ବାପାଙ୍କ ତଣ୍ଟିଚିପି ଆତ୍ମସମର୍ପଣ କଲେ ପୁଅ

ବେଲପଡା,୧୧ା୧୧(ଡି.ଏନ.ଏ.): ବଲାଙ୍ଗୀର ଜିଲା ବେଲପଡ଼ା ଥାନା ଘାଗୁର୍ଲି ଗାଁରେ ପୁଅ ନିଜ ବାପାଙ୍କ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି  । ମୃତକ ହେଲେ ବୈକୁଣ୍ଠ ମାଝି(୫୮)। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ପୁଅ ମହେଶ୍ୱର ମାଝି(୨୫) ଥାନାରେ ଆତ୍ମସମର୍ପଣ କରିଛନ୍ତି। ବେଲପଡା ଥାନା ଆଇଆଇସି ବୁଲୁ ମୁଣ୍ଡା, ତହସିଲଦାର ପ୍ରଶାନ୍ତି ପଧାନ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ।
ଅଭିଯୋଗ ମୁତାବକ ବୁଧବାର ରାତିରେ ମହେଶ୍ୱର ମଦ୍ୟପାନ କରି ଘରକୁ ଆସିଥିଲେ। ବାପା ବୈକୁଣ୍ଠ ମଧ୍ୟ ନିଶା ସେବନ କରି ଘରେ ଥିଲେ। ପରିବାର ଲୋକେ ସମସ୍ତେ ଖାଇ ସାରିଥିଲେ। କୌଣସି କାରଣକୁ ନେଇ ବାପାପୁଅଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ମହେଶ୍ୱର ବାପାଙ୍କ ତଣ୍ଟି ଚିପି ଦେଇଥିଲେ। ପରିବାର ଲୋକେ ବୈକୁଣ୍ଠଙ୍କୁ ଉଦ୍ଧାର କରି ବେଲପଡା ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ସ୍ତ୍ରୀଙ୍କ ଏତଲାକୁ ଭିତ୍ତି କରି ଥାନାରେ ଏକ ମାମଲା ରୁଜୁ ହୋଇଛି। ଗୁରୁବାର ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ବୈକୁଣ୍ଠଙ୍କ ୪ ପୁଅ। ବଡପୁଅ ଅନ୍ୟତ୍ର ରହୁଥିବାବେଳେ ଅନ୍ୟ ୩ ପୁଅଙ୍କ ସହ ମା ବାପା ଘାଗୁର୍ଲିରେ ରହୁଥିଲେ।