ପ୍ରସ୍ତାବ ଦିଆଯିବା ସତ୍ତ୍ୱେ ପଦକ୍ଷେପ ନେଉନି ପ୍ରଶାସନ

ପୁରୀ ଅଫିସ, ୧୩ା୧: ଭଙ୍ଗା ରତ୍ନପଲଙ୍କରେ ମହାପ୍ରଭୁଙ୍କ ଶୟନ ନୀତି ହେଉଛି। ରତ୍ନପଲଙ୍କ ଦୁର୍ବଳ ହୋଇ ପଡ଼ିଥିବାବେଳେ ଏହାର ଗୋଡ଼ ଦୋହଲୁଛି। ରୁପା କାରୁକାର୍ଯ୍ୟ ନଷ୍ଟ ହେବାକ ବସିଲାଣି। ବାରମ୍ବାର ଦାବି ସତ୍ତ୍ୱେ ଶ୍ରୀମନ୍ଦିର ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେଉନାହିଁ ବୋଲି ସେବାୟତ ମହଲରେ ଅଭିଯୋଗ ହେଉଛି। ସେହିପରି ଏ ନେଇ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି। ଏହି ଘଟଣା ଚର୍ଚ୍ଚାକୁ ଆସିବା ପରେ ଶୁକ୍ରବାର ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲାପାଳ ସମର୍ଥ ବର୍ମା କହିଛନ୍ତି, ଶ୍ରୀମନ୍ଦିର ପ୍ରଶାସନ ସହିତ ଆଲୋଚନା କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ।
ସୂଚନା ଅନୁଯାୟୀ, ଶ୍ରୀମନ୍ଦିର ଭିତରକାଠ ଡାହାଣ ପାଶର୍‌ବ ଭଣ୍ଡାର ଘର ସମ୍ମୁଖରେ ରହିଛି ଶ୍ରୀଜୀଉଙ୍କ ଶୟନ କକ୍ଷ। ଏଠାରେ ପଡ଼ିିଛି ରତ୍ନପଲଙ୍କ। ସଜେଇ ହୋଇଛି ଶେଜ ଓ ମାଣ୍ଡି। ଏହାରି ଉପରେ ତିନିଠାକୁରଙ୍କ ଶୟନ ନୀତି ହୋଇଥାଏ। ଖଟଶେଯ ସେବାୟତଙ୍କ ଉପରେ ଏହି ରତ୍ନପଲଙ୍କ ତଦାରଖ ଦାୟିତ୍ୱ ନ୍ୟସ୍ତ। ଶ୍ରୀମନ୍ଦିରର ବିଭିନ୍ନ ଦ୍ୱାରରେ ରୁପା ଆଚ୍ଛାଦିତ ହେଉଥିବାବେଳେ ରତ୍ନପଲଙ୍କ ମରାମତି କରାଯାଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ତୁରନ୍ତ ଏହାର ମରାମତି ସହ ନୂଆ ଶେଜ, ମାଣ୍ଡି ପ୍ରସ୍ତୁତ କରିବା ପାଇଁ ସେବାୟତ ଓ ପରିଚାଳନା କମିଟି ସଦସ୍ୟ ଦାବି କରିଛନ୍ତି। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ପରିଚାଳନା କମିଟିର ଦାୟିତ୍ୱହୀନତାକୁ ନେଇ ପ୍ରଶ୍ନ ଉଠିଛି। ପୂଜାପଣ୍ଡା ସେବକଙ୍କ କହିବା ଅନୁଯାୟୀ, ମହାପ୍ରଭୁଙ୍କ ରତ୍ନପଲଙ୍କର ଗୋଟିଏ ଗୋଡ଼ ହଲୁଛି। ତାହାର ମରାମତି ଆବଶ୍ୟକ। ମହାପ୍ରଭୁଙ୍କ କାର୍ଯ୍ୟରେ ବିଘ୍ନ ହେଲେ ସମସ୍ତେ ଦୁଃଖିତ ହେବା ସ୍ବାଭାବିକ। ତେଣୁ ପ୍ରଶାସନ ଯଥାଶୀଘ୍ର ଏଥିପ୍ରତି ଧ୍ୟାନ ଦେବା ଉଚିତ। ଶ୍ରୀମନ୍ଦିରର ବରିଷ୍ଠ ସେବକ ସୋମନାଥ ଖୁଣ୍ଟିଆ କହିଛନ୍ତି, ମହାପ୍ରଭୁଙ୍କ ଶୟନ ପଲଙ୍କ ଆଜି ନୁହେଁ, ଦୀର୍ଘଦିନ ହେଲା ନଷ୍ଟ ହୋଇପଡ଼ିଥିବା ଶୁଣିବାକୁ ମିଳୁଛି। ପଲଙ୍କ ଦାୟିତ୍ୱରେ ଥିବା ସେବାୟତମାନେ ଶ୍ରୀମନ୍ଦିର ପ୍ରଶାସନକୁ ଏ ନେଇ ଜଣାଇବା ସହ ରିପୋର୍ଟ କରିଛନ୍ତି। ମାତ୍ର ପଦକ୍ଷେପ ନିଆଯାଇନାହିଁ। ପରିଚାଳନା କମିଟିରେ ସଦସ୍ୟ ଥିବା ସେବାୟତମାନେ କମିଟି ବୈଠକରେ ଏହି ପ୍ରସଙ୍ଗ ଉଠାଇଥିଲେ ମଧ୍ୟ ପ୍ରଶାସନ କର୍ଣ୍ଣପାତ କରୁନାହିଁ ବୋଲି ଖୁଣ୍ଟିଆ ଅଭିଯୋଗ କରିଛନ୍ତି। ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ତଥା ସେବାୟତ ଜଗନ୍ନାଥ କର କହିଛନ୍ତି, ରତ୍ନପଲଙ୍କ କାୈଣସି ଛୋଟିଆ ଜିନିଷ ନୁହେଁ ଯେ ପ୍ରଶାସନ ଚାହିଁଲେ ତୁରନ୍ତ ତିଆରି କରିଦେବ। ପଲଙ୍କରେ ବହୁତ କାରୁକାର୍ଯ୍ୟ ରହିଛି। ରତ୍ନପଲଙ୍କର ଗୋଡ଼ ହଲୁଛି। ମାତ୍ର ତା’ର ମରାମତି ହୋଇଥିଲା। ପରେ ପୁଣି ମରାମତି ଲାଗି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ପ୍ରସ୍ତାବ ଦିଆଯାଇଥିଲା। ଆଗକୁ ମଧ୍ୟ ପ୍ରସ୍ତାବ ଦିଆଯିବ। ଅତୀତରେ ପଲଙ୍କ ଗୋଡ଼ ବହୁ ମାତ୍ରରେ ହଲୁଥିଲା, ଯାହାର ମରାମତି କରାଯାଇଥିଲା। ଏବେ ସେତେ ଯୋରରେ ହଲୁନାହିଁ। ତଥାପି ମରାମତି ଲାଗି ପ୍ରସ୍ତାବ ଦିଆଯିବ। ଯାହା ସମସ୍ୟା ଦେଖାଦେଉଛି ତା’ର ସମାଧାନ ଲାଗି ପ୍ରଶାସନ ଚେଷ୍ଟା କରୁଛି।