ଟ୍ରକ୍‌ ପଛରେ ପିଟିହେଲା ପିକ୍‌ଅପ୍‌ ଭ୍ୟାନ୍‌: ୩ ମୃତ, ୬ ଗୁରୁତର

ଚଣ୍ଡିଖୋଲ/ବାଲିଚନ୍ଦ୍ରପୁର,୯।୪(ସ୍ବ.ପ୍ର.): ଯାଜପୁର ଜିଲା ଚଣ୍ଡିଖୋଲ-ପାରାଦୀପ ୫୩ ନଂ.ଜାତୀୟ ରାଜପଥର ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଚାରିନଙ୍ଗଳ ଛକ ନିକଟରେ ଶନିବାର ସକାଳେ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬ଜଣ ଗୁରୁତର ହୋଇ କଟକ ବଡ଼ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ମୃତକ ହେଲେ ଯାଜପୁର ଜିଲା ବୈରୀ ଥାନା ଅନ୍ତର୍ଗତ ବିଦ୍ୟାଧରପୁରର ଗାଡ଼ି ହେଲ୍‌ପର ମାନସ ଦେହୁରି(୩୫), ବ୍ରହ୍ମପୁର ଅଞ୍ଚଳରୁ ଆସି ବାଲିଚନ୍ଦ୍ରପୁର ଅଞ୍ଚଳରେ ଶୁଖୁଆ ବ୍ୟବସାୟ କରୁଥିବା ମମି ବେହେରା (୩୫) ଓ ମମତା ବେହେରା(୪୦)। ଗୁରୁତର ଆହତମାନେ ହେଲେ ଯାଜପୁର ଛତିଆ ଅଞ୍ଚଳର ପିକ୍‌ଅପ୍‌ ଭ୍ୟାନ୍‌ ଡ୍ରାଇଭର ସରଜୁ ସିଂହ(୩୫), ବାଲିଚନ୍ଦ୍ରପୁର ଅଞ୍ଚଳର କମଳୀ ବେହେରା (୬୦), ଲକ୍ଷ୍ମୀ ବେହେରା (୪୮), କାମୁଲୀ ବେହେରା (୫୦), ଗୁରା ବେହେରା (୫୧) ଓ ଗୀତାଞ୍ଜଳି ବେହେରା (୪୨)।
ଛତିଆରୁ ଏକ ପିକ୍‌ଅପ ଭ୍ୟାନ୍‌ (ଓଡି-୦୪-ଇ-୧୨୩୧) ପଟ୍ଟାମୁଣ୍ଡାଇ ଅଞ୍ଚଳକୁ ଧାନ ଚଷୁ ଆଣିବାକୁ ଯାଉଥିଲା। ବାଟରେ ବାଲିଚନ୍ଦ୍ରପୁର ନିକଟରୁ ୬ଜଣ ଶୁଖୁଆ ବ୍ୟବସାୟୀ ଉକ୍ତ ଗାଡ଼ିରେ ଉଠିଥିଲେ। ଏହାପରେ ଗାଡ଼ିଟି ଚାରିନଙ୍ଗଳ ଛକ ନିକଟରେ ଠିଆ ହୋଇଥିବା ଏକ ଲୁହାପଥର ବୋଝେଇ ଟ୍ରକ୍‌(ଓଡି-୦୪-ଏଲ-୪୧୧୭) ପଛରେ ପିଟିହୋଇ ଯାଇଥିଲା। ଘଟଣାସ୍ଥଳରେ ଭ୍ୟାନ୍‌ ହେଲପର ମାନସଙ୍କ ମୃତ୍ୟୁ ହୋଇଯାଇଥିଲା। ଅନ୍ୟମାନେ ଗୁରୁତର ହୋଇଥିଲେ। ବାଲିଚନ୍ଦ୍ରପୁର ପୋଲିସ ପହଞ୍ଚି ଆମ୍ବୁଲାନ୍ସ ଓ ଅଗ୍ନିଶମ ବାହିନୀ ସହାୟତାରେ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲା। କିନ୍ତୁ କଟକ ବଡ଼ ମେଡିକାଲରେ ମମତା ଓ ମମିଙ୍କ ମୃତ୍ୟୁ ହୋଇଥିଲା। ଡ୍ରାଇଭର ସରଜୁ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ଭୋର ସମୟରେ କୁହୁଡି ହେଇଥିଲେ ମଧ୍ୟ ଗାଡ଼ିଚାଳକ ନିଶାଶକ୍ତ ହୋଇ ଦ୍ରୁତଗତିରେ ଯିବାରୁ ଦୁର୍ଘଟଣା ଘଟିଥିଲା ବୋଲି କେତେଜଣ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ତେବେ ମାଲ ପରିବହନ ଗାଡ଼ିରେ ଚାଳକ ଲୋକଙ୍କୁ ପରିବହନ କରିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଘଟଣାକୁ ନେଇ ବାଲିଚନ୍ଦ୍ରପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୃତକ ୩ ଜଣଙ୍କ ପରିବାରକୁ ରେଡ୍‌କ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ଲେଖାଏ ସହାୟତା ଦିଆଯାଇଥିବା ଦର୍ପଣ ତହସିଲଦାର ଶୁଭଦର୍ଶନ ମିଶ୍ର ପ୍ରକାଶ କରିଛନ୍ତି।