ଖୋର୍ଦ୍ଧା,୩୦ା୭(ପ୍ରଭାତ ପାଣିଗ୍ରାହୀ): ଆସନ୍ନ ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ଖୋର୍ଦ୍ଧା ଜିଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି ଜିଲାପାଳ ଅମ୍ରିତ ଋତୁରାଜ ସୂଚନା ଦେଇଛନ୍ତି।
ଏ ଦିଗରେ ସଜାଗ ସଚେତନ ରହିବାକୁ ସମସ୍ତ ବିଡିଓ, ତହସିଲଦାର, ପୌରପରିଷଦକୁ ପରାମର୍ଶ ଦିଆଯାଇଛି। ଏନେଇ ସମସ୍ତ ବିଭାଗକୁ ସମନ୍ବୟ ବୈଠକ କରାଯାଇ ତାଗିଦ କରାଯାଇଛି। ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଛି। ସମ୍ଭାବ୍ୟ ବନ୍ୟାଞ୍ଚଳ ଉପରେ ଦୃଷ୍ଟି ଦିଆଯାଇଛି। ଖାଦ୍ୟ,ସ୍ବାସ୍ଥ୍ୟ, ବିଶୁଦ୍ଧ ପାନୀୟଜଳ ଯୋଗାଣ, ଭ୍ରାମ୍ୟମାଣ ମେଡିକାଲ ଟିମ୍ ସଜାଗ ରହିଛି। ଏଥିସହିତ ବନ୍ୟା ପରିସ୍ଥିତି ସୃଷ୍ଟି ହେଲେ ତ୍ୱରିତ ସ୍ଥାନାନ୍ତର, ଚଳାଚଳ ପାଇଁ ଡଙ୍ଗା ପ୍ରସ୍ତୁତ ରହିଛି। କୌଣସି ସୂଚନା ଆଦାନପ୍ରଦାନ ପାଇଁ ଜିଲାପାଳଙ୍କ କାର୍ଯ୍ୟାଳୟରେ ଜରୁରୀକାଳିନ ବିଭାଗ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍, ଏଥିସହିତ ବ୍ଲକ ସ୍ତରରେ ମଧ୍ୟ କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା କରାଯାଇଛି।
ଦାୟିତ୍ୱରେ ଥିବା ପ୍ରଶାସନିକ ଅଧିକାରୀମାନେ ସ୍ଥାନୀୟ ଜନ ପ୍ରତିନିଧି, ଜନସାଧାରଣଙ୍କ ସହ ସମନ୍ବୟ ରଖି କାର୍ଯ୍ୟ କରିବାକୁ କୁହାଯାଇଛି। ଆସନ୍ନ ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ଖୋର୍ଦ୍ଧା ଜିଲାର ସମସ୍ତ ସରକାରୀ ପ୍ରାଥମିକ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସମେତ ଘରୋଇ ବିଦ୍ୟାଳୟଗୁଡ଼ିକ ୩୦ ଜୁଲାଇ ଅପରାହ୍ନ ୧ଟାଠାରୁ ୩୧ ଜୁଲାଇ ପର୍ଯ୍ୟନ୍ତ ବନ୍ଦ ରହିବ।
ଗୁରୁବାର ମଧ୍ୟାହ୍ନ ଭୋଜନ (MDM) ଶୀଘ୍ର ପ୍ରଦାନ କରିବାକୁ ପଦକ୍ଷେପ ନିଆଯିବ ଯାହାଦ୍ୱାରା ଛାତ୍ରୀଛାତ୍ରଙ୍କ ପାଇଁ ବିଦ୍ୟାଳୟଗୁଡ଼ିକ ଅପରାହ୍ନ ୧ଟା ସୁଦ୍ଧା ବନ୍ଦ କରାଯାଇପାରିବ। ଶିକ୍ଷକ ଓ ଅନ୍ୟାନ୍ୟ କର୍ମଚାରୀମାନେ ନିୟମିତ ଭାବେ ବିଦ୍ୟାଳୟରେ ଉପସ୍ଥିତ ରହିବେ। ଆଗାମୀ ୪ ଦିନ ପାଇଁ କୌଣସି ପ୍ରକାରର ଆକସ୍ମିକ ଛୁଟି (CL) ଅନୁମତି ଦିଆଯିବ ନାହିଁ।ବିଦ୍ୟାଳୟ ଭବନ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ସୁବିଧାଗୁଡ଼ିକୁ ପ୍ରସ୍ତୁତ ରଖିବାକୁ ଜିଲାପାଳ ନିର୍ଦ୍ଦେଶ ଜାରି କରିଛନ୍ତି। ବିଦ୍ୟାଳୟକୁ ୨୪x୭ ଖୋଲା ରଖିବା ପାଇଁ ପ୍ରଧାନଶିକ୍ଷକମାନଙ୍କ ଦ୍ୱାରା ରୋଷ୍ଟର ଡ୍ୟୁଟି (ପର୍ଯ୍ୟାୟ କ୍ରମେ କର୍ତ୍ତବ୍ୟ) ବ୍ୟବସ୍ଥା କରାଯିବ ଏବଂ ଯେକୌଣସି ସମୟରେ ଜିଲା ପ୍ରଶାସନକୁ ସହଯୋଗ ପ୍ରଦାନ ସୁନିଶ୍ଚିତ କରିବେ। ଆସନ୍ନ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ତୁରନ୍ତ ଉପରୋକ୍ତ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଖୋର୍ଦ୍ଧା ଜିଲାର ସମସ୍ତ ପ୍ରକାର ବିଦ୍ୟାଳୟର ପ୍ରଧାନଶିକ୍ଷକ, ଅଧ୍ୟକ୍ଷମାନଙ୍କୁ ଏହି ବିଷୟରେ ଅବଗତ କରାଇବାକୁ ଜିଲାପାଳ ଜିଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କ୍ଷେତ୍ରରେ ଦାୟିତ୍ୱହୀନତା, କୌଣସି ତ୍ରୁଟିକୁ ବରଦାସ୍ତ କରାଯିବ ନାହିଁ ବୋଲି ଜିଲାପାଳ କହିଛନ୍ତି।
ଜିଲାର ସମସ୍ତ ଅଧିକାରୀ ନିଜ ମୁଖ୍ୟାଳୟରେ ରହିବେ ଏବଂ ବିନା ଅନୁମତି କୌଣସି ପରିସ୍ଥିତିରେ ମଧ୍ୟ ମୁଖ୍ୟାଳୟ ଛାଡ଼ିବାକୁ ଅନୁମତି ଦିଆଯିବ ନାହିଁ। ଜିଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ଏତଦ୍ୱାରା ବାତିଲ କରାଯାଉଛି । ଛୁଟିରେ ଥିବା କର୍ମଚାରୀମାନଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଉଛି। ଖୋର୍ଦ୍ଧା ଜିଲାର ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ଆଜିଠୁ ଆଗାମୀ ୪ ଦିନ ପାଇଁ ବାତିଲ କରାଯାଇଛି।