ଦିଗପହଣ୍ଡି,୨୨ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମୁଖ୍ୟରାସ୍ତା ପୁରୁଣା ବସ୍ଷ୍ଟାଣ୍ଡ ନିକଟରେ ଜଣେ ଡାକ୍ତର ପ୍ରାର୍ଥ ସାରଥି ତ୍ରିପାଠୀଙ୍କୁ କାର୍ରୁ ଟାଣି ନେଇ ମରଣାନ୍ତକ ଆକ୍ରମଣ କରି ତାଙ୍କ ଓଠ ଫଟାଇ ଦାନ୍ତ ଭାଙ୍ଗିଦେବା ଘଟଣାରେ ସମ୍ପୃକ୍ତ ଜଣେ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।ସେ ହେଲେ ଦିଗପହଣ୍ଡି ଏନ୍ଏସି ୨ ନଂ ୱାର୍ଡ କାଳିଆ ନଗରର ଉମେଶ ମହାରଣା(୨୮)। କେସ୍ ନା ନଂ.୪୮୩/୨୬ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି।
ପୋଲିସର ସୂଚନାନୁଯାୟୀ, ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ନୂଆ ବସ୍ଷ୍ଟାଣ୍ଡ ନିକଟ ଅରବିନ୍ଦ ନଗର ପ୍ରଥମ ଲେନ୍ରେ ରହୁଥିବା ଡାକ୍ତର ପ୍ରାର୍ଥ ସାରଥି ଗଜପତି ଜିଲା ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କାର୍ଯ୍ୟରତ ଅଛନ୍ତି। ସେ ସେଠାରେ ସାଇକ୍ଲୋନ ଏମର୍ଜେନ୍ସି ଡ୍ୟୁଟି ସାରି ଶୁକ୍ରବାର ମଧ୍ୟାହ୍ନରେ କାର୍ ଯୋଗେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଅନ୍ୟ ଜଣେ ରୋଗୀଙ୍କ ଅପରେଶନ ପାଇଁ ଯାଉଥିଲେ। ଦିଗପହଣ୍ଡି ପୁରୁଣା ବସ୍ଷ୍ଟାଣ୍ଡ ନିକଟ ମୁଖ୍ୟରାସ୍ତାରେ ଜମିଥିବା ପାଣି ଛିଟିକା ୨ ଜଣ ଯୁବକଙ୍କ ଉପରେ ପଡ଼ିଥିଲା। ଉଭୟେ ଉତ୍ତେଜିତ ହୋଇ କାର୍ରେ ଥିବା ଡାକ୍ତରଙ୍କୁ ଗାଳି କରିଥିଲେ। ଡାକ୍ତର ଜଣକ ଉଭୟଙ୍କୁ ନିଜ ପରିଚୟ ଦେଇ ବୁଝାଇଥିଲେ ମଧ୍ୟ ସେମାନେ କିଛି ନ ଶୁଣି ତାଙ୍କୁ କାର୍ରୁ ବାହାରକୁ ଟାଣି ନେଇ ଶର୍ଟ ଚିରି ତାଙ୍କ ମୁହଁକୁ ବାରମ୍ବାର ମୁଥ ମାରିବାରୁ ଡାକ୍ତରଙ୍କ ଓଠ ଫାଟି ଦାନ୍ତ ଭାଙ୍ଗି ଯିବା ସହ ଆଖିର ତଳ ଭାଗକୁ ଭୀଷଣ ଆଘାତ ହୋଇ ରକ୍ତ ବାହାରିଥିଲା। ପରେ ଅଭିଯୁକ୍ତ ଉମେଶ ତାଙ୍କ ସ୍କୁଟି (ଓଡି ୦୭ ଏଏସ -୬୪୮୪) ଯୋଗେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ମାଡ଼ ମାରିଥିବା ଅନ୍ୟ ଜଣେ ଯୁବକ ମଧ୍ୟ ତାଙ୍କ ବାଇକ୍ରେ ପଳାଇଥିଲେ। ଡାକ୍ତର ଜଣକ ନିରୁପାୟ ହୋଇ ରକ୍ତାକ୍ତ ଅବସ୍ଥାରେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ଚିକିତ୍ସା ହେବା ପରେ ଥାନାରେ ପହଞ୍ଚି ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ଆଇଆଇସି କିଶୋର କୁମାର ସାମଲ ଅଭିଯୁକ୍ତ ଦ୍ୱୟଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ଘଟଣାରେ ସମ୍ପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଚିହ୍ନଟ କରାଯିବ। ଗିରଫ ଅଭିଯୁକ୍ତ ଉମେଶଙ୍କ ନାଁରେ ଦିଗପହଣ୍ଡି ଥାନାରେ ପୂର୍ବରୁ ଏକ ଆପରାଧିକ ମାମଲା ରହିଥିବା ଆଇଆଇସି କହିଛନ୍ତି।