ନୂଆଦିଲ୍ଲୀ, ୧୧।୧୧: ଏସିସି ଅଣ୍ଡର-୧୯ ୟୁଥ ଏସିଆ କପ୍ରେ ଭାରତର ଦମ୍ଦାର ବିଜୟ। ଶେଷ ଗ୍ରୁପ ଷ୍ଟେଜ୍ ମ୍ୟାଚରେ ୟୁଏଇକୁ ୭୦ ରନରେ ପରାସ୍ତ କରି ସେମିଫାଇନାଲରେ ସ୍ଥାନ ପକ୍କା କରିଛି ଟିମ ଇଣ୍ଡିଆ। ଏହା ପୂର୍ବରୁ ପାକିସ୍ତାନ ମଧ୍ୟ ସେମିଫାଇନାଲରେ ପହଞ୍ଚି ସାରିଥିଲା। ଗ୍ରୁପ-ବିରୁ ଆଫଗାନିସ୍ତାନ ଓ ବାଂଲାଦେଶ ସେମିଫାଇନାଲକୁ ଯୋଗ୍ୟତା ହାସଲ କରିଛନ୍ତି।
ୟୁଏଇ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରି ଭାରତ ୩୦୯ ରନର ବିଶାଳ ସ୍କୋର କରିଥିଲା। ଦଳ ପକ୍ଷରୁ ଆର୍ଯ୍ୟବୀର ସେହୱାଗ ଚମତ୍କାର ବ୍ୟାଟିଂ କରି ୧୬୦ ରନର ଦମ୍ଦାର ଇନିଂସ ଖେଳିଥିଲେ। ୧୬୮ଟି ବଲରେ ସମ୍ମୁଖୀନ ହୋଇ ସେ ୭ଟି ଛକା ଓ ୧୭ଟି ଚୌକା ମାରିଥିଲେ।
୩୧୦ ରନର ବିଜୟ ଲକ୍ଷ୍ୟକୁ ପିଛା କରି ୟୁଏଇ ଦଳ ମାତ୍ର ୨୩୯ ରନ କରିପାରିଥିଲା। ଭାରତ ପକ୍ଷରୁ ଇଶାନ ଧୀରଜ ସୁଦ ସର୍ବାଧିକ ୪ଟି ଉଇକେଟ୍ ନେଇଥିଲେ। ସେ ୭ ଓଭରରେ ୩୭ ରନ ଦେଇଥିଲେ। ମୈନାଲ ଚୌହାନ, ମୋହିତ, ପରେଶ ପଟେଲ, ଯଶବର୍ଦ୍ଧନ, ଆର୍ଯ୍ୟନ ଓ ଅର୍ଜୁନ ରାଜପୁତ ଗୋଟିଏ ଲେଖାଏ ଉଇକେଟ୍ ନେଇଥିଲେ। ଚମତ୍କାର ୧୬୦ ରନର ଇନିଂସ ପାଇଁ ଆର୍ଯ୍ୟବୀର ସେହୱାଗଙ୍କୁ ପ୍ଲେୟାର ଅଫ ଦ ମ୍ୟାଚ ପୁରସ୍କାର ମିଳିଥିଲା।
ଗ୍ରୁପ-ଏରୁ ଭାରତ ଓ ପାକିସ୍ତାନ ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି। ପାକିସ୍ତାନ ଗ୍ରୁପରେ ଶୀର୍ଷ ସ୍ଥାନରେ ରହିଛି। ଦଳ ଗ୍ରୁପ ଷ୍ଟେଜ୍ରେ ଖେଳିଥିବା ତିନୋଟି ଯାକ ମ୍ୟାଚ ଜିତିଛି। ଏଥିରେ ଭାରତ ବିପକ୍ଷ ବିଜୟ ମଧ୍ୟ ସାମିଲ ରହିଛି। ଅନ୍ୟପଟେ ୟୁଏଇ ବିପକ୍ଷ ମ୍ୟାଚକୁ ଛାଡ଼ି ଭାରତ ଅନ୍ୟ ଦୁଇଟି ମ୍ୟାଚ ଜିତି ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଛି।
ସେହିପରି ଗ୍ରୁପ-ବିରେ ଆଫଗାନିସ୍ତାନ ଶୀର୍ଷ ସ୍ଥାନ ହାସଲ କରିଛି। ଦଳ ନିଜର ତିନୋଟି ଯାକ ମ୍ୟାଚ ଜିତିଛି। ତିନୋଟି ମ୍ୟାଚରୁ ଦୁଇଟିରେ ବିଜୟୀ ହୋଇ ବାଂଲାଦେଶ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି। ଫଳରେ ଶ୍ରୀଲଙ୍କା ଓ ମାଲେସିଆ ଟୁର୍ନାମେଣ୍ଟରୁ ବାଦ୍ ପଡ଼ିଛନ୍ତି।
ଅଣ୍ଡର-୧୯ ୟୁଥ ଏସିଆ କପ୍ର ସେମିଫାଇନାଲରେ ଭାରତର ମୁକାବିଲା ଆଫଗାନିସ୍ତାନ ସହ ହେବ। ଆଫଗାନିସ୍ତାନ ଗ୍ରୁପ ଷ୍ଟେଜ୍ରେ ଗୋଟିଏ ମଧ୍ୟ ମ୍ୟାଚ ହାରିନାହିଁ। ଅନ୍ୟ ସେମିଫାଇନାଲରେ ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ମୁକାବିଲା ହେବ।
ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ସେମିଫାଇନାଲ ମ୍ୟାଚ ଗୁରୁବାର, ନଭେମ୍ବର ୧୨ ତାରିଖରେ ଖେଳାଯିବ। ସେହିଦିନ ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ହେବ। ଉଭୟ ମ୍ୟାଚର ବିଜେତା ଦଳ ଶନିବାର, ନଭେମ୍ବର ୧୪ ତାରିଖରେ ଫାଇନାଲରେ ମୁହାଁମୁହିଁ ହେବେ।