ଫାଟିଲା ପଛ ଚକା; ଭାରସାମ୍ୟ ହରାଇ ଓଲଟି ପଡ଼ିଲା ବସ୍‌

ଫୁଲନଖରା,୨୮।୪(ଡି.ଏନ୍‌.ଏ.): କଟକ-ଭୁବନେଶ୍ୱର ୧୬ନଂ ଜାତୀୟ ରାଜପଥସ୍ଥିତ ଫୁଲନଖରା ଓଭର ବ୍ରିଜ଼ ନିକଟରେ ବୁଧବାର ବିଳମ୍ବିତ ରାତିରେ ଏକ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭୁବନେଶ୍ୱରର ସାଲିଆସାହି ବସ୍ତିରୁ ଏକ ଘରୋଇ ବସ ନଂ (ଓଆର୍‌ ୦୨ ଏଟି.୭୬୪୭)ଯୋଗେ ୩୦ ଊର୍ଦ୍ଧ୍ୱ ଶ୍ରମିକ ଭଦ୍ରକ ବନ୍ତ ଅଞ୍ଚଳକୁ ଢ଼ଳେଇ କାମ କରିବା ପାଇଁ ଯାଇଥିଲେ। କାମ ସାରି ଫେରୁଥିବା ସମୟରେ ବୁଧବାର ରାତି ପ୍ରାୟ ୧ଟା ସମୟରେ ଫୁଲନଖରା ଓଭର ବ୍ରିଜ଼ ନିକଟରେ ହଠାତ ବସ୍‌ର ପଛ ଚକା ଫାଟି ଯିବାରୁ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ବସ୍‌ରେ ବସିଥିବା ଯାତ୍ରୀଙ୍କ ମଧ୍ୟରୁ ୧୦ଜଣ ଆହତ ହୋଇଥିଲେ । ଖବର ପାଇ ଘଟଣା ସ୍ଥଳରେ ଜାତୀୟ ରାଜପଥ ଟ୍ରାଫିକ ଥାନା ଏସଆଇ ପ୍ରଫୁଲ୍ଲ କୁମାର ଦାଶ ଓ ଅନ୍ୟ ପୋଲିସ କର୍ମଚାରୀଙ୍କୁ ଧରି ଆହତ ମାନଙ୍କୁ କଟକ ବଡ ମେଡିକାଲ ପଠାଇଥିଲେ। ଏଥିସହ ବସ୍‌ଟିକୁ କ୍ରେନ ମାଧ୍ୟମରେ ଉଠାଇ ସଦର ଥାନା ପୋଲିସ ଜିମା ଦେଇଥିବା ଜଣାପଡ଼ିଛି।