
ଦିଗପହଣ୍ଡି,୧୬ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଚୁଡୁଙ୍ଗପୁର ଗ୍ରାମ ମିଲ ସାହିର ୨ୟ ଶ୍ରେଣୀ ଛାତ୍ରୀ ସିଏଚ୍.ପ୍ରିୟଙ୍କା ପାତ୍ର(୬) ବାଇକ (ଓଡ଼ି୦୭ ଏ ଜେଡ – ୨୭୮୪) ଧକ୍କାରେ ଗୁରୁତର ଆହାତ ହୋଇ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ଏନେଇ ପ୍ରିୟଙ୍କାଙ୍କ ବାପା ସିଏଚ୍.ରବୀନ୍ଦ୍ର ପାତ୍ର ୧୧ ତାରିଖରେ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଥାନା ମାମଲା ନଂ.୧୭୧/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିଲେ। ଏହି ଘଟଣାରେ ଅଭିଯୁକ୍ତ ଥିବା ପାଟପୁର ଥାନା ଡି.ଆମ୍ବଠା ଗ୍ରାମର ସୁଶାନ୍ତ ରାଉତଙ୍କୁ ତଦନ୍ତକାରୀ ଅଧିକାରୀ ଏସଆଇ ସୋଫିଆ ମିଶ୍ର ଶୁକ୍ରବାର ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।
ସୂଚନାଯୋଗ୍ୟ, ଗତ ଏପ୍ରିଲ ୨୮ ତାରିଖ ଅପରାହ୍ନରେ ସୁଶାନ୍ତ ଏବଂ ତାଙ୍କ ଭାଇ ବାଇକ ଯୋଗେ ଆମ୍ବ ଗାଁ ରୁ କାମସାରି ଫେରୁଥିଲେ। ପ୍ରିୟଙ୍କା ଦୋକାନରୁ ଆଇସକ୍ରିମ୍ କିଣି ରାସ୍ତାପାର ହେଉଥିବା ବେଳେ ସୁଶାନ୍ତଙ୍କ ବାଇକ ତାଙ୍କୁ ଧକ୍କା ଦେଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଅବସ୍ଥାରେ ସୁଧାର ନ ଆସିବାରୁ ତାଙ୍କୁ ପରିବାର ଲୋକେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।