ଭିଜିଲାନ୍ସ ଜାଲରେ ଅତିରିକ୍ତ ମତ୍ସ୍ୟ ଅଧିକାରୀ

ସମ୍ବଲପୁର/ନାକଟିଦେଉଳ,୧୫ା୧୨(ପ୍ରମୋଦ ବହିଦାର/ବୈକୁଣ୍ଠ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ ଅତିରିକ୍ତ ମତ୍ସ୍ୟ ଅଧିକାରୀ ସ୍ନେହଲତା ମହାନ୍ତି ଶୁକ୍ରବାର ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। କୁଣ୍ଡରେ କାର୍ପ ମାଛ ଜାଆଁଳ ଚାଷ ପାଇଁ ନେଇଥିବା ଋଣ ପରିଶୋଧ ପରେ ସବ୍‌ସିଡି ଅନୁମୋଦନ ପାଇଁ ଅତିରିକ୍ତ ମତ୍ସ୍ୟ ଅଧିକାରୀ ମହାନ୍ତି ଉପରମୁଣ୍ଢା ମା’ ସମଲେଇ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଠାରୁ ୨୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଏ ନେଇ ଉକ୍ତ ମହିଳା ଗୋଷ୍ଠୀର କର୍ମକର୍ତ୍ତା ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ। ଫଳରେ ଭିଜିଲାନ୍ସ ବିଭାଗ ପକ୍ଷରୁ ତାଙ୍କୁ ଧରିବା ପାଇଁ ଜାଲ ବିଛାଯାଇଥିଲା।

ଯୋଜନା ଅନୁସାରେ ଶୁକ୍ରବାର ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଅତିରିକ୍ତ ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ତାଙ୍କ ଦାବି ଅନୁସାରେ ଲାଞ୍ଚ ବାବଦକୁ ଭିଜିଲାନ୍ସ ବିଭାଗ ଦ୍ୱାରା ରାସାୟନିକ ପ୍ରଲେପ ଦିଆ ୨୦ ହଜାର ଟଙ୍କାର ଏକ ବ୍ଲାଙ୍କ ଚେକ୍‌ ପ୍ରଦାନ କରିଥିଲେ। ଏହି ସମୟରେ ପୂର୍ବରୁ ସେଠାରେ ସାଦା ପୋଷାକରେ ଛପିରହିଥିବା ଓଡ଼ିଶା ଭିଜିଲାନ୍ସ ବିଭାଗ ମହିଳା ଅଧିକାରୀମାନେ ଅତିରିକ୍ତ ମତ୍ସ୍ୟ ଅଧିକାରୀ ସ୍ନେହଲଙ୍କ ନିକଟରୁ ୨୦ ହଜାର ଟଙ୍କାର ବ୍ଲାଙ୍କ ଚେକ୍‌ ସହ ତାଙ୍କ ନିକଟରେ ଥିବା ଋଣ ସମ୍ପର୍କିତ ସମସ୍ତ କାଗଜପତ୍ର ଜବତ କରିଥିଲେ।

ପରେ ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଗିରଫ କରାଯାଇ ସମ୍ବଲପୁର ଶାଖା କାର୍ଯ୍ୟାଳୟକୁ ଅଣାଯାଇଥିଲା। ଭିଜିଲାନ୍ସ ବିଭାଗ କର୍ମଚାରୀ ରେଢ଼ାଖୋଲସ୍ଥିତ ତାଙ୍କ ଭଡ଼ାଘର ଓ କାର୍ଯ୍ୟାଳୟରେ ଏକସମୟରେ ଚଢ଼ାଉ କରିଥିଲେ। ଏହାକୁ ନେଇ ସମ୍ବଲପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ମାମଲା(ନଂ.୩୧/୨୩) ରୁଜୁ ହୋଇଛି। ମହାନ୍ତିଙ୍କୁ କୋର୍ଟକୁ ଚାଲାଣ କରାଯାଇଛି।