ଖିଲାପୀ ଅଧିକାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର, ୧୬।୪ (ବ୍ୟୁରୋ): ଚଳିତ ଆର୍ଥତ୍କ ବର୍ଷ ଆରମ୍ଭରୁ ରାଜସ୍ବ ଆଦାୟ ଉପରେ ଗୁରୁତ୍ୱ ଦେଉଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)। ଗତ ୨୦୨୧-୨୨ ଆର୍ଥତ୍କ ବର୍ଷରେ ରେକର୍ଡ ପରିମାଣର ୧୫୦ କୋଟି ୫୧ଲକ୍ଷ ୮୫ହଜାର ୫୩ କୋଟି ଟଙ୍କା ରାଜସ୍ବ ଆଦାୟ କରାଯାଇଥିବାବେଳେ ଏଥିରୁ ପ୍ରାୟ ୬୨କୋଟି ୫୦ଲକ୍ଷ ୨୮ ହଜାର ୪୨୯ ଟଙ୍କା କେବଳ ହୋଲ୍ଡିଂ ଟିକସରୁ ଆସିଥିଲା। ତେବେ ଚଳିତ ୨୦୨୨-୨୩ ବର୍ଷରେ ରାଜସ୍ବ ଆଦାୟକୁ ଆହୁରି ବଢାଇବା ପାଇଁ ବିଏମ୍‌ସି ଯୋଜନା କରୁଛି। ବିଭିନ୍ନ ରାଜସ୍ବ ବାବଦକୁ ପ୍ରାୟ ୨ଶହ କୋଟି ଟଙ୍କା ଆଦାୟ କରିବାକୁ ଲକ୍ଷ୍ୟ ରଖିଛି। ରାଜସ୍ବ ଆଦାୟରେ ହୋଲ୍ଡିଂ ଟିକସ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ତୁଲାଉ ଥିବାରୁ ଏହାକୁ ତ୍ୱରାନ୍ବିତ କରାଯିବ। ଏଥିପାଇଁ ବିଏମ୍‌ସି କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ଯାଉଛି। ବିଏମ୍‌ସି ରାଜସ୍ବ ବିଭାଗର ଯେଉଁ କର୍ମଚାରୀ କିଛି ଅବହେଳା କରିବେ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏପରିକି ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ଥାନାରେ ମାମଲା ଦାୟର କରାଯାଇପାରେ। ଯେଉଁ ଓ୍ବାର୍ଡ ଅଫିସର ନିଜ ନିଜ ଅଞ୍ଚଳରେ ନିର୍ମାଣ ହୋଇଥିବା ନୂଆ ଘରକୁ ହୋଲ୍ଡିଂ ଟିକସ ପରିସରର୍ଭୁକ୍ତ କରି ନାହାନ୍ତି ସେମାନଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯିବ। ଗତ ୧୧ ତାରିଖ ରାଜସ୍ବ ବିଭାଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବାବେଳେ ଏବେ ବିଏମ୍‌ସି କମିଶନର ସଞ୍ଜୟ କୁମାର ସିଂ ପଦକ୍ଷେପ ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି।
ପ୍ରତିବର୍ଷ ଭୁବନେଶ୍ୱରରେ ସଂଖ୍ୟାଧିକ ଆବାସିକ ଘର ସହିତ ଆପାର୍ଟମେଣ୍ଟ ଗଢି ଉଠୁଛି। ତେଣୁ ସେହି ଅନୁପାତରେ ବିଏମ୍‌ସିର ହୋଲ୍ଡିଂ ଟିକସ ବାବଦରେ ରାଜସ୍ବ ମଧ୍ୟ ବୃଦ୍ଧି ପାଇବା କଥା। ମାତ୍ର କେତେଜଣ ଖିଲାପକାରୀ କର୍ମଚାରୀଙ୍କ ପାଇଁ ବିଏମ୍‌ସି ରାଜସ୍ବ ହରାଉଥିବା ଅଭିଯୋଗ ହେଉଛି। ଗତ ଆର୍ଥତ୍କ ବର୍ଷରେ ମଧ୍ୟ ବିଭିନ୍ନ ଓ୍ବାର୍ଡରେ ନିର୍ମାଣ ହୋଇଥିବା ଏକାଧିକ ନୂତନ ବିଲ୍ଡିଂ ଆସେସ୍‌ମେଣ୍ଟ କରାଯାଇ ନ ଥିବା ଜଣାପଡିଥିଲା। ଏହାଦ୍ୱାରା ବିଏମ୍‌ସି ବିପୁଳ କ୍ଷତି ସହିବା ସହ କେତେଜଣ କର୍ମଚାରୀ ମାଲାମାଲ ହୋଇଥିବା କର୍ତ୍ତୃପକ୍ଷଙ୍କ ନଜରକୁ ଆସିଥିଲା। ତେଣୁ ଯେଉଁ ଓ୍ବାର୍ଡ ଅଫିସର ଆସେସ୍‌ମେଣ୍ଟ ଲକ୍ଷ୍ୟ ପୂରଣ କରିପାରି ନାହାନ୍ତି, ସେମାନଙ୍କ ବିରୋଧରେ ଅଭିଯୋଗ ଦାୟର କରିବାକୁ କମିଶନର ନିର୍ଦ୍ଦେଶ ଜାରି କରିଥିବା ସୂଚନା ମିଳିଛି।