କିସ୍‌ର ଦୁଇଶାଖା ପରିଦର୍ଶନ କଲେ ଅଚ୍ୟୁତ ସାମନ୍ତ

ଭୁବନେଶ୍ୱର,୨୮।୧୧(ବ୍ୟୁରୋ): କିସ୍‌ ଭୁବନେଶ୍ୱରର ନୂଆ ଶାଖା କିସ୍‌-ବଲାଙ୍ଗୀର ଓ କିସ୍‌-ଭବାନୀପାଟଣାକୁ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ପରିଦର୍ଶନ କରିଛନ୍ତି। କେବଳ ଛାତ୍ରୀଙ୍କ ପାଇଁ ଉଭୟ କ୍ୟାମ୍ପସ୍‌ ଉଦ୍ଦିଷ୍ଟ ହୋଇଥିବାବେଳେ ଏଠାରେ ଚଳିତ ଶିକ୍ଷାବର୍ଷ ଆରମ୍ଭରୁ ଛାତ୍ରୀମାନେ ନାମ ଲେଖାଇଛନ୍ତି। ଶିକ୍ଷାଦାନ ଆରମ୍ଭ ହେବା ପରେ ଡ.ସାମନ୍ତ ଏହି ଦୁଇ କ୍ୟାମ୍ପସର ପରିଦର୍ଶନରେ ଯାଇଥିଲେ। ପ୍ରତିଷ୍ଠାତାଙ୍କୁ ପାଖରେ ପାଇ ଛାତ୍ରୀମାନେ ଖୁସି ଓ ଉତ୍ସାହିତ ହୋଇପଡ଼ିଥିଲେ। ଡ. ସାମନ୍ତ ଉଭୟ କ୍ୟାମ୍ପସ୍‌ ଓ ହଷ୍ଟେଲ ବୁଲି ଦେଖିବା ସହ ପିଲାଙ୍କ ପାଠପଢ଼ା, ଖାଦ୍ୟପେୟ ଆଦି ବିଷୟରେ ପଚାରି ବୁଝିଥିଲେ। ଏହି ଅବସରରେ ସେ ଛାତ୍ରୀମାନଙ୍କୁ ଖାଦ୍ୟ ପରଷିଥିଲେ। ଆଲୋଚନା ସମୟରେ ସେମାନଙ୍କୁ ଠିକ୍‌ ସମୟରେ ଖାଦ୍ୟ, ସ୍ବାସ୍ଥ୍ୟ, କ୍ରୀଡ଼ା ଓ ଶିକ୍ଷାଦାନ କରାଯାଉଥିବା ଛାତ୍ରୀମାନେ ପ୍ରକାଶ କରିଥିଲେ। ଛାତ୍ରୀଙ୍କ ଉପଯୁକ୍ତ ଯତ୍ନ ନେବା ପାଇଁ ଉଭୟ କ୍ୟାମ୍ପସ୍‌ରେ କାର୍ଯ୍ୟରତ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ବୁଝାଇଥିଲେ।
ସୂଚନାଯୋଗ୍ୟ, ବଲାଙ୍ଗୀର କ୍ୟାମ୍ପସରେ କେବଳ ବଲାଙ୍ଗୀର ଜିଲାର ଗରିବ ଜନଜାତି ଛାତ୍ରୀ ଓ ଭବାନୀପାଟଣାରେ କେବଳ କଳାହାଣ୍ଡି ଜିଲାର ଗରିବ ଜନଜାତି ଛାତ୍ରୀମାନେ ପଢୁଛନ୍ତି। ପ୍ରଥମ ପର୍ଯ୍ୟାୟରେ ଉଭୟ କ୍ୟାମ୍ପସ୍‌ରେ ୧୨ଶହ ଛାତ୍ରୀ ପଢୁଛନ୍ତି। ସେଠାରୁ ଦଶମ ପରୀକ୍ଷା ଉତ୍ତୀର୍ଣ୍ଣ ହେବା ପରେ ସେମାନେ କିସ୍‌ ଭୁବନେଶ୍ୱରରେ ଉଚ୍ଚଶିକ୍ଷା ଲାଭ କରିବେ। ଡ. ସାମନ୍ତଙ୍କ ଏହି ପରିଦର୍ଶନ ସମୟରେ ଉଭୟ କ୍ୟାମ୍ପସରେ ସମ୍ପୃକ୍ତ ଜିଲାର ପୁରାତନ କିସ୍‌ ଛାତ୍ରୀଛାତ୍ର ତାଙ୍କୁ ସାକ୍ଷାତ କରିଥିଲେ। ସେମାନେ କିସ୍‌ରୁ ଶିକ୍ଷା ଲାଭ କରି ବିଭିନ୍ନ କ୍ଷେତ୍ରରେ ଉଚ୍ଚ ପଦପଦବୀରେ ଅଧିଷ୍ଠିତ ହୋଇଥିବା ଜାଣି ସାମନ୍ତ ଖୁସିବ୍ୟକ୍ତ କରିଥିଲେ।