ଏସିଏଫ୍‌ ମୃତ୍ୟୁ ଘଟଣା: ଡିଏଫ୍‌ଓ, ଗୁରାଣ୍ଡି ଓଆଇସି ହେବେ ଜେରା

ପାରଳାଖେମୁଣ୍ଡି,୨୨ା୭(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ ଭିନ୍ନ ମୋଡ଼ ନେବାରେ ଲାଗିଛି। ଘଟଣାର ୯ ଦିନ ପରେ ବି ମୃତ୍ୟୁ ରହସ୍ୟରୁ ପରଦା ହଟୁନି। ସୌମ୍ୟଙ୍କ ଶରୀରର ୯୦ ପ୍ରତିଶତ ପୋଡ଼ି ଯାଇଥିଲେ ମଧ୍ୟ ମେଡିକାଲ ନେବା ବେଳେ ଡିଏଫ୍‌ଓଙ୍କ କାର୍ଯ୍ୟାଳୟଠାରେ ଆମ୍ବୁଲାନ୍ସକୁ ଅଟକା ଯାଇଥିଲା। ଏହି ଘଟଣାରେ ତଦନ୍ତ ପରିସରକୁ ଆସୁଛନ୍ତି ଗୁରାଣ୍ଡି ଥାନା ଓଆଇସି ମମତା ପଣ୍ଡା ଓ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା। ଠିକ୍‌ ସମୟରେ ଉଭୟଙ୍କୁ ପଚରାଉଚରା କରାଯିବ ବୋଲି ଗଜପତି ଏସ୍‌ପି ତପନ କୁମାର ପଟ୍ଟନାୟକ କହିଛନ୍ତି।
ଅନ୍ୟପକ୍ଷରେ ତଦନ୍ତରେ ପୋଲିସକୁ ସହଯୋଗ କରିବା ପାଇଁ କ୍ରାଇମ୍‌ବ୍ରାଞ୍ଚର ୩ ଜଣିଆ ଟିମ୍‌ ମଙ୍ଗଳବାର ପାରଳାଖେମୁଣ୍ଡିକୁ ଆସିଛି। ଏହି ଟିମ୍‌ରେ ଜଣେ ସାଇବର ଏକ୍ସପର୍ଟ ମଧ୍ୟ ଅଛନ୍ତି। କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ବୁଧବାର ଏସ୍‌ପିଙ୍କ ସହ ଘଟଣା ଦିନଠାରୁ ଏ ପର୍ଯ୍ୟନ୍ତ ପୋଲିସ ତଦନ୍ତରେ କେଉଁ କେଉଁ ଦିଗକୁ ଅନୁଧ୍ୟାନ କରିଛି, ବର୍ତ୍ତମାନ ସୁଦ୍ଧା କ’ଣ ତଥ୍ୟ ସଂଗ୍ରହ କରାଯାଇଛି ଏବଂ ଆଗକୁ ତଦନ୍ତ କେଉଁ ଦିଗକୁ ଯିବ ସେ ନେଇ ଆଲୋଚନା କରିଛନ୍ତି। ସେପଟେ ବାଲେଶ୍ୱର ଜିଲା ଖଇରାରେ ସୌମ୍ୟଙ୍କ ପରିବାର ସଦସ୍ୟ ଓ ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଅନ୍ତର୍ଗତ ଗୌଡ଼ଗାଁରେ ନିଜ ବାପଘରେ ଥିବା ସୌମ୍ୟଙ୍କ ସ୍ତ୍ରୀ ବିଦ୍ୟାଭାରତୀଙ୍କୁ ଦୁଇ ଦିନ ଧରି ଜେରା କରିବା ପରେ ବୁଧବାର ଟିମ୍‌ ସହ ଫେରିଛନ୍ତି ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ। ସେ ପାଇଥିବା ତଥ୍ୟ ଉପରେ ତଦନ୍ତ ପ୍ରକ୍ରିୟା ଆଗକୁ ବଢ଼ିବ ବୋଲି ଜଣାପଡ଼ିଛି। ତଦନ୍ତ ଜାରି ରହିଥିବାରୁ କୌଣସି ଅଧିକ ତଥ୍ୟ ଦେବାକୁ ମନା କରିଛନ୍ତି ତଦନ୍ତକାରୀ ଅଧିକାରୀ ସ୍ବାଇଁ। ସନ୍ଧ୍ୟାରେ ଏସ୍‌ପି ତପନ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ତଦନ୍ତକାରୀ ଟିମ୍‌ ଓ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ସହ ମିଶି ଆଲୋଚନା କରିଛନ୍ତି। ସୌମ୍ୟଙ୍କ ମୃତ୍ୟୁ ଘଟଣାର ସବୁ ଦିଗକୁ ତର୍ଜମା କରାଯିବ ବୋଲି ଏସ୍‌ପି କହିଛନ୍ତି।