ପିଆଜ ଚାଷଜମି ପରିଦର୍ଶନ କଲେ ଅତିରିକ୍ତ ସଚିବ, ଚାଷୀଙ୍କୁ କହିଲେ…

ନୂଆପଡ଼ା,୨୬ା୪(ମକାରୁ ବେମାଲ): କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଧନଧାନ୍ୟ ଯୋଜନା ଅତିରିକ୍ତ ସଚିବ ମନୋଜ କୁମାର ରବିବାର ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ତୁକଳାପଡା ଗାଁର ଚାଷୀଙ୍କ ପିଆଜ ଚାଷଜମି ପରିଦର୍ଶନ କରିଛନ୍ତି। ଏହି ସମୟରେ ସେ ଗାଁର ପିଆଜ ଚାଷୀ ପଣ୍ଡୁ ବାଗ, ଅବଲ ନିଆଲ, ବରୁଣ ବାଗ, ଭୁବନେଶ୍ୱର ବାଗ, ତେଜୁଲାଲ ବାଗଙ୍କଠାରୁ ବିଭିନ୍ନ ପ୍ରସଙ୍ଗ ପଚାରି ବୁଝିଥିଲେ। ଆୟବ୍ୟୟ ସମ୍ପର୍କରେ ପଚାରିବାରୁ ଚାଷୀମାନେ ଏକର ପିଛା ୬୦ରୁ ୭୦ କୁଇଣ୍ଟାଲ ପିଆଜ ଉତ୍ପାଦନ ହେଉଥିବାବେଳେ ଲକ୍ଷେରୁ ଊର୍ଦ୍ଧ୍ୱ ଆୟ ହେଉଛି ବୋଲି କହିଥିଲେ। ଏହାସହ ସେମାନେ ଚାଷ ସମ୍ପର୍କିତ ବିଭିନ୍ନ ସମସ୍ୟା ଉପସ୍ଥାପନ କରିଥିଲେ। ଗାଁରେ ବନ୍ଧ, ମୁଡା, ଗଭୀର ନଳକୂପ ଦ୍ୱାରା ଆବଶ୍ୟକ ପାଣି ରହିଛି। ହେଲେ ଅଘୋଷିତ ବିଦ୍ୟୁତ କାଟ ଯୋଗୁ ଠିକ ସମୟରେ ଚାଷଜମିରେ ପାଣି ମଡ଼ାଇ ହେଉନାହିଁ। ଫଳରେ ଫସଲ ମରିଯିବା ଆଶଙ୍କା ରହୁଛି। ଏଠାରେ ଶୀତଳଭଣ୍ଡାର କିମ୍ବା ମଣ୍ଡି (ମାର୍କେଟିଂ) ବ୍ୟବସ୍ଥା ନ ଥିବାରୁ ଶାଗମାଛ ଦରରେ କ୍ଷୁଦ୍ର ବ୍ୟବସାୟୀଙ୍କୁ ବିକ୍ରୟ କରି ଦେଉଛୁ। ତେଣୁ ଶୀତଳ ଭଣ୍ଡାର ଓ ମଣ୍ଡି ବ୍ୟବସ୍ଥା କରାଯାଉ ବୋଲି ଚାଷୀ ଦାବି କରିଥିଲେ। ଏହାପରେ ଅତିରିକ୍ତ ସଚିବ ସିପିଏସ୍‌ଡବ୍ଲ୍ୟୁ କେନ୍ଦୁଭଟା ଓ ଉଦ୍ୟାନ ବିଭାଗ ନୂଆପଡା ତରଫରୁ ନିର୍ମାଣ କରାଯାଇଥିବା ଭମର ନିଆଲଙ୍କ ପିଆଜ ସାଇତି ରଖିବା ଘର ପରିଦର୍ଶନ କରିଥିଲେ। ଏହି ଅବସରରେ ପିଆଜ ଚାଷୀମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା। ଏହି ସମୟରେ ଜିଲା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ କୁମାର ନାଏକ, ଜିଲା ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ହରେକୃଷ୍ଣ ଚାନ୍ଦ ହାସଦାଁ, ସିପିଏସ୍‌ଡବ୍ଲ୍ୟୁ ମୁଖ୍ୟ କାର୍ଯ୍ୟନିର୍ବାହୀ ବିରଞ୍ଚତ୍ ନାରାୟଣ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Share