ପୁଣି PM ମୋଦିଙ୍କ ଆଗରେ ବଡ଼ ଦାବି ରଖିଲେ ଅଭିଜିତ ଦୀପକେ: ୧୫ ଅଗଷ୍ଟରେ Gen Z ଙ୍କ ପାଇଁ…

ନୂଆଦିଲ୍ଲୀ, ୭।୮: ଜନ୍ତର ମନ୍ତରରେ ପ୍ରତିବାଦ କରିବା ପରେ ବର୍ତ୍ତମାନ କକରୋଚ ଜନତା ପାର୍ଟି (CJP) ନୂଆ ପ୍ରସଙ୍ଗଗୁଡ଼ିକୁ ନେଇ ଆଲୋଚନା କରୁଛି। ସିଜେପିର କୋର୍‌ ଟିମ୍‌ର ବୈଠକ ଅଭିଜିତ ଦୀପକେଙ୍କ ଘରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଆଗାମୀ ଦିନରେ କିପରି କାମ କରାଯିବ, ସେନେଇ ରଣନୀତି ପ୍ରସ୍ତୁତ କରାଯାଇଥିଲା। ଏହା ପରେ ଦୀପକେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୧୫ ଅଗଷ୍ଟର ଭାଷଣକୁ ନେଇ ଏକ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ, ଏଥର ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ଜେନ ଜି (Gen Z) ଏବଂ ଯୁବପିଢ଼ି ବିଷୟରେ କଥା କୁହନ୍ତୁ।

ଅଭିଜିତ ଦୀପକେ କହିଛନ୍ତି, ୧୫ ଅଗଷ୍ଟ ଆସୁଛି। ପ୍ରତିବର୍ଷ ଆମ ପ୍ରଧାନମନ୍ତ୍ରୀ ଲାଲକିଲ୍ଲାରୁ ଦେଶକୁ ସମ୍ବୋଧନ କରନ୍ତି। ଆମର ଇଚ୍ଛା, ଏଥରର ଭାଷଣ Gen Z ଏବଂ ଯୁବପିଢ଼ିଙ୍କ ପାଇଁ ଉତ୍ସର୍ଗୀକୃତ ହେଉ। ସେ ତାଙ୍କ ଭାଷଣରେ କହୁନ୍ତୁ ଯେ, Gen Z ଏବଂ ଯୁବମାନଙ୍କ ପାଇଁ ସରକାର କ’ଣ କରୁଛି ଏବଂ ସେମାନଙ୍କୁ କିପରି ଏକ ଉଜ୍ଜ୍ୱଳ ଭବିଷ୍ୟତ ଦେଇପାରିବ। ମୁଁ ସମସ୍ତଙ୍କୁ ମଧ୍ୟ ଅନୁରୋଧ କରୁଛି ଯେ, ଆଗାମୀ ଏକ ସପ୍ତାହ ଧରି ଆପଣମାନେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରନ୍ତୁ ଯେ, ଏଥରର ଭାଷଣ ଯୁବମାନଙ୍କ ପାଇଁ ହେଉ।

୬ ଅଗଷ୍ଟରେ ଅଭିଜିତ ଦୀପକେ କହିଥିଲେ ଯେ, କକରୋଚ ଜନତା ପାର୍ଟି ଖୁବ ଶୀଘ୍ର ଏକ ନୂଆ ଅଭିଯାନ ଆରମ୍ଭ କରିବ, ଯାହା ମାଧ୍ୟମରେ ସିଧାସଳଖ ଭାବେ ଜନସାଧାରଣଙ୍କ ସହ ସଂଳାପ କରାଯିବ। ଆସନ୍ତା ମାସରୁ ସାରା ଭାରତରେ ଲୋକଙ୍କ ସହ କଥାବାର୍ତ୍ତା କରି ସେମାନଙ୍କ ସମସ୍ୟା ଓ ମତାମତ ଜାଣିବା ପାଇଁ ‘କ୍ୟା ବୋଲତି ହୈ ପବ୍ଲିକ’ ନାମରେ ଏକ ଅଭିଯାନ ଆରମ୍ଭ କରାଯିବ। ଦୀପକେ ଏହି ସମସ୍ତ ସୂଚନା ଏକ ଖବରଦାତା ସମ୍ମିଳନୀରେ ଦେଇଥିଲେ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାକୁ ଏକ ବଡ଼ ସଫଳତା ବୋଲି ବର୍ଣ୍ଣନା କରି ଦୀପକେ କହିଥିଲେ, ଗତ ୧୦୧୨ ବର୍ଷ ଧରି ଏହି ସରକାର ଲୋକଙ୍କ ମନରେ ଯେଉଁ ଭୟ ସୃଷ୍ଟି କରିଥିଲା, ତାହା ବର୍ତ୍ତମାନ ଶେଷ ହୋଇଯାଇଛି। ଏବେ ଲୋକମାନେ ରାସ୍ତାକୁ ଓହ୍ଲାଇବେ। ଆଜି ସେମାନେ ଜଣେ ବ୍ୟକ୍ତିଙ୍କ ଇସ୍ତଫା ଦାବି କରିଛନ୍ତି, କାଲି ଅନ୍ୟମାନଙ୍କର ମଧ୍ୟ ଇସ୍ତଫା ଦାବି କରିବେ।

 

Odisha’s No.1 Odia Daily