ଅଭିଷେକ ବାନାର୍ଜୀଙ୍କ ଖୋଲା ଚ୍ୟାଲେଞ୍ଜ: ୧୦ ଜନ୍ମ ନେଲେ ବି ଜିତି ପାରିବନାହିଁ ଭାଜପା, ଜାଣନ୍ତୁ କାହିଁକି ଏମିତି କହିଲେ

କୋଲକାତା,୩ା୫: ପଶ୍ଚିମବଙ୍ଗ, ଆସାମ, କେରଳ, ତାମିଲନାଡୁ ଏବଂ ପୁଡୁଚେରୀରେ ମତଦାନ ଶେଷ ହେବା ପରେ ଏକଜିଟ ପୋଲ ଫଳାଫଳ ମଧ୍ୟ ପ୍ରକାଶ ପାଇଛି। ସମସ୍ତେ ଏବେ ମେ’ ୪ ତାରିଖରେ ଚୂଡ଼ାନ୍ତ ନିର୍ବାଚନ ଫଳାଫଳକୁ ଅପେକ୍ଷା କରିଛନ୍ତି, ଯାହା ଏହି ରାଜ୍ୟଗୁଡ଼ିକର ପରିସ୍ଥିତିର ସ୍ପଷ୍ଟ ଚିତ୍ର ପ୍ରଦାନ କରିବ। ଏକଜିଟ୍‌ ପୋଲ ଫଳାଫଳ ସଠିକ ପ୍ରମାଣିତ ହେବ କି ଭୁଲ୍‌ ତାହା ମେ’ ୪ ତାରିଖରେ ହିଁ ଜଣାପଡ଼ିବ।

ପଶ୍ଚିମବଙ୍ଗ ଏକଜିଟ ପୋଲ ରାଜ୍ୟରେ ସବୁଠାରୁ ଅଧିକ ଚର୍ଚ୍ଚିତ। ଶେଷ ପର୍ଯ୍ୟାୟରେ ପ୍ରବଳ ଭୋଟରଙ୍କ ମତଦାନ ରେକର୍ଡ କରାଯାଇଥିଲା। ଭୋଟର ତାଲିକା ସଂଶୋଧନ, ପରିଚୟ ରାଜନୀତି ଏବଂ ତୃଣମୂଳସ୍ତରରେ ଦୃଢ଼ ସମାବେଶ ଭଳି ପ୍ରସଙ୍ଗ ନିର୍ବାଚନକୁ ପ୍ରଭାବିତ କରିଥିଲା। ଏକ୍‌ଜିଟ୍‌ ପୋଲ ତୃଣମୂଳ କଂଗ୍ରେସ ଏବଂ ଭାଜପା ମଧ୍ୟରେ କଡ଼ା ପ୍ରତିଯୋଗିତାକୁ ସୂଚାଇଛି। ଅନେକ ସର୍ଭେ ଝୁଲା ବିଧାନସଭାର ପୂର୍ବାନୁମାନ କରିଛି। ଯଦି ପୂର୍ବାନୁମାନକୁ ବିଶ୍ୱାସ କରାଯାଏ, ତେବେ ଭାଜପା ରାଜ୍ୟରେ ଏହାର ପ୍ରଭାବ ବିସ୍ତାର କରୁଥିବା ପରି ମନେ ହେଉଛି।

ଅନ୍ୟପକ୍ଷରେ ଅଭିଷେକ ବାନାର୍ଜୀ ଭାଜପାକୁ ଖୋଲା ଚ୍ୟାଲେଞ୍ଜ ଦେଇ କହିଛନ୍ତି, ୧୦ ଜନ୍ମ ପରେ ବି ଭାଜପା ଫାଲଟା ଜିତିପାରିବ ନାହିଁ। ନିର୍ବାଚନ ପୂର୍ବରୁ ଅଭିଷେକ ଭାଜପାକୁ ଏହି ଖୋଲା ଚ୍ୟାଲେଞ୍ଜ ଦେଇଥିବାବେଳେ ଏହାକୁ ପୁଣି ଦୋହରାଇଛନ୍ତି।

ଅଭିଷେକ ଫାଲଟାରେ ପୁନଃନିର୍ବାଚନ ପାଇଁ ଭାଜପାର ଅଭିଯୋଗର କଡ଼ା ଜବାବ ଦେଇଥିଲେ। ସେ ‘ଡାଇମଣ୍ଡ ହର୍ବାର ମଡେଲ’ ଭାଙ୍ଗି ପଡ଼ିଛି ବୋଲି ଭାଜପାର ଦାବିକୁ ପ୍ରତ୍ୟାଖ୍ୟାନ କରିଥିଲେ ଏବଂ ବେଙ୍ଗଲ ବିରୋଧୀ ଗୁଜରାଟୀ ଗ୍ୟାଙ୍ଗକୁ ଫାଲଟାରେ ନିର୍ବାଚନ ଲଢ଼ିବାକୁ ଚ୍ୟାଲେଞ୍ଜ କରିଥିଲେ। ବାନାର୍ଜୀ ତାଙ୍କ ମଡେଲର ଶକ୍ତିକୁ ପୁନରାବୃତ୍ତି କରି କହିଥିଲେ ଯେ, ଭାଜପା ତାର ସବୁଠାରୁ ଶକ୍ତିଶାଳୀ ଲୋକଙ୍କୁ ପଠାଇଲେ ମଧ୍ୟ ସେମାନେ ସଫଳ ହେବେ ନାହିଁ।

ସୂଚନା ଥାଉକି, ୨୯ ଏପ୍ରିଲ ୨୦୨୬ରେ ଦକ୍ଷିଣ ୨୪ ପ୍ରଗଣାର ଫାଲଟା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ମତଦାନ ସମୟରେ ଗମ୍ଭୀର ଅନିୟମିତତା ଏବଂ ଗଣତାନ୍ତ୍ରିକ ପ୍ରକ୍ରିୟାରେ ହସ୍ତକ୍ଷେପ ପରେ, ନିର୍ବାଚନ କମିଶନ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। କମିଶନ ଭୋଟ୍‌ ବାତିଲ କରିଛନ୍ତି ଏବଂ ୨୧ ମେ’ରେ ସମସ୍ତ ୨୮୫ ମତଦାନ କେନ୍ଦ୍ରରେ ପୁନଃନିର୍ବାଚନ ଘୋଷଣା କରିଛନ୍ତି। ମେ’ ୨୪ରେ ଏଠାରେ ଭୋଟ୍‌ ଗଣତି ହେବ।

Dharitri – Odisha’s No.1 Odia Daily

Share