ଭିତ୍ତିଭୂମି ନିର୍ମାଣର ଉତ୍ତରଦାୟିତ୍ୱ

ବିଖ୍ୟାତ ଅର୍ଥନୀତି ପ୍ରଫେସର ଲିଓନେଲ ରୋବିନସଙ୍କ ମତରେ ମନୁଷ୍ୟର ଆବଶ୍ୟକତା ଅସୀମିତ ଓ ସେହି ଆବଶ୍ୟକତାଗୁଡ଼ିକୁ ପୂରଣ କରିବା ପାଇଁ ସମ୍ବଳ ସର୍ବଦା ସୀମିତ। ଏହା ଯେ କେବଳ ବ୍ୟକ୍ତିବିଶେଷ ପାଇଁ ପ୍ରଯୁଜ୍ୟ ତାହା ନୁହେଁ, ଏହା ଗ୍ରାମପଞ୍ଚାୟତଠୁ ଆରମ୍ଭକରି ଜିଲା, ରାଜ୍ୟ, ଦେଶ ଓ ବିଶ୍ୱସ୍ତର ପାଇଁ ପ୍ରଯୁଜ୍ୟ। ଆମ ରାଜ୍ୟ ଓଡ଼ିଶା ଭାରତବର୍ଷର ଅଷ୍ଟମ ବୃହତ୍ତମ ରାଜ୍ୟ ହେଲେ ମଧ୍ୟ ମୁଣ୍ଡ ପିଛା ଘରୋଇ ଉତ୍ପାଦରେ (୨୦୨୧-୨୨) ଆମେ ଦେଶର ରାଜ୍ୟଗୁଡ଼ିକ ତାଲିକାରେ ୧୭ତମ ସ୍ଥାନରେ ଅଛୁ। ସେହିପରି ଆମର ନାନାବିଧ ବିକାଶ କାର୍ଯ୍ୟକ୍ରମ ବଜାୟ ରଖିବା ପାଇଁ ଆମ ରାଜ୍ୟରେ ପର୍ଯ୍ୟାପ୍ତ ସମ୍ବଳ ଅଭାବରୁ ଆମକୁ ପ୍ରତିବର୍ଷ ଋଣ କରିବାକୁ ପଡୁଛି। ରାଜ୍ୟର ସମସ୍ତ ଋଣକୁ ହିସାବକୁ ନେଲେ, ଜଣାଯାଏ ଯେ ୨୦୨୧-୨୨ରେ ଆମର ମୁଣ୍ଡପିଛା ଋଣ ଟ୨୨୦୪୨.୦୦ ଥିଲା। ଅର୍ଥାତ ଓଡ଼ିଶାର ପ୍ରତ୍ୟେକ ଅଧିବାସୀ ସେ ଧନୀ ହୁଅନ୍ତୁ କିମ୍ବା ଗରିବ ହୁଅନ୍ତୁ ସମସ୍ତଙ୍କ ମୁଣ୍ଡରେ ଟ ୨୨୦୪୨.୦୦ର ଋଣ ଲଦା ହୋଇଛି ଓ ଏହା ପ୍ରତିବର୍ଷ ବଢ଼ିବାରେ ଲାଗିଛି, ଯାହାକୁ ବର୍ତ୍ତମାନ ଓ ଭବିଷ୍ୟତରେ ସରକାରଙ୍କୁ ପରିଶୋଧ କରିବାକୁ ପଡ଼ିବ ସୁଧ ମୂଳ ସହିତ। ଏହି ବୋଝ ମଧ୍ୟ ରାଜ୍ୟବାସୀଙ୍କୁ ବୋହିବାକୁ ପଡ଼ିବ ବର୍ଦ୍ଧିତ ଟିକସ ହିସାବରେ। ସମସ୍ତ ଜନସାଧାରଣ ଏ ବିଷୟରେ ଅବଗତ ହେବା ଜରୁରୀ। ପ୍ରଶ୍ନ ଉଠେ , ଆମର ଯେଉଁ ସୀମିତ ସମ୍ବଳ ଅଛି, ସେ ସବୁର ସଦୁପଯୋଗ ହେଉଛି ତ ? କାରଣ ଯେତେ ଟଙ୍କା ଥିଲେ ବି ସେ ସବୁର ସଦୁପଯୋଗ ନ ହେଲେ, ନିଅଣ୍ଟ ପଡ଼ିବା ସାଭାବିକ।
ଆଉ ଏକ କଥା ହେଲା, ବିକାଶ ପାଇଁ ଯେଉଁ ଋଣ କରୁଛୁ ତା’ର ସଦୁପଯୋଗ ହେଉଛି ତ? ସାଧାରଣତଃ ଋଣ ଟଙ୍କାରେ ସେ ସବୁ କାର୍ଯ୍ୟ କରିବା ଉଚିତ, ଯଦ୍ଦ୍ବାରା ଏହା ଅର୍ଥନୀତି ଅଭିବୃଦ୍ଧିରେ ସହାୟକ ହେବ। ଅନ୍ୟ ଅର୍ଥରେ ଆମେ ଋଣ ଟଙ୍କାକୁ ଏମିତି ବିନିଯୋଗ କରିବା ଉଚିତ, ଯେଉଁଥିରୁ ଜିନିଷ ଓ ରୋଜଗାର ସୃଷ୍ଟି ହୋଇପାରିବ? ତା’ ନ କରି ଯଦି ଆମେ ସ୍ଥୂଳ ନିବେଶ ବା ଅଳସୁଆ ନିବେଶ କରିବା, ସେଥିରୁ ଆଉ ଜିନିଷ ବା ଦ୍ରବ୍ୟ ଓ ରୋଜଗାର ସୃଷ୍ଟି ହେବ ନାହିଁ। ଫଳରେ ରାଜ୍ୟ ଅର୍ଥନୀତିରେ ଆଉ ବୃଦ୍ଧି ହେବ ନାହିଁ। ସେ ଯାହା ହେଉ ଗୋଟିଏ କଥାରେ ସମସ୍ତେ ସହମତ ହେବେ ଯେ, ରାଜ୍ୟର ନିଜସ୍ବ ହେଉ କିମ୍ବା ଋଣ ଟଙ୍କା ହେଉ, ସବୁ ସମ୍ବଳର ସୁବିନିଯୋଗ ହେବା ଆବଶ୍ୟକ। ମାତ୍ର ଆଜି ଯଦି ଆମର ନାନାବିଧ ଖର୍ଚ୍ଚ ଓ ତା’ର ଉପଯୋଗିତାର ବାସ୍ତବତାକୁ ବିଶ୍ଳେଷଣ କରିବା, ଆପଣ ମୁଣ୍ଡରେ ହାତ ଦେବେ।
ବ୍ରିଟିଶ ଶାସନ ସମୟରେ ଟେକ୍ନୋଲୋଜି ସେତେଟା ବିକଶିତ ହୋଇ ନ ଥିଲା। ସେମାନେ ନିଜ ଦେଶରେ କାର୍ଯ୍ୟ ନ କରି ଆମ ଦେଶରେ କରୁଥିଲେ। ମାତ୍ର ତାଙ୍କ ସମୟରେ ନିର୍ମିତ ପାର୍ଲାମେଣ୍ଟ ଭବନ, ରାଷ୍ଟ୍ରପତି ଭବନ ଓ ହାୱଡା ପୋଲ ଭଳି ବଡ଼ ବଡ଼ ନଦୀର ପୋଲ ଶହ ଶହ ବର୍ଷ ପରେ ଅତୁଟ ରହିଛି। କିନ୍ତୁ ସ୍ବାଧୀନ ଭାରତରେ ଭାରତୀୟଙ୍କ ଦ୍ୱାରା ନିର୍ମିତ ପୋଲ କିମ୍ବା ରାସ୍ତା କିମ୍ବା ବିଲ୍‌ଡିଂ ଅକ୍ଷୁଣ୍ଣ ଭାବରେ ୧୦-୨୦ ବର୍ଷ ଚାଲିବା ମୁସ୍କିଲ ହେଉଛି। ଏହାର ମୁଖ୍ୟ କାରଣ ହେଉଛି ଆମର ଭ୍ରଷ୍ଟାଚାର ଓ ନିମ୍ନମାନର କାର୍ଯ୍ୟ। କାରଣ ଆମେ ଭିତ୍ତିଭୂମି ନିର୍ମାଣର ନୂ୍ୟନତମ ସ୍ଥାୟିତ୍ୱ ନିର୍ଦ୍ଧାରିତ କରୁନାହାନ୍ତି କିମ୍ବା ନିମ୍ନମାନର କାର୍ଯ୍ୟ ପାଇଁ ଦଣ୍ଡ ବ୍ୟବସ୍ଥା କରୁନାହାନ୍ତି। ରାଜ୍ୟରେ ଶହେ ବର୍ଷରୁ ପୁରୁଣା ରେଭେନ୍‌ଶା ବିଶ୍ୱବିଦ୍ୟାଳୟ କୋଠା ସଗର୍ବେ ଐତିହାସିକ କୀର୍ତ୍ତି ପାଲଟୁଥିବା ବେଳେ ବର୍ତ୍ତମାନ ନିର୍ମିତ ହେଉଥିବା ସ୍କୁଲ, କଲେଜ ଓ ଅଫିସ ଗୃହରୁ କିଛି ଦିନ ପରେ ପାଣି ଗଳିବା ଦୁଃଖଦାଯକ ଘଟଣା। ଏ ବ୍ୟାଧିରୁ ଆମକୁ ମୁକ୍ତି ପାଇବାକୁ ପଡ଼ିବ। ଏଥିପାଇଁ ବିଶେଷଜ୍ଞ କମିଟି ଦ୍ୱାରା ଭିନ୍ନ ଭିନ୍ନ କାର୍ଯ୍ୟ ପାଇଁ ଭିନ୍ନ ଭିନ୍ନ ନୂ୍ୟନତମ ଗ୍ୟାରେଣ୍ଟଡ ଅବଧି ନିର୍ଦ୍ଧାରଣ କରିବାକୁ ପଡ଼ିବ। ସେହି ଅବଧି ମଧ୍ୟରେ ଭିତ୍ତିଭୂମିର କ୍ଷୟକ୍ଷତି ପାଇଁ ନିର୍ମାତା କଣ୍ଟ୍ରାକ୍ଟରକୁ ଉତ୍ତରଦାୟୀ କରାଯିବା ସହିତ କ୍ଷତିପୂରଣ ଭରଣା ପାଇଁ ତା’ର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ବ୍ୟବହାର କରିବା ପାଇଁ ଆଇନ ପ୍ରଣୟନ କରିବାକୁ ପଡ଼ିବ। ଏପରି ହେଲେ କଣ୍ଟ୍ରାକ୍ଟରଙ୍କ ମନରେ ଭୟ ସଂଚାର ହେବ ଓ ସେମାନେ ଗୁଣବତ୍ତା ନିର୍ମାଣ ଉପରେ ଧ୍ୟାନ ଦେବେ। ଫଳରେ ଆମର ବିତ୍ତୀୟ ସମ୍ପତ୍ତିର ଦୁରୁପଯୋଗ ନ ହୋଇ ସଦୁପଯୋଗ ହେବ। ଏକ କାମ ପାଇଁ ଆମକୁ ବାରମ୍ବାର ଉଧାର ନେବାକୁ ପଡ଼ିବ ନାହିଁ।
