ବହୁଚର୍ଚ୍ଚିତ ସମର୍ଥ ହତ୍ୟା ମାମଲା: ଡେମୋ ଦେଖାଇଲେ ଅଭିଯୁକ୍ତ

ଭେଡେନ,୨।୪(ଡି.ଏନ.ଏ.): ଝାରସୁଗୁଡାର ବହୁଚର୍ଚ୍ଚିତ ସମର୍ଥ ଅଗ୍ରୱାଲ ଅପହରଣ ଓ ହତ୍ୟା ମାମଲାରେ ପୋଲିସ ଦୁଇ ଅଭିଯୁକ୍ତ ଅମିତ ଶର୍ମା ଓ ଦିନେଶ ଅଗ୍ରୱାଲଙ୍କୁ ଗିରଫ କରି କୋର୍ଟଚାଲାଣ କରିବା ପରେ ତିନିଦିନିଆ ରିମାଣ୍ଡରେ ଆଣିଛି। ସମର୍ଥଙ୍କୁ ହତ୍ୟା ପରେ ଯେଉଁ ଜାଗାରେ ପୋଡ଼ି ଦିଆଯାଇଥିଲା ପୋଲିସ ରବିବାର ଅଭିଯୁକ୍ତଙ୍କୁ ସେଠାକୁ ନେଇ ସିନ୍‌ ରିକ୍ରିଏଟ୍‌ କରିଛି।

ସୂଚନା ମୁତାବକ, ରବିବାର ଝାରସୁଗୁଡା ପୋଲିସ ଅଭିଯୁକ୍ତଙ୍କୁ ପ୍ରଥମେ ବୁର୍ଲା ନେଇଥିଲା। ସେଠାରୁ ସେମାନଙ୍କୁ ଘଟଣାସ୍ଥଳ ବରଗଡ ଜିଲା ଭେଡେନ ଥାନା ଋଷୁଡା ଫାଣ୍ଡି ଅଧୀନ ଗୋଡଭଗା-ସୋନପୁର ୫୫ ନମ୍ବର ରାଜ୍ୟ ରାଜପଥର ବଇପୁର-ଝାଇଁଯୋର ପୋଲ ନିକଟକୁ ନିଆଯାଇଥିଲା। ସେଠାରେ ଅଭିଯୁକ୍ତଙ୍କ ଡେମୋ ସହ ସିନ୍‌ ରିକ୍ରିଏଶନ କରାଯାଇଥିଲା। ଅଭିଯୁକ୍ତମାନେ ସମର୍ଥଙ୍କୁ କିପରି ଅପହରଣ କରି ହତ୍ୟା କରିଥିଲେ ଏବଂ ମୃତଦେହକୁ ପୋଡ଼ି ଦେଇଥିଲେ ତା’ର ଡେମୋ ଦେଖାଇଛନ୍ତି। ଏହି ଘଟଣାରେ ପୋଲିସ ଆଉ ଜଣଙ୍କୁ ଅଟକ ରଖିଥିବା ବେଳେ ହତ୍ୟାରେ ଆଉ କାହାର ହାତ ରହିଛି ଖୋଳତାଡ କରୁଛି। ଏହି ହତ୍ୟା ଟଙ୍କା ପାଇଁ ନା ଅନ୍ୟ କାରଣ ରହିଛି ସେ ନେଇ ଅଧିକ ତଥ୍ୟ ସଂଗ୍ରହ କରୁଛି ପୋଲିସ।
ସୂଚନା ଯୋଗ୍ୟ, ଗତ ମାର୍ଚ୍ଚ ୨୮ ତାରିଖ ସକାଳେ ସ୍ଥାନୀୟ ଗ୍ରାମର ଜଣେ ଚାଷୀ ଧାନ କିଆରିକୁ ପାଣି ମଡାଇବାକୁ ଯାଇଥିବା ବେଳେ ଝାଇଁଯୋର ପୋଲ ନିକଟ ରାସ୍ତା କଡରେ ହଠାତ୍‌ ହୁତୁହୁତୁ ନିଆଁ ଜଳି ଉଠିଥିଲା। କିଛି ସମୟ ପରେ ଦୁଇ ଜଣ ବ୍ୟକ୍ତି ସେଠାରୁ ବାହାରି କିଛି ଦୂରରେ ଛିଡା ହୋଇଥିବା ଏକ ନୀଳ ରଙ୍ଗର କାର୍‌ରେ ବସି ସୋନପୁର ପଟକୁ ଦ୍ରୁତବେଗରେ ପଲାଇଥିଲେ। ସନ୍ଦେହ ହେବାରୁ ଚାଷୀ ଜଣଙ୍କ ଘଟଣାସ୍ଥଳକୁ ଯାଇ ଏକ ମୃତଦେହ ପୋଡୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଭେଡେନ ପୋଲିସ ସେଠାରେ ପହଞ୍ଚି ଅର୍ଦ୍ଧଦଗ୍ଧ ମୃତଦେହ ଜବତ କରିବା ସହ ଏକ ମାମଲା (ନଂ.୯୭/୨୩) ରୁଜୁ କରିଥିଲା।