ତୃତୀୟ ଥର ପାଇଁ ରାଜ୍ୟପାଳଙ୍କୁ ଭେଟିଲେ ବିଜୟ, ସରକାର ଗଠନ ପାଇଁ ଦାବି,କାଲି ହୋଇପାରେ…

ଚେନ୍ନାଇ,୮ା୫: ତାମିଲାଗା ଭେଟ୍ଟ୍ରି କାଝାଗମ୍‌ (ଟିଭିକେ) ମୁଖ୍ୟ ବିଜୟ ବାମଦଳର ସମର୍ଥନ ହାସଲ କରିବା ପରେ ଶୁକ୍ରବାର ସନ୍ଧ୍ୟାରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ ଲୋକ ଭବନରେ ଭେଟି ତାମିଲନାଡୁରେ ସରକାର ଗଠନ ପାଇଁ ଦାବି ଜଣାଇଛନ୍ତି। ଟିଭିକେକୁ ସିପିଆଇ ଏବଂ ସିପିଆଇ(ଏମ୍‌) ନିଃସର୍ତ୍ତ ସମର୍ଥନ ଦେଇଛନ୍ତି। ବିଜୟ ରାଜ୍ୟପାଳଙ୍କ ସହ ସରକାର ଗଠନ ନେଇ ଆଲୋଚନା କରୁଥିବାବେଳେ ତାଙ୍କ ସମର୍ଥକମାନେ ଲୋକ ଭବନ ବାହାରେ ରୁଣ୍ଡ ହୋଇଥିଲେ। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ବିଜୟ ଶନିବାର ପୂର୍ବାହ୍ନ ୧୧ଟାରେ ଶପଥ ନେବେ ବୋଲି ତାଙ୍କ ଦଳ ପକ୍ଷରୁ ଘୋଷଣା କରାଯାଇଛି।

୨୩୪ ଆସନ ବିଶିଷ୍ଟ ତାମିଲନାଡୁ ବିଧାନସଭା ନିର୍ବାଚନରେ ଟିଭିକେ ପ୍ରଥମ ଥର ପ୍ରତିଦ୍ୱନ୍ଦ୍ୱିତା କରି ୧୦୮ ଆସନରେ ବିଜୟୀ ହୋଇ ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭାହୋଇଥିବାବେଳେ ସଂଖ୍ୟାଗରିଷ୍ଠତାଠାରୁ ୧୦ ଆସନ ନିଅଣ୍ଟ ହେଉଥିଲା। ପୂର୍ବରୁ କଂଗ୍ରେସର ୫ ବିଧାୟକ ଟିଭିକେକୁ ସମର୍ଥନ ଜଣାଇଥିବାବେଳେ ସରକାର ଗଠନ ପାଇଁ ବିଜୟ ବାମଦଳ ଏବଂ ବିଦୁଥାଲାଇ ଚିରୁଥାଇଗଲ କାଟ୍‌ଚି (ଭିସିକେ) ସହାୟତା ଲୋଡ଼ିଥିଲେ। ଏହି ଦଳଗୁଡ଼ିକ ପୂର୍ବରୁ ଡିଏମ୍‌କେ ମେଣ୍ଟରେ ରହିଥିଲେ। ଉକ୍ତ ଦଳଗୁଡ଼ିକର ସମର୍ଥନ ସହ ବିଜୟ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ଯୋଗାଡ଼ କରିପାରିଛନ୍ତି। ବିଜୟ ପେରୁମ୍ବୁର ଏବଂ ତିରୁଚିରାପଲ୍ଲୀ ଇଷ୍ଟ ଆସନରୁ ଜିତିଥିବାରୁ ତାଙ୍କୁ ଗୋଟିଏ ଆସନରୁ ଇସ୍ତଫା ଦେବାକୁ ପଡ଼ିବ।

Dharitri – Odisha’s No.1 Odia Daily