ଆଉ ଏକପ୍ରକାର ସମ୍ବଳ ଅପଚୟ ହେଉଛି ଭିତ୍ତିଭୂମି ନିର୍ମାଣ କରିବା ପରେ ତାକୁ ତାଲା ପକାଇ ରଖିବା କିମ୍ବା ଅଧାପନ୍ତରିଆ କରି ଛାଡ଼ିଦେବା। ସର୍ବସାଧାରଣ ଶୌଚାଳୟ ନିର୍ମାଣ କରି ତାକୁ ତାଲା ପକାଇ ରଖିବା। ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରି ତାକୁ ଚାଲୁ ନ କରିବା। ସରକାରୀ ବସ୍‌ କିଣି ନ ଚଳାଇ ଖତ ଖୁଆଇବା। ଜଳସେଚନ ପ୍ରକଳ୍ପକୁ ଅଧାପନ୍ତରିଆ କରି ଛାଡ଼ିଦେବା। ନିରାଶ୍ରୟ ଗୃହ ନିର୍ମାଣ କରି ତାଲା ପକାଇ ରଖିବା। ବସ୍‌ଷ୍ଟାଣ୍ଡ ନିର୍ମାଣ କରି ସେଠାକୁ ବସ ନ ନେବା। କୌଣସି କାର୍ଯ୍ୟକୁ ଧାର୍ଯ୍ୟ ସମୟ ମଧ୍ୟରେ ସମାପ୍ତ ନ କରି ବଜେଟ ବଢ଼ାଇବା ପାଇଁ ଅହେତୁକ ବିଳମ୍ବ କରିବା। ଏ ସବୁ କରିବା ଦ୍ୱାରା ଶହ ଶହ କୋଟି ଟଙ୍କାର ଭିତ୍ତିଭୂମି ବ୍ୟବହାର ନ ହୋଇ ନଷ୍ଟ ହେବାରେ ଲାଗୁଛି। ତାକୁ ପୁଣି ସଜାଡ଼ିବା ପାଇଁ କୋଟି କୋଟି ଟଙ୍କାର ଆବଶ୍ୟକତା ପଡୁଛି। ଏ ସବୁ ନିବେଶରୁ କିଛି ସୁଫଳ ମିଳୁନି। କରଦାତାଙ୍କ କଷ୍ଟ ଉପାର୍ଜିତ ଧନ ଅଯଥାରେ ବରବାଦ ହେଉଛି। ତେଣୁ ଯେଉଁ ଅଧିକାରୀ କିମ୍ବା ବିଭାଗ ସେପରି ଯୋଜନା ବା ଭିତ୍ତିଭୂମି ନିର୍ମାଣ ପାଇଁ ସୁପାରିସ ଓ ମଞ୍ଜୁରୀ ପ୍ରଦାନ କରିଛନ୍ତି, ସେମାନଙ୍କୁ ଉତ୍ତରଦାୟୀ କରାଯିବାର ଆବଶ୍ୟକତା ରହିଛି ଯେତେବେଳେ ସେଗୁଡ଼ିକ ବ୍ୟବହାର ନ ହୋଇ ପଡ଼ିରହୁଛି ବର୍ଷ ବର୍ଷ। ସେହି ଅଫିସରମାନଙ୍କଠୁ କ୍ଷତିପୂରଣ ଭରଣାର ବ୍ୟବସ୍ଥା କରାଗଲେ ଆବଶ୍ୟକତା ନ ଥାଇ ଖର୍ଚ୍ଚ କରାଯାଉଥିବା କାର୍ଯ୍ୟରେ ବିରାମ ଲଗାଯାଇ ପାରିବ ଓ ଯେଉଁ କାର୍ଯ୍ୟଗୁଡ଼ିକର ଆବଶ୍ୟକତା ଅଛି ତାକୁ କାର୍ଯ୍ୟ ସମାପ୍ତି ପରେ ତୁରନ୍ତ ବ୍ୟବହାରରେ ଲଗାଯାଇପାରିବ। ତେଣୁ ଆସନ୍ତୁ ସମସ୍ତେ ମିଶି ଭିତ୍ତିଭୂମି ନିର୍ମାଣରେ ଉତ୍ତରଦାୟିତ୍ୱ ସ୍ଥିର କରି କରଦାତାଙ୍କ ଅର୍ଥର ଅପଚୟ ରୋକିବା ସହିତ ସେଗୁଡ଼ିକର ପୂର୍ଣ୍ଣ ଉପଯୋଗିତା ବା ବ୍ୟବହାର ସୁନିଶ୍ଚିତ କରିବା ପାଇଁ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ କରିବା।

