ସକ୍ରିୟ ମାମଲା ୮ ଲକ୍ଷ ତଳେ…

ନୂଆଦିଲ୍ଲୀ, ୧୦।୨ : ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ଏହା ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟା କମିଛି। ଏହି ସମୟରେ ଦୈନିକ ସଂକ୍ରମଣ ୬୭ ହଜାର ୮୪ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଏହି ସମୟ ମଧ୍ୟରେ ଦେଶରେ କରୋନାରେ ୧,୨୪୧ ଜଣଙ୍କ ମୃତ୍ୟୁ ଘଟିଛି।

ସେହିପରି ଗତ ୨୪ ଘଣ୍ଟାରେ ୧ ଲକ୍ଷ ୬୭ ହଜାର ୮୮୨ ଜଣ ସୁସ୍ଥ ହୋଇଛନ୍ତି। ଅପରପକ୍ଷରେ ସକ୍ରିୟ ମାମଲା ୮ ଲକ୍ଷ ତଳେ ପହଞ୍ଚିଛି। ଏହି ସମୟରେ ସକ୍ରିୟ ମାମଲାର ୭ ଲକ୍ଷ ୯୦ ହଜାର ୭୮୯ ରେ ପହଞ୍ଚିିଛି। ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୬ ହଜାର ୫୨୦ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୨୪ ଲକ୍ଷ ୭୮ ହଜାର ୬୦ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୧୧ ଲକ୍ଷ ୮୦ ହଜାର ୭୫୧ ଜଣ ସୁସ୍ଥ ହୋଇ ସାରିଛନ୍ତି।

ଗତ ୨୪ ଘଣ୍ଟାରେ ଦେଶର ୬ଟି ରାଜ୍ୟ ମଧ୍ୟରେ କେରଳର ସର୍ବାଧିକ ୨୩,୨୫୩ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ମହାରାଷ୍ଟ୍ରରେ ୭,୧୪୨, କର୍ନାଟକରେ ୫,୩୩୯, ତାମିଲନାଡୁରେ ୩,୯୭୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜସ୍ଥାନରେ ୩,୭୨୮ ଏବଂ ଗୁଜୁରାଟରେ ୨,୫୬୦ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସୂଚନାଯୋଗ୍ୟ, ସମ୍ପ୍ରତି ଦେଶରେ ଟିକାକରଣ ସଂଖ୍ୟା ୧୭୧ କୋଟି ୩୦ ଲକ୍ଷ ଟପିଛି। ସେଥିମଧ୍ୟରେ ୯୦ କୋଟି ୨୦ ଲକ୍ଷରୁ ଅଧିକ ପ୍ରଥମ ଡୋଜ୍‌ ଥିବାବେଳେ ୭୩ କୋଟି ୩୦ ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ୍‌ ରହିଛି।

Share