ପାରଳାଖେମୁଣ୍ଡି,୨୭।୭(ଗିରିଧାରୀ ପରିଛା) : ବହୁଚର୍ଚ୍ଚିତ ଏସିଏଫ୍ ସୋମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଆଇନର ଫାଶରେ ଛନ୍ଦି ହୋଇଛନ୍ତି ତତ୍କାଳୀନ ଗଜପତି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା। ସୋମବାର ସେ ପାରଳାଖେମୁଣ୍ଡି ଏସଡିଜେଏମ୍ ଅଦାଲତରେ ଆତ୍ମସମର୍ପଣ କରିବା ପରେ ଦାଖଲ କରିଥିବା ଜାମିନ ଆବେଦନକୁ ଅଦାଲତ ଖାରଜ କରିଦେଇଛନ୍ତି । ଫଳରେ ତାଙ୍କୁ ନ୍ୟାୟିକ ହାଜତକୁ ପଠାଯାଇଛି ।
ସୂଚନାଯୋଗ୍ୟ, ୨୦୨୧ ଜୁଲାଇ ୧୨ରେ ପାରଳାଖେମୁଣ୍ଡିସ୍ଥିତ ସରକାରୀ ବାସଭବନରେ ଏସିଏଫ୍ ସୋମ୍ୟରଞ୍ଜନ ମହାପାତ୍ର ଗୁରୁତର ଭାବେ ପୋଡ଼ି ଯାଇଥିଲେ। ପରଦିନ କଟକ ଏସସିବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ସାରା ରାଜ୍ୟରେ ବ୍ୟାପକ ଚର୍ଚ୍ଚାର ବିଷୟ ପାଲଟିଥିଲା। ସୋମ୍ୟରଞ୍ଜନଙ୍କ ପିତା ଅଭିରାମ ମହାପାତ୍ରଙ୍କ ଅଭିଯୋଗକୁ ଆଧାର କରି ପ୍ରଥମେ ସ୍ଥାନୀୟ ପୋଲିସ ମାମଲା ରୁଜୁ କରିଥିଲା। ପରେ ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା। କ୍ରାଇମବ୍ରାଞ୍ଚ ଦୀର୍ଘ ତଦନ୍ତ ପରେ ୮୦ ଜଣଙ୍କ ବୟାନ, କଲ୍ ଡିଟେଲ୍ ରେକର୍ଡ, ପୋଷ୍ଟମର୍ଟମ ରିପୋର୍ଟ, ଫରେନସିକ୍ ରିପୋର୍ଟ ଓ ଲାଇ ଡିଟେକ୍ସନ୍ ଟେଷ୍ଟ ଆଦିକୁ ଆଧାର କରି ଚାର୍ଜସିଟ୍ ଦାଖଲ କରିଥିଲା। ସେତେବେଳେ କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଥିଲା ଯେ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କ ବିରୋଧରେ ସୋମ୍ୟରଞ୍ଜନଙ୍କ ମୃତ୍ୟୁରେ ସମ୍ପୃକ୍ତିର ପ୍ରମାଣ ମିଳିନଥିଲା ଏବଂ ଘଟଣାଟି ଏକ ଦୁର୍ଘଟଣା ବୋଲି ତଦନ୍ତରେ ସାମ୍ନାକୁ ଆସିଥିଲା। ସେହି ସମୟରେ ପତ୍ନୀ ବିଦ୍ୟାଭାରତୀଙ୍କ ବିରୋଧରେ ଅବହେଳା ଅଭିଯୋଗରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା।
ତେବେ ସୋମ୍ୟରଞ୍ଜନଙ୍କ ପିତାଙ୍କ ପକ୍ଷରୁ ଦାଖଲ ପ୍ରତିବାଦ ଆବେଦନ (ପ୍ରୋଟେଷ୍ଟ ପିଟିସନ୍) ଉପରେ ବିଚାର କରି ପାରଳାଖେମୁଣ୍ଡି ଏସଡିଜେଏମ୍ ଅଦାଲତ ତତ୍କାଳୀନ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ସମତୁଲ୍ୟ ବ୍ୟବସ୍ଥା ପୂର୍ବତନ ଭାରତୀୟ ଦଣ୍ଡ ସଂହିତାର ଧାରା ୩୦୨ ଓ ୧୨୦-ବି ଅନୁଯାୟୀ ବିଚାର ଚାଲାଇବାକୁ ନିର୍ଦ୍ଦେଶ ଦେଇଥିଲେ। ପରେ ଅଭିଯୁକ୍ତମାନେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ମଧ୍ୟ ତଳ ଅଦାଲତରେ ବିଚାର ପ୍ରକ୍ରିୟା ଜାରି ରଖିବାକୁ କହିଥିଲେ। ମାମଲାର ଶୁଣାଣି ସମୟରେ ବାରମ୍ବାର ଅନୁପସ୍ଥିତ ରହିବାରୁ ଅଦାଲତ ୨୦୨୫ ଅଗଷ୍ଟ ୧୪ ରେ ସଂଗ୍ରାମ କେଶରୀ ବେହେରା ଓ ମନ୍ମଥ କୁମ୍ଭଙ୍କ ବିରୋଧରେ ଜାମିନବିହୀନ ଗିରଫ ପରୱାନା ଜାରି କରିଥିଲେ। ଦୀର୍ଘ ସମୟ ଧରି କୋର୍ଟରେ ହାଜିର ନହୋଇ ପରେ ସଂଗ୍ରାମ କେଶରୀ ବେହେରା ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ , ହାଇକୋର୍ଟରୁ ଜାମିନ ନପାଇ ୨୦୨୬ ଫେବୃୟାରୀ ୨ ତାରିଖରେ ସର୍ବୋଚ୍ଚ ନାୟାଳୟରେ ଏସପିଏଲ ପିଟିସନ ଦାଖଲ କରିଥିଲେ । ସର୍ବୋଚ୍ଚ ନ୍ୟାୟାଳୟ ତାହାକୁ ଭତ୍ସନା କରିବା ପରେ ପୁଣିଥରେ ହାଇକୋର୍ଟରେ ଆତ୍ମସମର୍ପଣ ପାଇଁ ସମୟ ପ୍ରାର୍ଥନା କରିଥିଲେ ।
୨୦୨୬ ଜୁଲାଇ ୧୪ ତାରିଖରେ ହାଇକୋର୍ଟ ଦୁଇ ସପ୍ତାହ ମଧ୍ୟରେ ତଳ ଅଦାଲତରେ ହିଁ ଆତ୍ମସମର୍ପଣ କରିବାକୁ ସୁଯୋଗ ଦେଇଥିଲେ । ସେହି ନିର୍ଦ୍ଦେଶ ଅନୁସାରେ ସୋମବାର ସଂଗ୍ରାମ କେଶରୀ ବେହେରା ପାରଳାଖେମୁଣ୍ଡି ଏସଡିଜେଏମ୍ ଅଦାଲତରେ ଆତ୍ମସମର୍ପଣ କରି ଜାମିନ ଆବେଦନ କରିଥିଲେ । ମାତ୍ର ଏସଡ଼ିଜେଏମ ଗାୟତ୍ରୀ ମିଶ୍ର ଜାମିନ ଆବେଦନ ଖାରଜ କରିଦେଇଥିବା ବେଳେ ସେ ଜିଲା ଅଦାଲତରେ ଜାମିନ ଆବେଦନ କରିଥିଲେ ସେଠାରେ ମଧ୍ୟ ଜାମିନ ଖାରଜ ହେବାରୁ ତାଙ୍କୁ ନ୍ୟାୟିକ ହାଜତକୁ ପଠାଇ ଦିଆଯାଇଛି । ଅନ୍ୟପକ୍ଷରେ ସହଅଭିଯୁକ୍ତ ମନ୍ମଥ ଅନ୍ୟପକ୍ଷରେ, ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ରୋଷେୟା ମନ୍ମଥ କୁମ୍ଭ ଏବେ ବି ଫେରାର ଥିବା ବେଳେ ପୋଲିସ ତାଙ୍କୁ ଗିରଫ କରିବାରେ ବିଫଳ ହୋଇଛି ।