– ଡ. ପ୍ରମୋଦ କୁମାର ପଣ୍ଡା
ଶ୍ୟାମଚାନ୍ଦ ପାଟଣା, ଭଦ୍ରକ
ମୋ:୮୯୧୭୪୨୬୪୪୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

ଏମିତି ଥିଲା ଗାଁ

ଭାରତର ଆତ୍ମା ହେଉଛି ଗାଁ। ସଭ୍ୟତା, ସଂସ୍କୃତି, ପରମ୍ପରା, ସାମାଜିକ ବନ୍ଧନ ଓ ସଦାଚାରର ପ୍ରାଣକେନ୍ଦ୍ର ଯେଉଁଠି ଗୋଟିଏ ଘରେ ସୋରିଷ ଫୁଟିଲେ ସମ୍ପୂର୍ଣ୍ଣ ଗାଁକୁ ବାସିଥାଏ।…

କୃଷି ରପ୍ତାନିର ନୂତନ ଆଶା

ରାଜ୍ୟର କୃଷିବିକାଶ ଓ କୃଷକମାନଙ୍କ ଆୟବୃଦ୍ଧି ପାଇଁ କୃଷି-ରପ୍ତାନି ଏକ ପ୍ରମୁଖ ମାର୍ଗ। କୃଷି-ରପ୍ତାନି ପାଇଁ ପାରମ୍ପରିକ ଜୈବିକ କୃଷି ଓ ଅତ୍ୟାଧୁନିକ କୃଷି ଅଧିକ ସୁଯୋଗ…

ଲକ୍ଷ୍ୟହୀନ ଯୁଦ୍ଧ

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ୨୩ ମାର୍ଚ୍ଚରେ ଭିନ୍ନ ମୋଡ଼ରେ ପହଞ୍ଚିଥିଲା। ଏହିଦିନ ଆମେରିକା ରାଷ୍ଟ୍ରପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri