ମୁମ୍ବାଇ,୫।୩: ଟି-୨୦ ବିଶ୍ୱକପ୍ ୨୦୨୬ର ଗୁରୁତ୍ୱପୂର୍ଣ୍ଣ ସେମିଫାଇନାଲରେ ଯୁବ ବ୍ୟାଟର ଅଭିଷେକ ଶର୍ମା ପୁଣିଥରେ ପ୍ରଶଂସକଙ୍କୁ ନିରାଶ କରିଛନ୍ତି। ଇଂଲଣ୍ଡ ବିପକ୍ଷରେ ସେ ମାତ୍ର ୭ଟି ବଲ୍ରୁ ୯ ରନ କରି ଆଉଟ ହୋଇଛନ୍ତି। ଚଳିତ ବିଶ୍ୱକପ୍ରେ ଖେଳିଥିବା ୭ଟି ଇନିଂସ ମଧ୍ୟରୁ ଏହା ତାଙ୍କର ଷଷ୍ଠ ବିଫଳତା, ଯେଉଁଥିରେ ସେ ଭଲ ଖେଳି ନାହାନ୍ତି।
ଏସବୁ ମଧ୍ୟରେ ଏବେ ଚର୍ଚ୍ଚା ହେଉଛି କି, ଯଦି ଅଭିଷେକ ନିଜ ସାଥୀ ଖେଳାଳି ସଞ୍ଜୁ ସାମସନଙ୍କ ପରାମର୍ଶ ମାନିଥାନ୍ତେ, ତେବେ ହୁଏତ ସେ ନିଜ ଉଇକେଟ ହରାଇ ନ ଥାନ୍ତେ। ପୁଣିଥରେ ଏକ ବଡ଼ ସଟ୍ ଖେଳିବା ଚକ୍କରରେ ସେ ଅଫ ସ୍ପିନର ୱିଲ ଜାକ୍ସଙ୍କ ଶିକାର ହୋଇଛନ୍ତି। ଅଭିଷେକଙ୍କ ପାଇଁ ଏହି ବିଶ୍ୱକପ୍ର ଆରମ୍ଭ ଖୁବ ଖରାପ ରହିଥିଲା, ପ୍ରଥମ ୩ଟି ଇନିଂସରେ ତାଙ୍କ ପାଇଁ ଖାତା ଖୋଲିବା ମଧ୍ୟ କଷ୍ଟକର ହୋଇପଡ଼ିଥିଲା।
ବ୍ୟାଟିଂ ସମୟରେ ସଞ୍ଜୁ ଅଭିଷେକଙ୍କୁ ପରାମର୍ଶ ଦେଇଥିଲେ ଯେ ସେ ଟିକେ ସମୟ ନିଅନ୍ତୁ ଏବଂ କ୍ରିଜରେ ରହି ଖେଳନ୍ତୁ। କିନ୍ତୁ ଅଭିଷେକ ଦ୍ରୁତ ଏବଂ ବଡ଼ ସଟ୍ ଖେଳିବାକୁ ଚେଷ୍ଟା କଲେ, ଯାହାର ପରିଣାମ ତାଙ୍କୁ ଭୋଗିବାକୁ ପଡ଼ିଲା।
ଚଳିତ ଟି-୨୦ ବିଶ୍ୱକପ୍ରେ ଅଫ୍ ସ୍ପିନରମାନେ ଅଭିଷେକଙ୍କ ପାଇଁ ସବୁଠାରୁ ବଡ଼ ସମସ୍ୟା ପାଲଟିଛନ୍ତି। ତାଙ୍କର ପରିସଂଖ୍ୟାନ ଏହା ସ୍ପଷ୍ଟ କରୁଛି ଯେ ୭ଟି ମଧ୍ୟରୁ ୫ଟି ଇନିଂସରେ ଅଫ୍ ସ୍ପିନରଙ୍କ ସାମ୍ନା କରିଛନ୍ତି। ଅଫ୍ ସ୍ପିନରଙ୍କ ବିରୋଧରେ ୨୭ଟି ବଲ ଖେଳି ମାତ୍ର ୨୯ ରନ୍ କରିଛନ୍ତି। ସେ ହାରାହାରି ମାତ୍ର ୯.୬୬ ହାରରେ ରନ ସଂଗ୍ରହ କରିଛନ୍ତି। ୫ଟି ଇନିଂସରୁ ୩ ଥର ସେ ଅଫ୍ ସ୍ପିନରଙ୍କ ଦ୍ୱାରା ଆଉଟ ହୋଇଛନ୍ତି।
କହିବାକୁ ଗଲେ ଅଭିଷେକଙ୍କ ଏହି ଦୁର୍ବଳତା ଏବେ ଟିମ ଇଣ୍ଡିଆ ପାଇଁ ଚିନ୍ତାର ବିଷୟ ପାଲଟିଛି, କାରଣ ବିଜୟ ପାଇଁ ଓପନିଂ ଯୋଡ଼ିରୁ ଏକ ବଡ଼ ସ୍କୋରର ଆବଶ୍ୟକତା ରହିଥିଲା।

