ଗୋଟିଏ ପରିବାରର ୪ଜଣଙ୍କୁ ହତ୍ୟା, ଥାନାରେ ଆତ୍ମସମର୍ପଣ କଲେ ଅଭିଯୁକ୍ତ

ବରଗଡ଼ ଅଫିସ,୨୩।୫: ବରଗଡ଼ ଜିଲା ଭଟଲି ଥାନା ଅଧୀନ ଝିକିଝିକି ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଗୋଟିଏ ପରିବାରର ୪ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତକମାନେ ହେଲେ, ଗ୍ରାମର ଗୁରୁଦେବ ବାଗ(୫୫) ଏବଂ ତାଙ୍କର ସ୍ତ୍ରୀ ଶିବାଗ୍ରୀ(୪୮), ପୁଅ ଚୂଡାମଣି(୧୫) ଓ ଝିଅ ଶ୍ରାବଣୀ(୧୦) । ହତ୍ୟା ପରେ ମୃତଦେହକୁ ଏକ ଗୁହାଳରେ ଅଭିଯୁକ୍ତ ଲୁଚାଇ ରଖିଥିଲେ। ତେବେ ପୋଲିସ ମଙ୍ଗଳବାର ସକାଳେ ଘଟଣାସ୍ଥଳକୁ ପହଞ୍ଚି ଘଟଣାର ଛାନଭିନ୍‌ ଚଲାଇଛି। ଅନ୍ୟପକ୍ଷେ ଅଭିଯୁକ୍ତ ଜଣକ ପୋଲିସ ପାଖରେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି। ଅଭିଯୁକ୍ତ ଜଣକ ହେଲେ, ଉକ୍ତ ଗ୍ରାମର ଶିବ ବାଗ(୫୮)। ସେ ମୃତକଙ୍କ ଜଣେ ସମ୍ପର୍କୀୟ ହୋଇ ଥିବାବେଳେ ପାରିବାରିକ ବିବାଦରୁ ଏହି ହତ୍ୟାକାଣ୍ଡ ହୋଇଥିବାସାଧାରଣରେ ଚର୍ଚ୍ଚା ହେଉଛି।