ନାକ ଉପରେ ବ୍ରଣ

ଡ. ସୁବାସ ଚନ୍ଦ୍ର ପାତ୍ର

ଯୁଦ୍ଧ ହେଉ ଅବା ଜୀବନ, ପ୍ରତ୍ୟେକ ସଂଗ୍ରାମ ପାଇଁ ଲୋଡ଼ା ସାହସ। ଅବଶ୍ୟ ଏ ଲଢ଼େଇରେ ସଫଳତା ପାଇଁ ଶାରୀରିକ ଅପେକ୍ଷା ଅଧିକ ଜରୁରୀ ମାନସିକ ଓ ନୈତିକ ସାହସ। ଶେଷୋକ୍ତ ଦୁଇଟିର ଅଭାବରେ ଶାରୀରିକ ସାହସ ଆହରିତ ଅନେକ ଗୌରବ, ସାଫଲ୍ୟ ଓ ସମୃଦ୍ଧି ଅବାନ୍ତର ହୋଇପଡ଼େ। ପ୍ରଖ୍ୟାତ ବ୍ରିଟିଶ୍‌ ସେନାଧ୍ୟକ୍ଷ ଓ୍ବିଲିୟମ ସ୍ଲିମ୍‌ ଏ ପ୍ରସଙ୍ଗରେ ଏକ କୌତୁକିଆ ଉଦାହରଣ ରଖିଛନ୍ତି।
ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର କଥା। କେତେ କେତେ ସୈନିକ ଯୁଦ୍ଧକ୍ଷେତ୍ରରେ ପ୍ରାଣପାତ କରୁଥିଲେ ତ ସୌଭାଗ୍ୟବଶତଃ କିଛି ଉପଯୁକ୍ତ ସମୟରେ ଚିକିତ୍ସା ପାଇ ବିକଳାଙ୍ଗ ହେଲେ ବି ସ୍ମୃତିଭରା ଏକ ଯୁଦ୍ଧୋତ୍ତର ଜୀବନଯାପନ କରୁଥିଲେ। ସୈନିକଟିଏ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ। ଗୋଡ଼ରେ ତାଙ୍କର ଗଭୀର କ୍ଷତଚିହ୍ନ ଥିଲା, ଯାହା ତାଙ୍କ ସର୍ବାଙ୍ଗକୁ ସଂକ୍ରମିତ କରିବାକୁ ବସିଥିଲା। ଡାକ୍ତର ଓ ନର୍ସଙ୍କ ଅକ୍ଳାନ୍ତ ପରିଶ୍ରମ ଓ ସେବା ଫଳରେ ସେ ଆସ୍ତେ ଆସ୍ତେ ସୁସ୍ଥ ହେବାକୁ ଲାଗିଲେ। ସର୍ବାଙ୍ଗ ସଂକ୍ରମଣର ଭୟ ମଧ୍ୟ ଅପସରି ଗଲା। ସୁସ୍ଥତାର ପଥରେ ଅଗ୍ରସର ହେଉଥିଲାବେଳେ ତାଙ୍କର ଧ୍ୟାନ କେନ୍ଦ୍ରୀଭୂତ ହେଲା ନାକ ଉପରେ ହଠାତ୍‌ ଉଦ୍ଭବ ଏକ ବ୍ରଣ ଉପରେ। ସବୁବେଳେ ସେହି ବ୍ରଣଟି ଉପରେ ହାତ ବୁଲାଉଥା’ନ୍ତି। ଡାକ୍ତର ଓ ନର୍ସଙ୍କୁ ପଚାରନ୍ତି, ‘ସୁସ୍ଥ ହୋଇ ଆସୁଥିଲା ବେଳେ ଏ ବ୍ରଣର ଆବିର୍ଭାବ କାହିଁକି?’ ସେମାନେ ଏହାକୁ ଗୁରୁତ୍ୱ ନ ଦେବାକୁ ଯେତେ କହିଲେ ବି ସେ ବୁଝୁ ନ ଥିଲେ। ତାଙ୍କ ମନରେ ସନ୍ଦେହ ହେବାକୁ ଲାଗିଲା ଡାକ୍ତର ବୋଧେ କିଛି ଲୁଚାଉଛନ୍ତି। ଏହା କ୍ୟାନ୍‌ସର ନୁହେଁ ତ? ସର୍ବାଙ୍ଗ ସଂକ୍ରମଣ ଏହି ବ୍ରଣ ମାଧ୍ୟମରେ ଆତ୍ମପ୍ରକାଶ କରିନି ତ? ଘଟଣାକ୍ରମେ ବ୍ରଣର ଆକାର ମଧ୍ୟ ବଢ଼ିଲା ଆଉ ଏ ସଂଶୟୀ ସୈନିକଙ୍କର ସନ୍ଦେହ ମଧ୍ୟ। ବେଳେବେଳେ ରାତିରେ ସମସ୍ତେ ଶୋଇଥିଲାବେଳେ ବିଛଣାରେ ବସି ସେ ବ୍ରଣ ଉପରେ ହାତ ବୁଲାଉଥା’ନ୍ତି। ଆସ୍ତେ ଆସ୍ତେ ସେ ନିଦ୍ରାହୀନତାର ଶିକାର ହେଲେ। ଦିନକୁ ଦିନ ଡାକ୍ତର ଓ ନର୍ସ ତାଙ୍କର ଅଯଥା ସଂକଟ ସୃଷ୍ଟିର ଉଦ୍ୟମକୁ ବିରକ୍ତିଭରା କଣ୍ଠରେ ନାପସନ୍ଦ କଲେ। ସେ ଧୀରେ ଧୀରେ ଏକାକୀ ହେବାକୁ ଲାଗିଲେ। ଦୁଶ୍ଚିନ୍ତା, ଏକଲାପଣ, ସନ୍ଦେହ, କଳ୍ପିତ ଦୁରାରୋଗ୍ୟ ରୋଗର ଆଗମନରେ ଛଟପଟ ହୋଇ ଦିନେ ରାତ୍ରିରେ ହୃଦ୍‌ଘାତର ଶିକାର ହୋଇ ପ୍ରାଣତ୍ୟାଗ କଲେ। ୱିଲିୟମ୍‌ ସ୍ଲିମ୍‌ ଦୁଃଖ ପ୍ରକାଶ କରି କହନ୍ତି, ”ଯେଉଁଥିରେ ତାଙ୍କର ମରିବାର ଥିଲା, ସେ ସେଥିରୁ ଆରୋଗ୍ୟ ହେଲେ ସତ, କିନ୍ତୁ ଏକ କାଳ୍ପନିକ ଅସୁସ୍ଥତା ତାଙ୍କ ପ୍ରାଣ ନେଇଗଲା।“
ଖାଲି ସେହି ସୈନିକ ନୁହେଁ, କଳ୍ପିତ ଅସୁସ୍ଥତା ଅବା ମୃତ୍ୟୁଯୋଗକୁ ନେଇ ବହୁତ ସତ୍ୟ ଘଟଣା ରହିଛି। ବହୁତ ଦିନ ତଳର କଥା। କୋଲକାତାର ସୌନ୍ଦର୍ଯ୍ୟପ୍ରେମୀ ବନ୍ଧୁଜଣକ। ଫୁଲପ୍ରେମୀ ଏହି ବଙ୍ଗାଳୀ ଭଦ୍ରଲୋକ ନିଜ ମୁଖ୍ୟଫାଟକ ଉପରେ ଫୁଲବହନ କରୁଥିବା ଏକ ଲତାଟି ମଡ଼େଇ ଦେଇଥିଲେ। ଲତା ମାଡ଼ିବାରେ ସହାୟକ ହେବ ବୋଲି ଅର୍ଦ୍ଧବୃତ୍ତାକାର ଲୁହା ଫ୍ରେମ ଉପରେ କିଛି କଣ୍ଟାବାଉଁଶ କଣି ବିଛା ହୋଇଥିଲା। ଦିନେ ଅଫିସ୍‌ ଗଲାବେଳେ ଲତାଗହଳରେ ସାପଟିଏ ଦେଖି ଶଙ୍କି ଯାଇଥିଲେ ସେ। ଆଉ ଦିନେ ଅଫିସ୍‌ ଗଲାବେଳେ ସେଇଥିରୁ ଫୁଲଟିଏ ତୋଳୁ ତୋଳୁ ତାଙ୍କ ଆଙ୍ଗୁଠିରୁ ରକ୍ତ ବାହାରିଲା। କ’ଣ ଗୋଟାଏ ଫୋଡ଼ି ହୋଇଗଲା ଭଳି ସେ ଅନୁଭବ କଲେ। ତୁରନ୍ତ ଘରକୁ ଫେରି ଧଇଁସଇଁ ହୋଇ ବସିପଡ଼ି ତାଙ୍କୁ ସାପ କାମୁଡ଼ି ଦେଲା ବୋଲି କହି ଅଳ୍ପ ସମୟ ପରେ ଅଚେତ ଗଲେ। ଡାକ୍ତରଖାନା ନିଆଗଲା। ରକ୍ତ ପରୀକ୍ଷା ହେଲା। ସେ ସେମିତି ଅଚେତ ହୋଇ ରହିଥା’ନ୍ତି। ତାଙ୍କରି ବିଛଣା ପାଖରେ ଅନ୍ୟ ଏକ ଟେବୁଲରେ ଡାକ୍ତରମାନେ ବସି ତାଙ୍କ ଅସୁସ୍ଥତା, ରକ୍ତ ପରୀକ୍ଷା ରିପୋର୍ଟର ସଠିକତା ବିଷୟରେ ଆଲୋଚନା କରୁଥା’ନ୍ତି। ହଠାତ୍‌ ଜଣେ ଯୁବଡାକ୍ତର ଚିତ୍କାର କରି ଜୋରରେ ଟେବୁଲ ବାଡ଼େଇ କହିଲେ, ”ମୁଁ ଦୃଢ଼ତାର ସହ କହୁଛି, ତାଙ୍କୁ ସାପ କାମୁଡ଼ି ନାହିଁ।“ ଠିକ୍‌ ଏତିକିବେଳେ ଏକ ଅଦ୍ଭୁତ ଦୃଶ୍ୟ ଦେଖାଗଲା। ଅଚେତ ଭଦ୍ରବ୍ୟକ୍ତି ଜଣକ ଉଠିପଡ଼ି ପଚାରିଲେ, ”ତା’ହେଲେ ମୋତେ ସାପ କାମୁଡ଼ି ନାହିଁ?“ ପରେ ଜଣାପଡ଼ିଲା କଣ୍ଟାବାଉଁଶର କଣ୍ଟା ଫୋଡ଼ିଯିବାଟାକୁ ସେ ସାପକାମୁଡ଼ି ଦେଲା ବୋଲି ଭାବିଥିଲେ।
ମଣିଷର କାଳ୍ପନିକ ଭୟ ଏହିପରି ମୃତ୍ୟୁର ଛାଇ ବା ଭୂତ ତିଆରି କରେ। କେତେବେଳେ କେତେବେଳେ ସେ ବଞ୍ଚତ୍ୟାଏ ତ କେତେବେଳେ ଛାଇ, ବାସ୍ତବତା ଉପରେ ଭାରିପଡ଼େ- ସେ ମୃତ୍ୟୁର ଶିକାର ହୁଏ। ବର୍ତ୍ତି ଯାଇଥିବା ବନ୍ଧୁଙ୍କର କାହାଣୀ ଏହିପରି। ହୃତ୍‌ସ୍ପନ୍ଦନର ଅନିୟମିତତା ସେ ଅନୁଭବ କରୁଥା’ନ୍ତି। ଆସ୍ତେ ଆସ୍ତେ ଦେହର ହୃତ୍‌ପିଣ୍ଡ ସହିତ ତାଳଦେଇ ମନର ହୃତ୍‌ପିଣ୍ଡର ଗତି ମଧ୍ୟ ବଢ଼ିଚାଲିଲା। ସେତେବେଳେ ମାଡ୍ରାସରେ ରହୁଥିବା ଡାକ୍ତର କବିପ୍ରସାଦ ମିଶ୍ରଙ୍କ ବହୁତ ନାମ। ହୃଦ୍‌ସମସ୍ୟା ବାବଦରେ ସେତେବେଳେ ଡ. ମିଶ୍ରଙ୍କ ଉପସଂହାରକୁ ଶେଷକଥା ବୋଲି କୁହାଯାଉଥିଲା। ସେହି ଶେଷକଥା ଶୁଣିବା ଆଶାରେ ସେ ସେଠିକି ଯାଇଥିଲେ। ଡା. ମିଶ୍ର ତାଙ୍କର ଆବଶ୍ୟକ ପରୀକ୍ଷା କଲେ ଏବଂ ଇଂଲିଶ୍‌ରେ ଧାଡ଼ିଟିଏ କହିଲେ, ”ୱାନ୍‌ ମେ ଡାଇ ୱିଥ୍‌ ଦିସ୍‌ ଡିଜିଜ୍‌, ବଟ୍‌ ନଟ୍‌ ଅଫ୍‌ ଦିସ୍‌ ଡିଜିଜ୍‌“। ଓଡ଼ିଆରେ ବୁଝାଇ ଦେଇ କହିଲେ, ‘ଏହି ରୋଗ ସହିତ ଜଣେ ମୃତ୍ୟୁବରଣ କରିପାରେ, କିନ୍ତୁ ଏ ରୋଗରୁ ନୁହେଁ।’
ଉପରଲିଖିତ ବ୍ରଣ, ଖାଲି ନାକ ଉପରେ ବସେ ନାହିଁ। ଏହାକୁ ଆମେ ପାର୍ଲାମେଣ୍ଟ, ବିଧାନସଭା, ଖରବକାଗଜ, ବ୍ୟବସ୍ଥା ଅବା ସାହିତ୍ୟ ପୃଷ୍ଠାର ଛାତି ଉପରେ ବସିବାର ଦେଖୁ, ଯେତେବେଳେ ଅପ୍ରସଙ୍ଗ ସବୁ ପ୍ରସଙ୍ଗ ପାଲଟେ। ନିଜର ବୁଡ଼ି ଯାଉଥିବା ରାଜନୈତିକ ଭବିଷ୍ୟତକୁ ସଜାଡ଼ିବାକୁ ହେଉ ଅବା ବ୍ୟକ୍ତିଗତ ଭାବରେ ନିଜର ପତିଆରାର ପ୍ରଦର୍ଶନ ପାଇଁ ହେଉ ଅବା ହନ୍ତସନ୍ତ କରୁଥିବା ସମସ୍ୟାଠୁ ଜନତାଙ୍କ ଧ୍ୟାନ ହଟେଇବାକୁ ହେଉ, ଉଭୟ ବିରୋଧୀ ଓ ଶାସକ ଦଳ ଏହି ନିରୀହ ବ୍ରଣଗୁଡ଼ିକୁ କ୍ୟାନସରଗ୍ରସ୍ତ ଆବୁ ରୂପରେ ସାଧାରଣରେ ଉପସ୍ଥାପନ କରନ୍ତି। ସମ୍ବାଦପତ୍ରଗୁଡ଼ିକ କଥା ଭିନ୍ନ। ଭାରତ ଭଳି ବିକାଶଶୀଳ ଦେଶରେ ଗଣମାଧ୍ୟମଗୁଡ଼ିକର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ରାଜନୈତିକ ବିଷୟବସ୍ତୁ। ଶିକ୍ଷା, ସ୍ବାସ୍ଥ୍ୟ, ସଂସ୍କୃତି, ପରିବେଶ, ଗ୍ରାମ୍ୟ ଦୃଶ୍ୟପଟରେ ଘଟୁଥିବା ନିୟତ ପରିବର୍ତ୍ତନ ଏବଂ ସେ ସବୁ ଆଧାରିତ ଆହ୍ବାନ ବେଶି ଗୁରୁତ୍ୱ ଲାଭ କରିପାରେ ନାହିଁ। ବ୍ୟବସ୍ଥା କଥା ନ କହିଲେ ଭଲ। ସମସ୍ତେ ଯେ ଯାହାର ମୁହଁ ଅବା ନାକ ଉପରେ ଥିବା ବ୍ରଣର ପ୍ରସାଧନୀ ଚିକିତ୍ସାରେ ବ୍ୟସ୍ତ। କାହାରି ବି ମୌଳିକ ବିକାଶର କିମ୍ବା ମୂଳ ପ୍ରସଙ୍ଗକୁ ଛୁଇଁବାର ଚିନ୍ତା ନାହିଁ। ଆପାତତଃ ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରକୁ ଦେଖିଲେ ଏହାହିଁ ଜଣାପଡ଼େ। ଉନ୍ନତ ପ୍ରଯୁକ୍ତି ବିଦ୍ୟା, ଜ୍ଞାନ କୌଶଳ, ଯନ୍ତ୍ରପାତିର ଦ୍ୱାହି ଦେଇ ସବୁକୁ ବିଶ୍ୱସ୍ତରୀୟ କରାଯାଉଅଛି ବୋଲି କୁହାଯାଉଥିଲାବେଳେ, ନା ଅଛନ୍ତି ଶିକ୍ଷାନୁଷ୍ଠାନରେ ଶିକ୍ଷକ, ନା ଚିକିତ୍ସାଳୟରେ ଡାକ୍ତର। ସାହିତ୍ୟରେ ଅନେକଙ୍କ ଲେଖାରେ ଭାରି ବିଳାସର ସହ ବ୍ରଣସାଉଁଳା ଚାଲିଛି; ତା’ର ପ୍ରସାଧନୀ ଉପଚାର ବି ଚାଲିଛି। ନିଜ ନିଜର ହାତୀଦାନ୍ତର ମୀନାରରେ ବେଶ୍‌ କିଛି ‘ସାଧକ’ ଆବଦ୍ଧ।
ଏବେ ଏହି ଅପ୍ରସଙ୍ଗରୂପକ ବ୍ରଣଗୁଡ଼ିକ ଏକ ଏକ ପାହାଡ଼ର ରୂପ ନେଲାଣି। ସେ ସୈନିକଟିଏ ସିନା ମୁଖ୍ୟକଥା ଛାଡ଼ି ଗୌଣକଥାରେ ନାକ ପୂରାଇ, ନିଜର ବିଚାରଶକ୍ତି ଅଭାବର ଶିକାର ହୋଇ ଜୀବନଠୁ ମୁକ୍ତି ପାଇଲେ; ସାଧାରଣ ସାମୂହିକ ଜୀବନରେ ଆମର ସେ ସୌଭାଗ୍ୟ ନାହିଁ। ଆପାତତଃ ଜାଣିବାରେ କେଉଁଟି ମୁଖ୍ୟ, କେଉଁଟି ଗୌଣ। ଯେଉଁମାନେ ମାର୍ଗଦର୍ଶନ ଓ ନିର୍ବାହର ଦାୟିତ୍ୱରେ ଅଛନ୍ତି, ସେମାନେ ଇଚ୍ଛାକୃତ ଭାବରେ ଏକ କୁହୁଡ଼ିର ପରଦା ଆମ ଆଗରେ ଟାଣିଦେଇ ଭୁଲ୍‌-ଠିକ୍‌, ଠିକ୍‌-ଭୁଲ୍‌ର ଭ୍ରମ ସୃଷ୍ଟି କରିଚାଲିଛନ୍ତି ଆମ ଭିତରେ। ଗୁରୁତର ଅସୁସ୍ଥତା ଓ ନାକ ଉପରେ ମାମୁଲି ବ୍ରଣର ଫରକ ଆମେ ଥରେ ବୁଝିଗଲେ, ସେମାନଙ୍କର ଗୁରୁତ୍ୱ, ଉପଯୋଗିତା ଓ ସେମାନଙ୍କ ଉପରେ ନିର୍ଭରଶୀଳତା ଆଉ ରହିବ କିପରି?
ପୂର୍ବତନ ଅଧ୍ୟକ୍ଷ, ଜେଲ୍‌ରୋଡ଼, ବାଲେଶ୍ୱର
ମୋ: ୯୪୩୭୩୭୬୨୧୯
subashbls56@gmail.com


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri