ପୁରୁଷୋତ୍ତମପୁର,୨୦ା୬(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଭୋଟର ତାଲିକାରୁ କିଛି ଭୋଟରଙ୍କ ନାମ ପୂର୍ବରୁ କଟିଯାଇଥିବାରୁ ବର୍ତ୍ତମାନ ସେମାନେ ସରକାରଙ୍କ ପକ୍ଷରୁ ଚାଲିଥିବା ଏସ୍ଆଇଆର୍ରୁ ବଞ୍ଚିତ ହେଉଥିବା ନେଇ ଅସନ୍ତୋଷ ପ୍ରକାଶ କରିବାରେ ଲାଗିଛନ୍ତି। ଗତ ପୌର ଓ ସାଧାରଣ ନିର୍ବାଚନବେଳେ ସେମାନେ ଭୋଟ୍ ଦେଇଥିବାବେଳେ ସେମାନଙ୍କ ନାମ କିପରି କଟିଲା ବୋଲି ଅଭିଯୋଗ କରିଥିଲେ। ଏହି ଅସନ୍ତୋଷକୁ ନେଇ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ନେଇ ଜିଲା ପ୍ରଶାସନ ପକ୍ଷରୁ ଶନିବାର ଖଲ୍ଲିକୋଟ ଇଆରଓ ତଥା ସେଟେଲମେଣ୍ଟ୍ ଅଫିସର ଅଭିମନ୍ୟୁ ବେହେରା ଆସି ତଦନ୍ତ କରିଛନ୍ତି। ଏହି ତଦନ୍ତ ସମୟରେ କିଛି ଭୋଟରଙ୍କ ନାମ ପୂର୍ବରୁ କଟିଯାଇଥିବା ନେଇ ଜାଣିବାକୁ ପାଇଥିଲେ। ଏହାକୁ ନେଇ ବେହେରା କହିଛନ୍ତି ଯେ, କୌଣସି ଏକ ତ୍ରୁଟିଯୋଗୁ ନାମ କଟିଯାଇଛି ସେମାନେ ବ୍ୟତିବ୍ୟସ୍ତ ହୁଅନ୍ତୁ ନାହିଁ। କୌଣସି ହେଲେ ଯୋଗ୍ୟ ଭୋଟରଙ୍କ ନାମ କଟାଯିବନାହିଁ। ସମସ୍ତେ ଏସ୍ଆଇଆର ପ୍ରକ୍ରିୟାରେ ସହଯୋଗ କରନ୍ତୁ। ଯେଉଁମାନଙ୍କ ନାମ କଟିଯାଇଛି ସେମାନେ ଫର୍ମ ୬ ଅନୁଯାୟୀ ଆସନ୍ତା ତା ୫.୭.୨୦୨୬ ଠାରୁ ତା ୪.୮.୨୦୨୬ ମଧ୍ୟରେ ଆବେଦନ କରିବେ। ଏହାର ଆପତ୍ତି ଅଭିଯୋଗ ଶୁଣାଣି ତା ୫.୭.୨୬ ଠାରୁ ୨.୯.୨୦୨୬ ରହିଛି ଏହା ପରେ ଭୋଟର ତାଲିକାରେ ନାମ ଦରଦ କରି ଦିଆଯିବ। ଏପରିକି ସୁପରଭାଇଜର ଓ ବିଏଲ୍ଓମାନେ ଟିକନିଖି ଭାବରେ ଅନୁଧ୍ୟାନ ନ କରି ଏପରି ବ୍ୟକ୍ତିଙ୍କ ନାମ ଏଭଳି କଟିଯାଇଛି ତାହାର ତଥ୍ୟ ସଂଗ୍ରହ କରି ନାମକୁ ଯୋଡ଼ିବା ଦିଗରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ତଦନ୍ତ ସମୟରେ ତହସିଲଦାର ବିନୋଦ କୁମାର ବେହେରା, ବିଡିଓ ଦେବାଶିଷ ସାମଲ,ଏନ୍ଏସି ନିର୍ବାହୀ ଅଧିକାରୀ ସଙ୍ଗୀତା ସେଠୀ ଉପସ୍ଥିତ ରହିଥିଲେ। ଏହି ଏଅବସରରେ ଖଲ୍ଲିକୋଟ ବିଧାନସଭା କ୍ଷେତ୍ରର ଭାଗସଂଖ୍ୟା ୨୨୯ର ଲୋକନାଥ ପ୍ରଧାନ ଓ ୨୩୩ର ଦେବରାଜ ସାହୁ ବିଏଲ୍ଓ ଶତପ୍ରତିଶତ ଡିଜିଟାଇଲେଜେଶନ କରିଥିବାରୁ ସେମାନଙ୍କୁ ଅଧିକାରୀମାନେ ଉପଢୌକନ ସମ୍ମାନିତ କରିଥିଲେ।