ସଦ୍‌ଗୁଣାବଳୀର ସକ୍ରିୟ ଚିତ୍ର

ବ୍ୟକ୍ତିତ୍ୱର ସାରବାର୍ତ୍ତା ହିଁ ଚରିତ୍ର। ଏହା ଜୀବନର ମୌଳିକ ନୀତିନିୟମର ସମନ୍ବିତ ଓ ସକ୍ରିୟ ରୂପ। ଦିଗ ନିର୍ଣ୍ଣୟ ଯନ୍ତ୍ର ପରି ଚରିତ୍ର ମଣିଷର କାର୍ଯ୍ୟଧାରାକୁ ନିୟନ୍ତ୍ରଣ କରେ। ଚରିତ୍ର ନିଷ୍ପତ୍ତିର ନିୟାମକ। କର୍ମପଛର ପ୍ରେରଣା। ଶେଯରୁ ଉଠିବାଠାରୁ ଶେଯକୁ ଯିବାଯାଏ ଜୀବନର ପ୍ରତି କ୍ରିୟା ପ୍ରତିକ୍ରିୟା ଚରିତ୍ରର ଖେଳ। ଚରିତ୍ର ଆଖିର ଲେନ୍ସ, ଯାହା ଦ୍ୱାରା ଜଣେ ବାହାର ଦୁନିଆକୁ ଦେଖେ। ସଦାଚାର ଏକ ମୋହର, ଯାହା ଅନ୍ୟଠାରୁ ଜଣକୁ ଅଲଗା କରେ। ଶାଳୀନତା ସମ୍ପର୍କର ଅଠା। ବ୍ୟକ୍ତିର ରୂପ, ଗୁଣ, ପ୍ରକୃତି, ମନୋବୃତ୍ତି, ଆସକ୍ତି, ଅଭ୍ୟାସ, ସଚ୍ଚୋଟତା, ଅଖଣ୍ଡତା, ଦୟା, ସହାନୁଭୂତି, ସମ୍ବେଦନ, ଧୈର୍ଯ୍ୟ, ନମନୀୟତା, ପ୍ରତିରୋଧକ୍ଷମତା ଓ ଦୃଢ଼ତା- ଏ ସବୁ ସୁଗୁଣାବଳୀ ସଚ୍ଚରିତ୍ର ରୂପକ ବୃକ୍ଷର ଫଳ। ନୀତି ଓ ନୈତିକତା, ସତ୍ୟନିଷ୍ଠତା, ଉଦାରତା ଆଦି ଚରିତ୍ରର କଷଟି ପଥର। ସ୍ବଭାବ ଓ ଶୀଳ ଏହାର ଭିନ୍ନ ଭିନ୍ନ ନାମ। ବୟସ ଲିଙ୍ଗ ଜାତି ନିର୍ବିଶେଷରେ ସବୁକ୍ଷେତ୍ରରେ ଆଜି ଶୀଳ ଓ ଶାଳୀନତାର ଅଭାବ। ଆଚରଣ ଓ ବ୍ୟବହାରରେ ଦୋଷ ତ୍ରୁଟି ନ ଥିଲେ ତାହା ଶୀଳ ବୋଲି ଅମରକୋଷ(୪୩୫)ର ମତ: ଶୁଚୌ ତୁ ଚରିତେ ଶୀଳ। ଶାରୀରିକ ଗତିବିଧିରେ ନିୟନ୍ତ୍ରଣ, ମାନସିକ ସ୍ତରରେ ସକାରାତ୍ମକ ଉଚ୍ଚ ଚିନ୍ତା, ବୌଦ୍ଧିକ ସ୍ତରରେ ବିବେକ ବିଚାର, ଭାବଜଗତର ଆବେଗ ପ୍ରବଣତାରେ ସଂଯମ ଓ ଆଧ୍ୟାତ୍ମିକ ଚେତନାରେ ଉଦ୍‌ବୋଧ ସଚରିତ୍ରର ଲକ୍ଷଣ। ଉତ୍ତମ ଚରିତ୍ର ମଣିଷର ସ୍ଥିତିକୁ ଉଚ୍ଚତମ, ଜୀବନକୁ ଋଦ୍ଧିମନ୍ତ ଓ ଧନୀ କରିଥାଏ।
ଚରିତ୍ର ବ୍ୟକ୍ତିର ବାସ୍ତବ ପରିଚୟ। ଜୀବନର ମର୍ମ ଓ ମଞ୍ଜ। ଚିନ୍ତାର ନକ୍ସା ଓ ବ୍ୟବହାରର ଢାଞ୍ଚା ଜାତୀୟ ଜୀବନର ନମୁନା ଓ ଆଦର୍ଶ। ଗୁଣାବଳୀକୁ ବ୍ୟବହାର କରି ଜୀବନକୁ ପରିଚାଳନା କରିବା ପଦ୍ଧତି ଚରିତ୍ରର ନିର୍ଯାସ। ଧୈର୍ଯ୍ୟର ସହ ନୀରବରେ ଶୁଣି ହଂସଭଳି ଉପାଦେୟ ସାରାଂଶ ଗ୍ରହଣ କରିଥାଏ। ଜଣେ ଅନ୍ୟ ଜଣକ ସହିତ କେମିତି କଥା ହେଉଛି, କ’ଣ ଶବ୍ଦାବଳୀ ବ୍ୟବହାର କରୁଛି, ଅନ୍ୟମାନଙ୍କ ସହିତ କିପରି ଭାବ ବିନିମୟ କରୁଛି, ସେମାନଙ୍କ ସହିତ କିପରି ସଂଯୁକ୍ତ ହେଉଛି; ଗୋଟିଏ ନିର୍ଦ୍ଦିଷ୍ଟ ପରିସ୍ଥିତିରେ କିପରି ପ୍ରତିକ୍ରିୟା ପ୍ରକାଶ କରୁଛି, ବିଫଳତା ପରି ଆହ୍ବାନକୁ କିପରି ମୁକାବିଲା କରୁଛି, ଅବସର ସମୟ କେମିତି ବିତାଉଛି, ଆରାମ କେମିତି କରୁଛି, କ’ଣ ଅନୁଭବ କରୁଛି, ଅନ୍ୟମାନଙ୍କୁ କୋଉ ଦୃଷ୍ଟିଭଙ୍ଗୀରେ ଗ୍ରହଣ କରୁଛି, ତାହା ତା’ର ଚରିତ୍ରକୁ ସୂଚାଇଥାଏ। ପରିସ୍ଥିତିର ନିରୀକ୍ଷଣରୁ ଚରିତ୍ରର ବାସ୍ନା ବାରି ହୁଏ। ଚରିତ୍ର ଆମ ପ୍ରକୃତିର ସଂସ୍କରଣ। ବ୍ୟକ୍ତିତ୍ୱ ବାହାରକୁ ପ୍ରଦର୍ଶିତ ହେଲାବେଳେ ଚରିତ୍ର ଭିତରେ ଥାଏ।
ଚରିତ୍ର ଶକ୍ତିଶାଳୀ। ଚରିତ୍ରବାନ୍‌ ବ୍ୟକ୍ତି ସମାଜର ଆସ୍ଥା, ଆବଶ୍ୟକ, ଆକର୍ଷଣ ଆଉ ବିଶ୍ୱାସଭାଜନ। ସମାଜର ଫୁଲ ଓ ଫଳ। ଖେଳୁଆଡ଼ ମନୋବୃତ୍ତି ଥିଲେ ଜଣେ ହାର୍‌ଜିତରେ ମୃଦୁ ହସ ହସେ, ଝଗଡ଼ା କରେ ନାହିଁ। ସତ୍‌ପାତ୍ରଙ୍କ ଚରିତ୍ରରେ ଜନମନମୋହନ ଶକ୍ତି ଭରି ରହିଛି। ସେ ନିଜ ଗୁଣ ପ୍ରଭାବରେ ଅଗ୍ନିକୁ ଜଳରେ, ସାଗରକୁ ଗୋଟିଏ ନାଳରେ, ସୁମେରୁକୁ ଗୋଟିଏ ଛୋଟିଆ ଶିଳାରେ, ମୃଗରାଜ ସିଂହକୁ ଗୋଟିଏ ହରିଣରେ, ସାପକୁ ଏକ ଫୁଲମାଳାରେ ଓ ବିଷକୁ ଅମୃତରେ ପରିଣତ କରିପାରେ (ନୀତିଶତକମ୍‌-୧୦୯)ା ତା’ ପାଇଁ ଧନୋପାର୍ଜନ ସୁଲଭ। ଦାନଧର୍ମ କରି ସେ ପରମ ଆତ୍ମତୃପ୍ତି ଲାଭ କରିଥାଏ : ପାତ୍ରତ୍ୱାତ୍‌ ଧନମାପ୍ନୋତି ଧନାଦ୍‌ ଧର୍ମଂ ତତଃ ସୁଖମ୍‌ (ମହାଭାରତ)ା ଚରିତ୍ରହୀନ ଶ୍ମଶାନ ତୁଳସୀ ପରି ବର୍ଜନୀୟ। ଦଂଶନ ପ୍ରକୃତି ହେତୁ ସାପର ମୂଲ୍ୟବାନ୍‌ ମଥାମଣି ଅବ୍ୟବହାର୍ଯ୍ୟ। ନୀତି ବିଶାରଦ ଭର୍ତ୍ତୃହରି କହନ୍ତି: ସଜ୍ଜନତା ଐଶ୍ୱର୍ଯ୍ୟର, ବାକ୍‌ ସଂଯମ ଶୂରବୀରର, ଶାନ୍ତିଭାବ ଜ୍ଞାନର ଓ ନମ୍ରତା ବିଦ୍ୱାନ୍‌ଙ୍କ ବାସ୍ତବ ଅଳଂକାର। ସେହିପରି ଧନୀର ସତ୍‌ପାତ୍ରରେ ଦାନ, ତପସ୍ବୀର କ୍ରୋଧ ନ କରିବା, ସାମର୍ଥ୍ୟବାନ୍‌ର କ୍ଷମା ଓ ଧାର୍ମିକର ଅକପଟ ବ୍ୟବହାର ପ୍ରକୃତ ଭୂଷଣ ହେଲାବେଳେ ସତ୍‌ଚରିତ୍ର ସମସ୍ତଙ୍କ ଅଳଂକାର : ଶୀଳଂ ପରଂ ଭୂଷଣମ୍‌ (୨/୮୩)ା ପଶୁ କେବଳ ଦେଖେ-ପଶ୍ୟତି ଇତି ପଶୁ, ଚିନ୍ତନ କରେ ନାହିଁ। ମଣିଷ ହେଉଛି ସଂବିତ୍‌ ବା ଚେତନାଯୁକ୍ତ ପ୍ରାଣୀ। ମନନ ଶକ୍ତି ଥିବାରୁ ସେ ମଣିଷ। ବିବେକଶକ୍ତିର ପ୍ରୟୋଗରେ ସମାଜ ସତ୍ୟ ଶିବ ସୁନ୍ଦର ହୋଇଥାଏ। ଅଶାଳୀନତା ଅପଯଶ ଆଣେ। ପ୍ରତ୍ୟେକ କାର୍ଯ୍ୟ ସ୍ବେଚ୍ଛାଚାର ନୁହେଁ, ବୈଶ୍ୱିକ ନିୟମ ଅନୁମୋଦିତ ହୋଇଥିବା ଆବଶ୍ୟକ।
ବ୍ୟକ୍ତି ପ୍ରକୃତି ଓ ବିଶ୍ୱ ପ୍ରକୃତି ମଧ୍ୟରେ ସୂକ୍ଷ୍ମାତିସୂକ୍ଷ୍ମ ଯୋଗସୂତ୍ର ଥିବା ହେତୁ ବ୍ୟକ୍ତି ପ୍ରକୃତି କଳୁଷିତ ଓ ବିକୃତ ହେଲେ ବିଶ୍ୱ ପ୍ରକୃତିରେ ବିପର୍ଯ୍ୟୟ ଘଟେ। ଚରିତ୍ରର ବିକାଶ ଅବଶ୍ୟକାର୍ଯ୍ୟ। ଶୀଳ୍‌ ଧାତୁର ଅର୍ଥ ଅଭ୍ୟାସ କରିବା। ଚର୍‌ ଧାତୁରେ ଇତ୍ର ଯୋଗରେ ଚରିତ୍ର ଓ ଆ ଉପସର୍ଗ ଲାଗି ଆଚରଣ ଶବ୍ଦ ନିଷ୍ପନ୍ନ ହୁଏ। ବ୍ୟକ୍ତି ଉତ୍ତମ ଆଚରଣ ଅଭ୍ୟାସଯୋଗ ବଳରେ ସଚ୍ଚରିତ୍ରର ଅଧିକାରୀ ହୋଇପାରିବ। ଚରିତ୍ର ଶିକ୍ଷଣୀୟ ଓ ଅଭ୍ୟାସନୀୟ। ମନ, କଥା ଓ କାର୍ଯ୍ୟରେ ଏକରୂପତା ରକ୍ଷା କରି ସତ୍ୟଶୀଳ ହେବା ବାଞ୍ଛନୀୟ। ନିଜେ ନିର୍ଭୀକ ରହି ଅନ୍ୟକୁ ଅଭୟ ଦେବା ତଥା ଶୃଙ୍ଖଳା, ସଂଯମ, ଶାନ୍ତି, ମୈତ୍ରୀ, ଭ୍ରାତୃଭାବ, ଆପୋସ ବୁଝାମଣା, ଦୂରଦୃଷ୍ଟି, ପାରସ୍ପରିକତା, ସହନଶୀଳତା ଆଦି ସକଳ ମାନବୀୟ ସଦ୍‌ଗୁଣ ସ୍ବ ଆୟ କରିବା କାମ୍ୟ। ଦୃଷ୍ଟି ଅମୃତାୟିତ ହେଲେ ଜୀବନ ସମ୍ପ୍ରସାରିତ ହୁଏ ଦସ୍ୟୁ ରତ୍ନାକର ମହର୍ଷି ବାଲ୍ମୀକି ହେଲା ପରି। ଦୁଃସ୍ଥିତି ଓ ଦୁଃସମୟରେ ଧୈର୍ଯ୍ୟବାନ୍‌ ଓ ସହନଶୀଳ ହେଲେ ଚରିତ୍ରର ଚମତ୍କାରିତା ଓ ଔଜ୍ଜ୍ୱଲ୍ୟ ପ୍ରକାଶ ପାଏ। ସ୍ଖଳନରେ ଥାଏ ଶିକ୍ଷାର ସୁଯୋଗ। ସାଧନାରେ ସଫଳତା ଥାଏ, ସିଦ୍ଧିରେ ନୁହେଁ। ହଁ, କଷ୍ଟସାଧିତ ଚରିତ୍ର ସାମୟିକ ମୋହ ଓ ଦୁର୍ବଳତାରେ ନଷ୍ଟ ହୋଇ ନ ଯାଉ। ସମଗ୍ର ଜୀବନ ଏକ ସାଧନା। ସକାରାତ୍ମକ ଚିନ୍ତା ଆତ୍ମଚିନ୍ତନ ଓ ଅନୁଶୀଳନ ଚରିତ୍ର ବିକାଶର ଆଧାରଶିଳା। ହଁ, ମନେରଖିବାକୁ ହେବ, ଚରିତ୍ରର ବିକାଶ ଏକ ପ୍ରଗତି, ପୂର୍ଣ୍ଣତା ନୁହେଁ; ଏକ ଲକ୍ଷ୍ୟ ନୁହେଁ, ଏକ ଯାତ୍ରା।

  • ଡ. ଶରତ ଚନ୍ଦ୍ର ପରିଡ଼ା
    କାନନ ବିହାର, ପଟିଆ
    ମୋ: ୯୪୩୭୭୭୬୯୦୮

Enter your email to get our daily news in your inbox.

All Right Reserved By Dharitri.Com

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

ଏକତରଫା ମୂଲଚାଲ

ଦୁଇଦଶନ୍ଧିରୁ ଅଧିକ ସମୟ ଧରି ଭାରତକୁ ଏକ ନିରପେକ୍ଷ ଭାଗୀଦାରି ଭାବେ ଆମେରିକା ବିବେଚନା କରିଆସିଛି। ଭାରତର ବିକାଶଶୀଳ ଶକ୍ତି, ଦକ୍ଷତାସମ୍ପନ୍ନ ମିଲିଟାରି ଏବଂ ଗଣତାନ୍ତ୍ରିକ ପରିଚୟ…

ଚଉପାଢ଼ିର ନୀରବତା

ଧୁନିକତା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସୁବର୍ଣ୍ଣ ଯୁଗ ଭାବରେ ଅଭିହିତ ଏକବିଂଶ ଶତାବ୍ଦୀରେ ମୋବାଇଲ, ଇଣ୍ଟରନେଟ, ସାମାଜିକ ଗଣମାଧ୍ୟମ, କୃତ୍ରିମ ବୁଦ୍ଧିମତ୍ତା ଆଦି ମାଧ୍ୟମରେ ସମଗ୍ର ବିଶ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri