ବାଫ୍ଲା ମାଳି ଖଣି ପ୍ରଭାବିତ ଅଞ୍ଚଳରେ ବିକାଶର ନଗ୍ନ ଚିତ୍ର: ଉପରେ ଚାଲିଛି ଖଣି, ତଳେ ରାସ୍ତା ନାହିଁ; ପ୍ରଶାସନର ଅବହେଳା ପରେ…

ଥୁଆମୂଳ ରାମପୁର/କାଶୀପୁର, ୨୩।୯ (ଦୁର୍ଗା କୀର୍ତ୍ତି/ ପ୍ରଫୁଲ୍ଲ ବେହେରା): ଗୋଟିଏ ପଟେ ବାଫ୍ଲା ମାଳି ପାହାଡ଼ ଉପରେ ବାକ୍ସାଇଟ୍ ଖଣି ଖନନ କରି କୋଟି କୋଟି ଟଙ୍କାର କାରବାର ଚାଲିଛି, କିନ୍ତୁ ଅନ୍ୟପଟେ ପାହାଡ଼ ତଳେ ଥିବା ଗାଁଗୁଡ଼ିକରେ ବସବାସ କରୁଥିବା ଲୋକଙ୍କ ଭାଗ୍ୟରେ ଯୋଡ଼ିହୋଇଛି କେବଳ ଅବହେଳା ଓ ଦୁର୍ଦ୍ଦଶା। ରାୟଗଡ଼ା ଜିଲା କାଶୀପୁର ବ୍ଲକ୍ ଚନ୍ଦରଗିରି ଗ୍ରାମପଞ୍ଚାୟତର ମାଳିଗାଁରେ ବିକାଶର ଏକ ନଗ୍ନ ଓ ସାଂଘାତିକ ଚିତ୍ର ସାମ୍ନାକୁ ଆସିଛି। ସ୍ବାଧୀନତାର ଏତେ ବର୍ଷ ପରେ ଏବଂ ଖଣିରୁ ବିପୁଳ ରାଜସ୍ୱ ମିଳୁଥିବା ସତ୍ତ୍ୱେ ଗାଁକୁ ଗୋଟିଏ ହେଲେ ବି ପକ୍କା ରାସ୍ତା ଖଣ୍ଡେ ନାହିଁ।

ମାଳିଗାଁକୁ ଯାଇଥିବା ଏହି ଅପକ୍କା ରାସ୍ତାଟି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟକୁ ଯିବା ପାଇଁ ମୁଖ୍ୟ ମାଧ୍ୟମ। ମାତ୍ର ରାସ୍ତା ଓ ନଦୀ ଉପରେ ସେତୁ ନଥିବାରୁ ମାଳି ଗାଁ, ପାଇକ ସାହି, ସ୍କୁଲ ସାହି, ମେଟକେସ, ଧୂରଖାଲ, ତଳପତ୍ରି ଓ କୋଷନାଦୋର ଭଳି ପ୍ରାୟ ଅନେକ ଗାଁର ସାଧାରଣ ଲୋକେ, ସ୍କୁଲ ଛାତ୍ରଛାତ୍ରୀ, ବୃଦ୍ଧବୃଦ୍ଧା ଏବଂ ଗର୍ଭବତୀ ମହିଳାମାନେ ନୀତିଦିନିଆ ଯାତାୟାତ ପାଇଁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ପଞ୍ଚାୟତ କାର୍ଯ୍ୟାଳୟକୁ ଯିବା, ବିଦ୍ୟାଳୟକୁ ପାଠପଢ଼ିବାକୁ ଯିବା, ରାସନ୍‌ ସାମଗ୍ରୀ ସଂଗ୍ରହ ଓ ଚାଷକାର୍ଯ୍ୟ ପାଇଁ ଯିବା ଆସିବା ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହେଉଛି। ବିଶେଷକରି ବର୍ଷା ଦିନେ ନଦୀ-ନାଳରେ ଜଳସ୍ତର ବୃଦ୍ଧି ପାଇଲେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଉଛି। ଫଳରେ ଲୋକଙ୍କୁ ବାଧ୍ୟ ହୋଇ ବିପଦସଙ୍କୁଳ ଜଙ୍ଗଲ ରାସ୍ତାରେ ବୁଲି କରି ଯିବାକୁ ପଡ଼ୁଛି।

ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ, ବ୍ଲକ୍ ପ୍ରଶାସନ, ଜିଲ୍ଲା ପ୍ରଶାସନ କିମ୍ବା ଖଣି କମ୍ପାନୀ— କାହାରି ହେଲେ ବି ଏହି ଅଞ୍ଚଳର ଜ୍ୱଳନ୍ତ ସମସ୍ୟା ପ୍ରତି ଦୃଷ୍ଟି ପଡ଼ୁନାହିଁ। ପ୍ରଶାସନିକ ଅଧିକାରୀଙ୍କୁ ବାରମ୍ବାର ଗୁହାରି କରି ନିରାଶ ହେବା ପରେ ଶେଷରେ ଗ୍ରାମବାସୀମାନେ ନିଜେ ଏକତ୍ରିତ ହୋଇ ବୈଠକ କରିଥିଲେ।

ବୈଠକର ନିଷ୍ପତ୍ତି ମୁତାବକ ମାଳି ଗାଁ, ପାଇକ ସାହି ଓ ସ୍କୁଲ ସାହିର ଗ୍ରାମବାସୀମାନେ ନିଜେ ଶ୍ରମଦାନ କରି ନଦୀ ଉପରେ କାଠ, ଗଛଗଣ୍ଡି, ପଥର ଓ ମାଟି ପକାଇ କାଠ ପୋଲ ଓ ଅସ୍ଥାୟୀ ରାସ୍ତା ନିର୍ମାଣ କରିଛନ୍ତି। ଗାଁର ମହିଳା ଓ ପୁରୁଷମାନେ ମିଶି ମାଟି-ପଥର ବୋହି ଏହି ସେତୁ ଓ ରାସ୍ତା ତିଆରି କରୁଥିବା ଦେଖିବାକୁ ମିଳିଛି।

ଗ୍ରାମବାସୀ କର୍ଣ୍ଣ ନାୟକ ଓ ବିଶ୍ୱ ଧଙ୍ଗଡ଼ା ମାଝୀଙ୍କ କହିବା ଅନୁଯାୟୀ, “ନଦୀ ପାରି ହୋଇ ଯିବାଆସିବା କରିବାରେ ଆମର ପ୍ରବଳ ଅସୁବିଧା ହେଉଛି। ପ୍ରତିବର୍ଷ ଆମେ ନିଜେ କାଠ ପୋଲ ତିଆରି କରୁଛୁ, କିନ୍ତୁ ବର୍ଷା ଜଳରେ ତାହା ଭାସିଗଲେ ପୁଣି ସମସ୍ୟାରେ ପଡ଼ୁଛୁ। ସରପଞ୍ଚ ଓ ପ୍ରଶାସନକୁ ବାରମ୍ବାର ଜଣାଇଲେ ମଧ୍ୟ କେହି ଆମ କଥା ଶୁଣୁନାହାନ୍ତି।”

ଖଣି କମ୍ପାନୀ ଓ ସରକାର ଏହି ଅଞ୍ଚଳରୁ କୋଟି କୋଟି ଟଙ୍କାର ରାଜସ୍ୱ ପାଉଥିବା ବେଳେ, ଖଣି ପ୍ରଭାବିତ ଅଞ୍ଚଳର ମୌଳିକ ଗମନାଗମନ ସୁବିଧା ପ୍ରତି ଏପରି ଚରମ ଅବହେଳା ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। ତୁରନ୍ତ ଏହି ମୁଖ୍ୟ ରାସ୍ତାରେ ସ୍ଥାୟୀ ପକ୍କା ରାସ୍ତା ଓ ସେତୁ ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

Dharitri – Odisha’s No.1 Odia Daily

Share