ମାଲିକାନା ପରିବର୍ତ୍ତନକୁ ନେଇ ବ୍ୟବସାୟୀଙ୍କ ଗଳା କାଟିଦେଲେ ଅଭିଯୁକ୍ତ

ଉଦଳା,୨୫ା୧୧(ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଅଧୀନ ସମୀବୃକ୍ଷ ପର୍ଯ୍ୟଟନସ୍ଥଳୀ ନିକଟରେ ବ୍ୟବସାୟୀ ଚିତ୍ତରଞ୍ଜନ ବେହେରାଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ। ଗାଡ଼ି ମାଲିକାନା ସତ୍ତ୍ୱ ପରିବର୍ତ୍ତନକୁ ନେଇ ଅଭିଯୁକ୍ତମାନେ ତାଙ୍କ ଗଳା କାଟି ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ପାଇଁ ଗାତ ଖୋଳି ପୋତି ଦେଇଥିବା ଏକ ଖବରଦାତା ସମ୍ମିଳନୀରେ ଏସ୍‌ଡିପିଓ ସାର୍ଥକ ରାୟ ସୂଚନା ଦେଇଛନ୍ତି। ହତ୍ୟାକାଣ୍ଡରେ ସମ୍ପୃକ୍ତ ବାଲେଶ୍ୱର ଜିଲା ଶିଳ୍ପାଞ୍ଚଳ ଥାନା ଅଞ୍ଚଳର ହୋଟେଲ ମାଲିକ ପ୍ରଫୁଲ୍ଲ ବେହେରା, କପ୍ତିପଦା ଥାନା ଦେବଳା ଅଞ୍ଚଳର ଜୟଚନ୍ଦ୍ର ସିଂ ଓ ରସା ମୋହନ ସିଂଙ୍କୁ ପୋଲିସ କୋର୍ଟଚାଲାଣ କରିଛି। ଅନ୍ୟଜଣେ ଅଭିଯୁକ୍ତ ଫେରାର ଥିବାରୁ ତାଙ୍କୁ ଧରିବା ପାଇଁ ପୋଲିସ ତନାଘନା ଚଳାଇଛି।
ସୂଚନା ଅନୁଯାୟୀ, ବ୍ୟବସାୟୀ ଚିତ୍ତରଞ୍ଜନ ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ଅଧୀନ ଜାନୁଗଞ୍ଜ ଗୋଲେଇ ନିକଟରେ ରହୁଥିଲେ। ସେ ପୁରୁଣା ଯାନବାହନ କ୍ରୟବିକ୍ରୟ, ବାଲି, ଇଟା ଆଦି ବ୍ୟବସାୟ କରୁଥିବା ବେଳେ ତାଙ୍କ ସାଙ୍ଗ ତଥା ହୋଟେଲ ମାଲିକ ପ୍ରଫୁଲ୍ଲଙ୍କ ନିକଟରୁ ଏକ ୭୦୯ ଗାଡ଼ି କିଣିଥିଲେ। ଏହି ଗାଡ଼ିର ଟଙ୍କା ଚିତ୍ତରଞ୍ଜନ ସମ୍ପୂର୍ଣ୍ଣ ଦେଇ ନ ଥିବା ବେଳେ କିସ୍ତିରେ ଟଙ୍କା ଦେବେ ବୋଲି କଥା ହୋଇଥିଲା। ତେବେ ଗାଡ଼ିର ମାଲିକାନା ସତ୍ତ୍ୱ ପରିବର୍ତ୍ତନକୁ ନେଇ ପ୍ରଫୁଲ୍ଲ ଓ ଚିତ୍ତରଞ୍ଜନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଗତ ରବିବାର ସନ୍ଧ୍ୟାରେ ହୋଟେଲ ମାଲିକ ପ୍ରଫୁଲ୍ଲ ଭୋଜି କରିବା କହି ଚିତ୍ତରଞ୍ଜନଙ୍କୁ ଗାଡ଼ିରେ ବସାଇ କପ୍ତିପଦା ଥାନା ଅଧୀନ ସମୀବୃକ୍ଷ ଅଞ୍ଚଳକୁ ଆଣିଥିଲେ। ସେଠାରେ ତାଙ୍କର ଅନ୍ୟ ୩ ସାଙ୍ଗ ଅପେକ୍ଷା କରିଥିଲେ। ୫ ଜଣ ମିଶି ସମୀବୃକ୍ଷ ନିକଟରେ ରୁଟି ଏବଂ ମାଂସ ତରକାରୀ କରି ଖାଇଥିଲେ। ପରେ ପୂର୍ବ ଯୋଜନା ମୁତାବକ ସମସ୍ତେ ମିଶି ଚିତ୍ତ ରଞ୍ଜନଙ୍କ ଗଳାକୁ ଏକ କାଟୁରିରେ କାଟି ହତ୍ୟା କରିଥିଲେ। ୪ ଫୁଟର ଗାତ ଖୋଳି ନିକଟସ୍ଥ ଦେବଳା ବଜାରରୁ ୬ କେଜି ଲୁଣ କିଣି ଆଣି ମୃତଦେହରେ ପକାଇ ପୋତି ଦେଇଥିଲୋ। ପରେ ହତ୍ୟାକାରୀମାନେ ବାଲେଶ୍ୱର ଯାଇ ଚିତ୍ତରଞ୍ଜନଙ୍କ ଘର ସାମ୍ନାରେ ଲାଗିଥିବା ସିସିଟିଭି ହାର୍ଡଡିସ୍କ ଆଦି ଖୋଲି ଆଣି ଉଦଳା ଭୁରୁଡୁବଣି ନିକଟସ୍ଥ ବନ୍ଧରେ ଫୋପାଡ଼ି ଦେଇଥିଲେ। ଚିତ୍ତରଞ୍ଜନଙ୍କ ମୋବାଇଲ୍‌ ଓ ଏଟିଏମ୍‌ କାର୍ଡକୁ କାଠପାଳ ନିକଟ ସୋନ ନଦୀ ପାଖରେ ଫିଙ୍ଗି ଦେଇଥିଲେ। ହତ୍ୟା ଘଟଣାରେ ବ୍ୟବହୃତ କୋଡି ଓ ଶାବଳ ଜବତ ହୋଇଥିବା ବେଳେ କଟୁରି ଜବତ ହୋଇପାରିନାହିଁ।