍ୱିତୀୟ ଦିନରେ କୁମିଆପାଲିରେ ପହଞ୍ଚିଲା ପ୍ରଶାସନ: ତାତିଲେ ଆଦିବାସୀ, ଧନୁତୀର ଧରି…

ବଲାଙ୍ଗୀର,୨୨ା୭(ସୁନିଲ କୁମାର ମହାନ୍ତି): ବୁଧବାର ଦ୍ୱିତୀୟ ଦିନରେ ଲୋୟର ସୁକତେଲ ଡ୍ୟାମ ପ୍ରଭାବିତ କୁମିଆପାଲି ଗାଁରେ ବିସ୍ଥାପନ ପ୍ରକ୍ରିୟା ଆରମ୍ଭ କରିବାକୁ ଜିଲା ପ୍ରଶାସନର ଟିମ୍‌ ପହଞ୍ଚିଥିଲା। ମାତ୍ର ଆଜି ବି ଗ୍ରାମବାସୀ ମିଳିତ ଭାବେ ଗାଁର ରାମଜୀ ମଣ୍ଡପରେ ଧାରଣା ଦେଇଛନ୍ତି। ଆଜି ଆଦିବାସୀମାନେ ଧନୁତୀର, ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ମଣ୍ଡପରେ ବସି ରହିଛନ୍ତି। ପ୍ରକୃତ ସର୍ଭେ, ଉଚିତ କ୍ଷତିପୂରଣ ଓ ଥଇଥାନ ନ କରି ପ୍ରଶାସନ କିଭଳି ଭାବେ ଗ୍ରାମବାସୀଙ୍କୁ ବିସ୍ଥାପିତ କରିବାକୁ ଆସିଛ ବୋଲି ପ୍ରଶ୍ନ କରିଛନ୍ତି। ବୁଧବାର ଅତିରିକ୍ତ ଜିଲାପାଳ (ଏଡିଏମ) ପବିତ୍ର ବେହେରା କୁମିଆପାଲି ଗାଁକୁ ଯାଇ ଲୋକଙ୍କ ସହ ଆଲୋଚନା କରିଥିଲେ। ତେବେ ଲୋକ ମାନେ ସେମାନଙ୍କ ଦାବି ପୂରଣ ଉପରେ ଗୁରୁତ୍ବ ଦେଇଥିଲେ। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ସେମାନେ ଗାଁ ଛାଡ଼ିବେ ନାହିଁ ବୋଲି କହିଥିଲେ। ଏଭଳିକି ଏଡିଏମ୍‌ଙ୍କ ସମ୍ମୁଖରେ ଗ୍ରାମବାସୀ ସେମାନଙ୍କ ରାଶନକାର୍ଡ, ଭୋଟର କାର୍ଡ, ଆଧାର କାର୍ଡକୁ ରଖି ଦେଇ ପ୍ରତିବାଦ ଜଣାଇଥିଲେ।
ଲୋୟର ସୁକତେଲ ପ୍ରକଳ୍ପ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁରେନ୍ଦ୍ର ଭୋଇ ଓ ଅନ୍ୟ ଅଧିକାରୀମାନେ ମଧ୍ୟ ଗାଁରେ ଉପସ୍ଥିତ ଅଛନ୍ତି। ଆନ୍ଦୋଳନକାରୀମାନେ ଖବର ଲେଖାହେବା ସୁଦ୍ଧା ଆନ୍ଦୋଳନ ଜାରି ରଖିଛନ୍ତି।

Dharitri – Odisha’s No.1 Odia Daily