Posted inଜାତୀୟ

କ୍ଷମତାର ଅପବ୍ୟବହାର

ନୂଆଦିଲ୍ଲୀ,୧୬ା୨: ସମାଜରେ ସଚେତନତାର ବାର୍ତ୍ତା ବାଣ୍ଟୁଥିବା ଯୁବ କ୍ଲାଇମେଟ୍‌ ଚେଞ୍ଜ ଆକ୍ଟିଭିଷ୍ଟ ଦିଶା ରବିଙ୍କୁ ଦିଲ୍ଲୀ ପୋଲିସ ବେଙ୍ଗାଲୁରୁରୁ ରାତିଅଧିଆ ଉଠାଇନେବା ସମସ୍ତଙ୍କୁ ଚକିତ କରିଛି। ପଟିଆଲା ହାଉସ୍‌ କୋର୍ଟରେ ଦିଶାଙ୍କୁ ହାଜର କରିବା ବେଳେ ତାଙ୍କ ପକ୍ଷ ରଖିବା ପାଇଁ ଓକିଲଙ୍କୁ ସୁଯୋଗ ଦିଆ ନ ଯିବା ଆହୁରି ବିସ୍ମିତ କରିଛି। ୩ ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ଦାବିରେ କୃଷକ ଆନ୍ଦୋଳନକୁ ନେଇ ଅଡ଼ୁଆରେ ପଡ଼ିଥିବା ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର ଅଭିବ୍ୟକ୍ତି ସ୍ବାଧୀନତାକୁ ହତ୍ୟା କରିବା ପାଇଁ ଏପରି କରାଉଥିବା ବିରୋଧୀ ଅଭିଯୋଗ ଆଣିଛନ୍ତି। ମୋଟାମୋଟି ଭାବେ ଦେଖିଲେ ‘ଟୁଲ୍‌କିଟ୍‌’ ପ୍ରକରଣ ଓ ଏହାକୁ ନେଇ ଚାଲିଥିବା ଧରପଗଡ଼ ଏକ ପ୍ରାୟୋଜିତ ଷଡ଼ଯନ୍ତ୍ର ବୋଲି ଅନେକେ ମତ ଦେଇଛନ୍ତି। ଫଳରେ ଦିଲ୍ଲୀ ପୋଲିସ ପ୍ରଶ୍ନ ଘେରରେ ଛନ୍ଦି ହୋଇଯାଇଥିବାବେଳେ ସନ୍ଦେହର କାଠଗଡ଼ାକୁ ଟାଣିହୋଇଯାଇଛନ୍ତି କେନ୍ଦ୍ର ସରକାର। ଏସବୁ ଭିତରେ ଦିଶା ରବିଙ୍କୁ ତୁରନ୍ତ ମୁକ୍ତ କରିବା ପାଇଁ ଚାରିଆଡ଼େ ଦାବି ଜୋର୍‌ ଧରିଛି।
ଫ୍ରାଇଡେଜ୍‌ ଫର୍‌ ଫ୍ୟୁଚର (ଏଫ୍‌ଏଫ୍‌ଏଫ୍‌) ଇଣ୍ଡିଆର ପ୍ରତିଷ୍ଠାତା ଦିଶା ରବିଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିନେବା ପରେ ତାଙ୍କ ପ୍ରତି ଦେଶବ୍ୟାପୀ ସମର୍ଥନ ବଢ଼ିବାରେ ଲାଗିଛି। କେନ୍ଦ୍ର ସରକାର ଦିଶାଙ୍କ ବିରୋଧରେ ଲଗାଯାଇଥିବା ସଙ୍ଗିନ ମାମଲାର ଦଫା ହଟାଇବା ସହ ଦେଶର ଯୁବଗୋଷ୍ଠୀଙ୍କୁ ଟାର୍ଗେଟ କରିବା ବନ୍ଦ କରନ୍ତୁ ବୋଲି ସାମାଜିକ କର୍ମୀ ଓ ପରିବେଶବିତ୍‌ମାନେ କହିଛନ୍ତି।
ଅଲ୍‌ ଇଣ୍ଡିଆ ପ୍ରୋଗ୍ରେସିଭ୍‌ ଆସୋସିଏଶନ୍‌ ସମ୍ପାଦିକା କବିତା କ୍ରିଷ୍ଣନ୍‌ କହିଛନ୍ତି, ଦିଶାଙ୍କୁ ତୁରନ୍ତ ମୁକ୍ତ କରାଯାଉ। ଦିଶାଙ୍କ ଭଳି ବ୍ୟକ୍ତିମାନେ କେବଳ ନିଜ କଥା ନ ଦେଖି ଭବିଷ୍ୟତ ପିଢ଼ି ସମ୍ପର୍କରେ ଚିନ୍ତା କରନ୍ତି। ପୋଲିସ ତାଙ୍କୁ ଗିରଫ କରିବା ପରେ ଆମର ଏକ ଗଣତନ୍ତ୍ର ଅଛି ବୋଲି ବିଶ୍ୱାସ ହେଉନାହିଁ। ପୋଲିସ ଆଇନଜୀବୀ ନିକିତା ଜାକୋବ ଓ ଶାନ୍ତନୁଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ବନ୍ଦ କରୁ। ଅଧିକାର କର୍ମୀ ଶବନମ୍‌ ହାସ୍‌ମି ମଧ୍ୟ ଦିଶାଙ୍କ ଗିରଫଦାରିକୁ ନେଇ ପ୍ରଶ୍ନ କରିଛନ୍ତି। ସରକାର ପ୍ରାୟୋଜିତ ଏହି ଘଟଣାକ୍ରମ ଭାରତକୁ ବିଦେଶରେ ମଧ୍ୟ ଉପହାସର ପାତ୍ର କରାଇଛି। ସେହିପରି ଦିଲ୍ଲୀର ସେଣ୍ଟର ଫର୍‌ ସାଇନ୍ସ ଆଣ୍ଡ ଏନ୍‌ଭିରନ୍‌ମେଣ୍ଟ ମୁଖ୍ୟ ସୁନୀତା ନାରାୟଣ ଦିଶାଙ୍କୁ ମୁକ୍ତ କରିବା ପାଇଁ ଦାବି କରିଛନ୍ତି। ଜଳବାୟୁ ପରିବର୍ତ୍ତନ ସାରା ବିଶ୍ୱ ପାଇଁ ବିପଦ ସୃଷ୍ଟି କରିଥିବାବେଳେ ଏହା ସମ୍ପର୍କରେ ସଚେତନତାର ବାର୍ତ୍ତା ବାଣ୍ଟୁଥିବା ଆକ୍ଟିଭିଷ୍ଟମାନଙ୍କୁ ପୋଲିସ ଗିରଫ କରିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ସେ କହିଛନ୍ତି। ୯ ବର୍ଷୀୟା ଲିସିପ୍ରିୟା କଙ୍ଗୁଜାମ୍‌ ଏହାକୁ କୁନି ଝିଅମାନଙ୍କ ସ୍ବର ଚପାଇବା ପାଇଁ ଅପଚେଷ୍ଟା ଭାବେ ଅଭିହିତ କରିଛନ୍ତି। ଏହାସତ୍ତ୍ୱେ ପୃଥିବୀକୁ ବଞ୍ଚାଇବା ଲାଗି ଆମେ ଉଦ୍ୟମ ଜାରି ରଖିବୁ ବୋଲି ସେ କହିଛନ୍ତି।
୫୦ରୁ ଊର୍ଦ୍ଧ୍ୱ ଶିକ୍ଷାବିତ୍‌, କାଳକାର ଓ ଆକ୍ଟିଭିଷ୍ଟ ଦିଶା ରବିଙ୍କ ସପକ୍ଷରେ ଏକ ମିଳିତ ବିବୃତି ଜାରି କରିଛନ୍ତି। କୋଲିଶନ୍‌ ଫର୍‌ ଏନ୍‌ଭିରନ୍‌ମେଣ୍ଟ ଜଷ୍ଟିସ୍‌ ଅଫ୍‌ ଇଣ୍ଡିଆ ବ୍ୟାନରରେ ଏକତ୍ରିତ ହୋଇଥିବା ବୁଦ୍ଧିଜୀବୀମାନେ ତାଙ୍କ ଗିରଫଦାରିକୁ ବେଆଇନ ଓ ରାଷ୍ଟ୍ରର ଅତ୍ୟଧିକ ପ୍ରତିକ୍ରିୟା ବୋଲି ସେମାନେ ଅଭିହିତ କରିଛନ୍ତି। ଦିଲ୍ଲୀ ସୀମାରେ କୃଷକ ଆନ୍ଦୋଳନର ନେତୃତ୍ୱ ନେଉଥିବା ସାମ୍ମୁଖ୍ୟ କିଷାନ ମୋର୍ଚ୍ଚା (ଏସ୍‌କେଏମ୍‌) ଏହାକୁ ପୋଲିସ କ୍ଷମତାର ଅପବ୍ୟବହାର ଭାବେ ଅଭିହିତ କରି ଦିଶାଙ୍କ ମୁକ୍ତି ଦାବି କରିଛି।

ହାଇକୋର୍ଟ ଗଲେ ନିକିତା, ଶାନ୍ତନୁ

ଟୁଲ୍‌କିଟ୍‌ ମାମଲାରେ ଦିଲ୍ଲୀର ଏକ କୋର୍ଟ ମୁମ୍ବାଇର ଆଇନଜୀବୀ ନିକିତା ଜାକୋବ ଓ ପୁଣେର ଇଞ୍ଜିନିୟର ଶାନ୍ତନୁ ମୁଲୁକ୍‌ଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ବାନା ଜାରି କରିଛି। ଏହାକୁ ଚ୍ୟାଲେଞ୍ଜ କରି ଗିରଫଦାରି ଏଡ଼ାଇବା ପାଇଁ ଦୁହେଁ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ହାଇକୋର୍ଟରେ ୪ ସପ୍ତାହ ପାଇଁ ଅଗ୍ରିମ ଟ୍ରାଞ୍ଜିଟ୍‌ ବେଲ୍‌ ସକାଶେ ଆବେଦନ କରିଥିବା ନିକିତା ତାଙ୍କ ଜାମିନ ପିଟିଶନର ତ୍ୱରିତ ଶୁଣାଣି ପାଇଁ ଅନୁରୋଧ କରିଛନ୍ତି। ଜଷ୍ଟିସ୍‌ ପି.ଡି. ନାଏକଙ୍କ ଜଣିକିଆ ଖଣ୍ଡପୀଠରେ ତାଙ୍କ ଆବେଦନର ଶୁଣାଣି ମଙ୍ଗଳବାର କରାଯିବ। ସେହିପରି ଶାନ୍ତନୁଙ୍କ ଆବେଦନର ଶୁଣାଣି ଔରଙ୍ଗାବାଦ ଖଣ୍ଡପୀଠରେ ହେବ ବୋଲି ତାଙ୍କ ଓକିଲ ସତେଜ ଯାଦବ ସୂଚନା ଦେଇଛନ୍ତି।

‘ଦେଶ ବିରୋଧୀ ମଞ୍ଜି ବୁଣୁଥିବା ବ୍ୟକ୍ତିଙ୍କ ବିନାଶ କର’

ସ୍ବିଡେନ ସାମାଜିକ କର୍ମୀ ଗ୍ରେଟା ଥନବର୍ଗଙ୍କ ‘ଟୁଲ୍‌କିଟ’ ଏଡିଟ୍‌ କରି ଶେୟାର କରିବା ଅଭିଯୋଗରେ ବାଙ୍ଗାଲୁରୁର କ୍ଲାଇମେଟ ଆକ୍ଟିଭିଷ୍ଟ ଦିଶା ରବିଙ୍କ ଗିରଫଦାରିକୁ ସମର୍ଥନ କରିଛନ୍ତି ଭାଜପା ନେତା ତଥା ହରିୟାନା ମନ୍ତ୍ରୀ ଅନିଲ ଭିଜ୍‌। ସେ ଟୁଇଟ କରି କହିଛନ୍ତି, ‘ଦେଶ ବିରୋଧୀ ମଞ୍ଜି ଯେଉଁ ବ୍ୟକ୍ତିଙ୍କ ମୁଣ୍ଡରେ ଅଛି ତାଙ୍କୁ ସମ୍ପୂର୍ଣ୍ଣ ବିନାଶ କରାଯିବା ଉଚିତ୍‌, ସେ ଦିଶା ରବି ହୁଅନ୍ତୁ ବା ଅନ୍ୟ କେହି।’ ଅନିଲଙ୍କ ଏହି ମନ୍ତବ୍ୟ ଉପରେ ଟୁଇଟରରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ତାଙ୍କ ଆକାଉଣ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ମଧ୍ୟ ଅନେକେ ଦାବି କରିଛନ୍ତି।

ପୋଲିସ କଥାରେ ତାଳମେଳ ନାହିଁ

କ୍ଲାଇମେଟ୍‌ ଆକ୍ଟିଭିଷ୍ଟ ଦିଶା ରବିଙ୍କୁ ରାତିଅଧିଆ ଉଠାଇନେଇଥିବା ଦିଲ୍ଲୀ ପୋଲିସ ସୋମବାର ଟୁଲ୍‌କିଟ୍‌ ମାମଲାରେ ଆଉ ଦୁଇଜଣଙ୍କୁ ଛନ୍ଦିଛି। ସେମାନେ ହେଲେ ନିକିତା ଜାକୋବ୍‌ ଓ ଶାନ୍ତନୁ ମୁଲୁକ୍‌। ଏହି ଦୁଇ ଅଭିଯୁକ୍ତ କୃଷକ ଆନ୍ଦୋଳନ ସମ୍ପର୍କିତ ଟୁଲ୍‌କିଟ୍‌ ତିଆରି କରି ସୋସିଆଲ ମିଡିଆରେ ଶେୟାର କରିଥିଲେ ବୋଲି ପୋଲିସ ଦାବି କରିଛି।
ଦିଲ୍ଲୀ ପୋଲିସ ଯୁଗ୍ମ କମିଶନର (ସାଇବର) ପ୍ରେମ ନାଥ ସୋମବାର ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି, ଶନିବାର ବେଙ୍ଗାଲୁରୁରୁ ଗିରଫ ହୋଇଥିବା ଦିଶା ଉକ୍ତ ଟୁଲ୍‌କିଟ୍‌କୁ ସ୍ବିଡେନ୍‌ର କ୍ଲାଇମେଟ୍‌ ଆକ୍ଟିଭିଷ୍ଟ ଗ୍ରେଟା ଥନ୍‌ବର୍ଗଙ୍କ ନିକଟକୁ ଟେଲିଗ୍ରାମ୍‌ ଆପ୍‌ ଜରିଆରେ ପଠାଇଥିଲେ। ଦିଶା ଟୁଲ୍‌କିଟ୍‌ ପ୍ରସାର ପାଇଁ ତିଆରି କରିଥିବା ଏକ ହ୍ବାଟ୍ସଆପ୍‌ ଗ୍ରୁପ୍‌କୁ ଡିଲିଟ୍‌ କରିଦେଇଛନ୍ତି। ଉକ୍ତ ଟୁଲ୍‌କିଟ୍‌କୁ ଦିଶା, ନିକିତା ଓ ଜାକୋବ୍‌ ତିଆରି କରିଥିଲେ। ନିକିତା ଓ ଶାନ୍ତନୁଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ବାନା (ଏନ୍‌ବିଡବ୍ଲ୍ୟୁ) ଜାରି କରାଯାଇଛି। ଖଲିସ୍ତାନୀ ସପକ୍ଷବାଦୀ ଗୋଷ୍ଠୀ ପୋଏଟିକ୍‌ ଜଷ୍ଟିସ୍‌ ଫାଉଣ୍ଡେଶନ (ପିଜେଏଫ୍‌) ପକ୍ଷରୁ ଆୟୋଜିତ ଏକ ଜୁମ୍‌ ମିଟିଂରେ ଯୋଗଦେଇଥିଲେ। ଦିଶାଙ୍କ ଗିରଫଦାରି ବେଳେ ସମସ୍ତ ନିୟମ ପାଳନ କରାଯାଇଥିବା ପୋଲିସ ସଫେଇ ଦେଇଛି। ପୋଲିସ କେତେବେଳେ କ’ଣ କହୁଛି ଜାଣିପାରୁ ନାହିଁ। କେତେବେଳେ ଦିଶା ଟୁଲ୍‌କିଟ୍‌କୁ ଏଡିଟ୍‌ କରିଥିଲେ ବୋଲି କହୁଥିବାବେଳେ କେତେବେଳେ ତିନିଜଣ ମିଶି ଏହାକୁ ପ୍ରସ୍ତୁତ କରିଥିବା କହୁଛି। ପୋଲିସର ଦାବିରେ ତାଳମେଳ ନ ଥିବାରୁ ସନ୍ଦେହ ଘେରକୁ ଟାଣି ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ପ୍ରଥମ ଦେଶ ଭାବେ ସୋସିଆଲ ମିଡିଆ ବ୍ୟାନ କଲା ଅଷ୍ଟ୍ରେଲିଆ, ଏତିକି ବର୍ଷରୁ କମ୍ ପିଲା…

