ମୋହନା,୧୧।୬(ମନ୍ମଥ ମିଶ୍ର): ବାଇକ, ଘର ପଟା ଓ ମୋବାଇଲ୍ ବନ୍ଧକ୍ ରଖି ବେଆଇନ୍ ରୁଣ କାରବାର ଅଭିଯୋଗରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ଅଡବା ପୋଲିସ । ଅଭିଯୁକ୍ତଠୁ ଲକ୍ଷାଧିକ ନଗଦ ଟଙ୍କା ସହ ୧୩୭ଟି ବାଇକ୍ ଓ ୧୨୭ ଗୋଟି ମୋବାଇଲ୍ ଜବତ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଅଡବା ଗାଁର କେ.ରବି ରେଡ୍ଡୀ ।
ସୂଚନା ପ୍ରକାରେ ମୋହନା ଗାଁର ଚନ୍ଦ୍ର ଶେଖର ଦାସ ଏକ ପେଶନ ପ୍ରୋ ବାଇକଟି ରବିଙ୍କ ନିକଟରେ ୨୦ ହଜାର ଟଙ୍କାରେ ବନ୍ଧକ ରଖିଥିଲେ। ବନ୍ଧକ ପରେ ଶେଖର ଯେତେବେଳେ ବାଇକ ନେବା ପାଇଁ ଆସିଥିଲେ ସେତେବେଳେ ବାଇକଟିକୁ ରବି ଫେରାଇ ନଥିଲେ। ଯାହା ଫଳରେ ଶେଖର ଅଡବା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପ୍ରକାରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ପୋଲିସର ତଦନ୍ତରେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଥିଲେ। ଘର ଭିତରୁ ଏତେ ବାଇକ ବାହାରିଲା ଯେ ପୋଲିସ ତାଜୁବ ହୋଇଯାଇଥିଲା । ଗୋଟିଏ ପରେ ଗୋଟିଏ ବାଇକକୁ ବାହାର କରି ଥାନାକୁ ଅଣା ଯାଇଥିଲା।
ଅଭିଯୁକ୍ତ ରବି ଦୀର୍ଘ ଦିନରୁ ଅଡବା ଅଞ୍ଚଳରେ ବେଆଇନ ଋଣ କାରବାର କରି ଆସୁଥିଲା । ନିରୀହ ଲୋକଙ୍କ ଠାରୁ ବାଇକ୍ ଓ ମୋବାଇଲ୍ ବନ୍ଧକ ରଖି ଋଣ ଦେଇ ଟଙ୍କା ଆଦାୟ କରୁଥିଲା । ପୋଲିସ ଚଢାଉ କରି ୧୩୭ ଟି ବାଇକ୍, ୧୨୭ ଗୋଟି ମୋବାଇଲ୍ ଓ ନଗଦ ୩ ଲକ୍ଷ ୬୧ ହଜାର ଦୁଇ ଶହ ଟଙ୍କା ସହ ଗାଡ଼ିର କାଗଜ ପତ୍ର ଜବତ କରିଛି । ଏମିତି କି ନିରୀହ ଲୋକ ଙ୍କ ଅସୁବିଧା ଦେଖି ଦଶ ଟଙ୍କିଆ ଓ ୨୦ ଟଙ୍କିଆ ଷ୍ଟାମ୍ପ ପେପର ରେ କିଛି ନଲେଖି ଶେଷ ଭାଗରେ ଦସ୍ତଖତ କରାଇ ଦାମୀ ଦାମୀ ଜିନିଷ ବେଆଇନ ଭାବେ ବନ୍ଧକ ରଖି ଥାନ୍ତି ଅଭିଯୁକ୍ତ ଜଣକ । ନିରୀହ ଲୋକେ ବାଇକ ମୋବାଇଲ ବନ୍ଧକ ରଖି ଜୁଆ ଅଡ୍ଡାରେ ଟଙ୍କା ଲଗାଇଥାନ୍ତି । ଯାହାର ସୁଯୋଗ ନେଇ ବର୍ଷ ବର୍ଷ ଧରି ଏମିତି ଲୋକଙ୍କୁ ଠକି ଚାଲିଥିଲା ଅଭିଯୁକ୍ତ ଜଣକ । ଯାହାକୁ ନେଇ ଆଜି ଅଡବା ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତଙ୍କ ନାମରେ ଠକେଇ, ଜାଲିଆତି, ଅପହରଣ ଓ ବିଶ୍ୱାସ ଘାତକତାରେ ମାମଲା ରୁଜୁ କରାଯାଇଛି ।