ଧରାପଡ଼ିଲେ କୋଟିପତି ପୋଲିସବାବୁ: ଚଢୁଥିଲେ ବିଏମ୍‌ଡବ୍ଲୁ; ଚାକିରିରେ ଥାଇ ୩ ବ୍ୟବସାୟ

ଭୁବନେଶ୍ୱର,୧୫।୨(ବ୍ୟୁରୋ): ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କୋଟିପତି ପୋଲିସ ବାବୁ। ମଙ୍ଗଳବାର ଏକକାଳୀନ ୧୧ଟି ସ୍ଥାନରେ ଚଢ଼ାଉ କରାଯିବା ପରେ ଫିଟିବାରେ ଲାଗିଛି ସମ୍ପତ୍ତି ତାଲିକା। ଘରୁ ନଗଦ ଟଙ୍କା ସହ ଜବତ ହୋଇଛି ଅନେକ ଦାମୀ କାର୍‌, ବାଇକ୍‌। ସରକାରୀ ଚାକିରିରେ ଥାଇ ସେ ତିନୋଟି ଅନ୍ୟ ବ୍ୟବସାୟ ମଧ୍ୟ ଚଳାଇଥିଲେ। ଏହି ପୋଲିସ ଅଫିସରଜଣଙ୍କ ହେଲେ ତ୍ରିନାଥ ମିଶ୍ର। ସେ କଟକରେ ପୋଲିସ କମ୍ୟୁନିକେଶନ୍‌ର ଅତିରିକ୍ତ ଏସ୍‌ପି ଭାବେ କାର୍ଯ୍ୟରତ ଅଛନ୍ତି।

ଭିଜିଲାନ୍ସ ଟିମ୍‌ ତ୍ରିନାଥଙ୍କ ଭୁବନେଶ୍ୱର ରସୁଲଗଡ଼ ମନୋରମା ଇଷ୍ଟେଟରେ ଥିବା ୩ ବିଏଚ୍‌କେ ଫ୍ଲାଟ୍‌, ନବରଙ୍ଗପୁର ଡାବୁଗାଁସ୍ଥିତ ପୈତୃକ ଘର, ଯାଜପୁର ବଡ଼ଚଣାରେ ସମ୍ପର୍କୀୟଙ୍କ ଘର, ବଡ଼ଚଣାରେ ଥିବା ଶାନ୍ତିଲତା ଫାର୍ମ ହାଉସ, ଚଣ୍ଡିଖୋଲ ବଜାରରେ ଥିବା ଶାନ୍ତିଲତା ନର୍ସିଂ ହୋମ, ଚଣ୍ଡିଖୋଲ ଓ ଧାନମଣ୍ଡଳରେ ଶାନ୍ତିଲତା ଟ୍ରାନ୍ସପୋର୍ଟ କାର୍ଯ୍ୟାଳୟ ଆଦିରେ ଚଢ଼ାଉ କରିଛି। ତା’ସହିତ ଜଗତସିଂହପୁର ବିରିଡ଼ିରେ ଥିବା ତ୍ରିନାଥ ମିଶ୍ରଙ୍କ ଡ୍ରାଇଭରଙ୍କ ଘରେ ବି ସର୍ଚ୍ଚ କରାଯାଇଛି।

ତେବେ ଚଢ଼ାଉ ଜାରି ରହିଥିବା ବେଳେ ତ୍ରିନାଥଙ୍କ ନିକଟରୁ ବିଏମଡବ୍ଲ୍ୟ(୧.୧୧ କୋଟିର), ୧୭ ଲକ୍ଷର ହୁଣ୍ଡାଇ କ୍ରେଟା, ମାରୁତି ବାଲେନୋ କାର୍‌, ସେଭ୍ରୋଲେ ଟ୍ରେଲବ୍ଲେଜର ଭଳି କାର୍‌ ଜବତ ହୋଇଛି। ଏଥିସହ ତାଙ୍କଠାରୁ ୫.୩ ଲକ୍ଷର ଜିଟିଆର୍‌ ୨୫୦ ହୋସୁଙ୍ଗ ବାଇକ୍‌, ୧ ଲକ୍ଷ ୭୫ ହଜାର ମୂଲ୍ୟର ବୁଲେଟ ଓ ୨୦ ଲକ୍ଷ ଟଙ୍କାର ଟ୍ରମ୍ଫ ରକେଟ ବାଇକ ବି ଜବତ କରାଯାଇଛି। ସେହିଭଳି ଚଣ୍ଡିଖୋଲରେ ତାଙ୍କର ଏକ ହସ୍ପିଟାଲ ଥିବା ବେଳେ ତାଙ୍କର ଟ୍ରାନ୍ସପୋର୍ଟ ଓ ଔଷଧ ବେପାର ମଧ୍ୟ ଚାଲିଛି। ହସ୍ପିଟାଲ ଏବଂ ଔଷଧ ବ୍ୟବସାୟ ତ୍ରିନାଥଙ୍କ ସ୍ତ୍ରୀଙ୍କ ନାମରେ ରହିଛି। ହସ୍ପିଟାଲରେ ଥିବା ଅତ୍ୟାଧୁନିକ ଯନ୍ତ୍ରପାତିର ମୂଲ୍ୟାୟନ ଜାରି ରହିଛି। କଟକ ମହାନଦୀ ବିହାରରେ ତ୍ରିନାଥଙ୍କ ଦୁଇ ପୁଅଙ୍କ ନାମରେ ଔଷଧ ଉଦ୍ୟୋଗ ରହିଛି। ସେମାନଙ୍କୁ ମଧ୍ୟ ପଚରାଉଚରା କରାଯାଉଥିବା ସୂଚନା ମିଳିଛି।

କହିରଖୁଛୁ, ଆଉ ଦୁଇ ମାସ ପରେ ସେ ଚାକିରିରୁ ଅବସର ନେଇଥାନ୍ତେ। ହେଲେ ତା’ ପୂର୍ବରୁ ଏହି ପୋଲିସବାବୁଙ୍କ ସମ୍ପତ୍ତି ପେଡ଼ି ଭିଜିଲାନ୍ସ ଖୋଲି ଦେଇଛି।