ଭଞ୍ଜନଗରରେ ଏସ୍‌ଏସ୍‌ଆର୍‌-୨୦୨୭ ପ୍ରସ୍ତୁତି ବୈଠକ: ନଭେମ୍ବର ୩୦ରେ ଖସଡ଼ା, ଜାନୁଆରୀ ୨୧ରେ ପ୍ରକାଶ ପାଇବ…

ଭଞ୍ଜନଗର, ୨୬।୧୧ (ବାବୁଲା ପ୍ରଧାନ)- ଆଗାମୀ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (ଏସ୍‌ଏସ୍‌ଆର୍‌)- ୨୦୨୭ ପ୍ରକ୍ରିୟାକୁ ସ୍ୱଚ୍ଛ, ନିର୍ଭୁଲ ଓ ସୁଚାରୁରୂପେ ସମ୍ପାଦନ କରିବା ଲକ୍ଷ୍ୟରେ ଗୁରୁବାର ଭଞ୍ଜନଗରଠାରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉପଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ପୂର୍ବାହ୍ନରେ ଆୟୋଜିତ ଏହି ବୈଠକରେ ଭଞ୍ଜନଗର, ଆସିକା ଏବଂ ସୋରଡ଼ା ବିଧାନସଭା ନିର୍ବାଚନମଣ୍ଡଳୀର ରାଜନୈତିକ ଦଳର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ।

ବୈଠକରେ ନିର୍ବାଚନ ଅଧିକାରୀମାନେ ଏସ୍‌ଏସ୍‌ଆର୍‌-୨୦୨୭ର ଶୁଭାରମ୍ଭ, କାର୍ଯ୍ୟସୂଚୀ ଏବଂ ଏହାର ବିଭିନ୍ନ ପର୍ଯ୍ୟାୟ ସମ୍ପର୍କରେ ଉପସ୍ଥିତ ପ୍ରତିନିଧିମାନଙ୍କୁ ବିସ୍ତୃତ ଭାବେ ଅବଗତ କରାଇଥିଲେ। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଆସନ୍ତା ନଭେମ୍ବର ୩୦ ତାରିଖରେ ଖସଡ଼ା ମତଦାତା ତାଲିକା ପ୍ରକାଶ ପାଇବ। ଏହାପରେ ନଭେମ୍ବର ୩୦ରୁ ଡିସେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ତାଲିକା ସମ୍ପର୍କରେ ଦାବି ଓ ଆପତ୍ତି ଦାଖଲ କରାଯାଇପାରିବ ଏବଂ ଆସନ୍ତା ଜାନୁଆରୀ ୨୧, ୨୦୨୭ରେ ଚୂଡ଼ାନ୍ତ ମତଦାତା ତାଲିକା ପ୍ରକାଶ ପାଇବ।

ଏହି ସଂଶୋଧନ ପ୍ରକ୍ରିୟାରେ ଯୋଗ୍ୟ ନୂତନ ଯୁବ ମତଦାତାଙ୍କ ନାମ ତାଲିକାରେ ସାମିଲ କରିବା, ଅଯୋଗ୍ୟ ମତଦାତାଙ୍କ ନାମ ବାଦ୍ ଦେବା ଏବଂ ତାଲିକାରେ ରହିଥିବା ବିଭିନ୍ନ ତ୍ରୁଟି ସଂଶୋଧନ କରିବା ଉପରେ ବିଶେଷ ଗୁରୁତ୍ୱାରୋପ କରାଯାଇଥିଲା। ଏଥିସହ ଏସ୍‌ଏସ୍‌ଆର୍‌ ସମ୍ପର୍କରେ ସାଧାରଣ ଲୋକଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଏବଂ ଏହି ପ୍ରକ୍ରିୟାକୁ ସଫଳ କରିବା ପାଇଁ ସମସ୍ତ ରାଜନୈତିକ ଦଳଗୁଡ଼ିକର ସକ୍ରିୟ ସହଯୋଗ ଲୋଡ଼ାଯାଇଥିଲା।

ଏହି ଆଲୋଚନାରେ ଭଞ୍ଜନଗର ନିର୍ବାଚନମଣ୍ଡଳୀର ଇଆରଓ ତଥା ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ଆସିକାର ଇଆରଓ ତଥା ଅତିରିକ୍ତ ଉପଜିଲ୍ଲାପାଳ ପ୍ରଧାନ ଟୁଲିଆମା, ସୋରଡ଼ାର ଇଆରଓ ବସନ୍ତ କୁମାର ସେଠୀ ଏବଂ ଡେପୁଟି କଲେକ୍ଟର (ନିର୍ବାଚନ) ରଚିତା ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ। ବୈଠକରେ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ମଧ୍ୟ ଯୋଗ ଦେଇଥିଲେ।

Dharitri – Odisha’s No.1 Odia Daily

Share