କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ: ଶ୍ମଶାନ ପାଇଁ ସ୍ଥାନ ଚିହ୍ନଟ କଲା ପ୍ରଶାସନ

ଗଞ୍ଜାମ, ୧୮।୮ (ବିଦ୍ୟାଧର ସାହୁ): ଛତ୍ରପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତର ବାଉଁଶିଆପଡ଼ା ଗ୍ରାମରେ ଶ୍ମଶାନକୁ ଯିବା ପାଇଁ ରାସ୍ତା ନଥିବାରୁ ଗ୍ରାମବାସୀ କେନାଲ ପାର ହୋଇ ମୃତଦେହ ଦାହ କରୁଥିଲେ। ଏ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।

ମଙ୍ଗଳବାର ପ୍ରଶାସନ ପକ୍ଷରୁ କନିଷ୍ଠ ଯନ୍ତ୍ରୀ ଜୟସେନ ବେହେରା ବାଉଁଶିଆପଡ଼ା ଗ୍ରାମକୁ ଯାଇ ଶ୍ମଶାନ ନିର୍ମାଣ ପାଇଁ ସ୍ଥାନ ଚିହ୍ନଟ କରିଥିବା ଜଣାପଡ଼ିଛି। ଏହି ସମୟରେ ପିଇଓ ଗୌରାଙ୍ଗ ଲେଙ୍କା, ହୁମା ସମିତି ସଭ୍ୟ ଧ୍ରୁବ ଚରଣ ପଲାଇଙ୍କ ସମେତ ସ୍ଥାନୀୟ ଅଞ୍ଚଳବାସୀ ଉପସ୍ଥିତ ଥିଲେ।

ଦୀର୍ଘ ବର୍ଷ ଧରି ବାଉଁଶିଆପଡ଼ାରେ ଶ୍ମଶାନ ଗୃହ ନିର୍ମାଣ ପାଇଁ ସମିତି ସଭ୍ୟ ଧ୍ରୁବ ଚରଣ ପଲାଇ ପ୍ରଶାସନ ନିକଟରେ ଦାବି କରିଆସୁଥିଲେ। ଶ୍ମଶାନକୁ ଯିବା ପାଇଁ ରାସ୍ତା ନ ଥିବାରୁ ଗ୍ରାମବାସୀଙ୍କୁ କେନାଲ ପାର ହୋଇ ମୃତଦେହ ନେବାକୁ ପଡ଼ୁଥିଲା। ଏହାକୁ ନେଇ ଗ୍ରାମବାସୀ ଦୀର୍ଘଦିନ ଧରି ସମସ୍ୟା ଭୋଗୁଥିଲେ।

ବିଳମ୍ବରେ ହେଲେ ମଧ୍ୟ ନୂତନ ସ୍ମଶାନ ନିର୍ମାଣ ପାଇଁ ପ୍ରଶାସନ ପକ୍ଷରୁ ସ୍ଥାନ ଚିହ୍ନଟ କରାଯାଇ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ଅଞ୍ଚଳବାସୀ ଖୁସି ବ୍ୟକ୍ତ କରିବା ସହ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି।

Dharitri – Odisha’s No.1 Odia Daily

Share