ନୂଆଦିଲ୍ଲୀ,୯।୧୨: ପିଲାମାନଙ୍କୁ ସୋସିଆଲ ମିଡିଆର କୁପ୍ରଭାବରୁ ରକ୍ଷା କରିବା ପାଇଁ ଅଷ୍ଟ୍ରେଲିଆ ଏକ ଐତିହାସିକ ପଦକ୍ଷେପ ନେଇଛି। ବୁଧବାର ମଧ୍ୟରାତ୍ରିରୁ ଅଷ୍ଟ୍ରେଲିଆ ୧୬ ବର୍ଷରୁ କମ୍...

ବାରବାଟୀରେ ଭାରତର ବଡ଼ ବିଜୟ! ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ‘ସୂର୍ଯ୍ୟ’ ଟିମ୍

କଟକ,୯।୧୨: ମଙ୍ଗଳବାର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଭାରତୀୟ କ୍ରିକେଟ୍ ଟିମ୍ ଦକ୍ଷିଣ ଆଫ୍ରିକାକୁ ୧୦୧ ରନର...

ଓଡ଼ିଶା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ୪୫ ହଜାର କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ ମଞ୍ଜୁରୀ

ନୂଆଦିଲ୍ଲୀ,୯।୧୨: ଓଡ଼ିଶାରେ ସଡ଼କ ପରିବହନ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ଏକ ବୃହତ ପୁଞ୍ଜି ବିନିଯୋଗକୁ ଅନୁମୋଦନ କରିଛନ୍ତି। ରାଜ୍ୟ ପାଇଁ ମୋଟ ୪୪,୭୭୧...

୫ ବର୍ଷରେ ଦାଦନ ଖଟିବାକୁ ଯାଇ ରାଜ୍ୟ ବାହାରେ ପ୍ରାଣ ହରାଇଛନ୍ତି ୫୧୮ ଓଡ଼ିଆ

ଭୁବନେଶ୍ୱର,୯।୧୨: ଗତ ୨୦୨୧ ରୁ ୨୦୨୫ ନଭେମ୍ବର ସୁଦ୍ଧା ମଧ୍ୟରେ ରାଜ୍ୟ ତଥା ଦେଶ ବାହାରେ କାମ କରୁଥିବା ସମୟରେ ଓଡ଼ିଶାର ୫୧୮ ଜଣ ପ୍ରବାସୀ...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

ବାରବାଟୀରେ ଘଣ୍ଟି ବଜାଇ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

କଟକ,୯ା୧୨: କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯାଉଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri