ସିଡିଏସ୍‌ରେ ଓଡ଼ିଆ ଝିଅ ଅଦିତି ଟପ୍ପର

ଭୁବନେଶ୍ୱର,୯ା୧୧(ବ୍ୟୁରୋ): ସଂଯୁକ୍ତ ପ୍ରତିରକ୍ଷା ସେବା (ସିଡିଏସ୍‌)-୨ ପରୀକ୍ଷା (ମହିଳା)ରେ ଓଡ଼ିଆ ଝିଅ ଅଦିତି ପରିଡ଼ା ଟପ୍ପର ହୋଇଛନ୍ତି। ଏଭଳି ସଫଳତା ହାସଲ କରିବାପରେ ଅଦିତି ହେଉଛନ୍ତି ଓଡ଼ିଶାର ପ୍ରଥମ ମହିଳା। ତାଙ୍କ ଘର ଢେଙ୍କାନାଳ ଜିଲାର ଓଡ଼ାପଡ଼ା ବ୍ଲକ୍‌ ଅନ୍ତର୍ଗତ ନାଧରା ଗାଁରେ। ସେ ଭାରତୀୟ ସ୍ଥଳ ସେନା ବାହିନୀର ବ୍ରିଗେଡିୟର ଭୂଦେବ ପରିଡ଼ାଙ୍କ ଝିଅ। ଅଦିତି ଚଳିତବର୍ଷ ପୁଣେର ସିମ୍ବୋସିସ କଲେଜରୁ ସାମ୍ବାଦିକତାରେ ସ୍ନାତକ ହାସଲ କରିଥିବାବେଳେ ୨୦୧୭-୨୦୨୦ ବ୍ୟାଚ୍‌ରେ ଟପ୍ପର ହୋଇନ୍ତି। ସେ ଜଣେ ଭଲ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ। ସେ ଓଡ଼ିଶୀ ଓ ଭାରତନାଟ୍ୟମ୍‌ ନୃତ୍ୟ ପରିବେଷଣ କରନ୍ତି। ନିଜ ସଫଳତାକୁ ନେଇ ଅଦିତି କହିଛନ୍ତି ଯେ, ମୁଁ ପିଲାଦିନରୁ ଭାରତୀୟ ସେନାରେ ଯୋଗଦେବାକୁ ଉତ୍ସାହିତ ଥିଲି। ମୋର ବାପା ଜଣେ ବ୍ରିଗେଡିୟର ଭାବରେ କାର୍ଯ୍ୟ କରୁଥିବାରୁ ମୁଁ ଏକ ସେନା ବାତାବରଣରେ ଜନ୍ମ ହୋଇଥିଲି। ଭାରତ ମାତାର ସେବା କରିବା ମୋ ଜୀବନର ଏକ ସ୍ବପ୍ନ ବୋଲି ସେ କହିଛନ୍ତି।