ଲାଞ୍ଚ ନେଇ ଧରାପଡ଼ିଲେ ଏବିଇଓ

ଡେରାବିଶ,୧୦ା୬(ସ୍ବ.ପ୍ର.): ଜଣେ ଶିକ୍ଷକଙ୍କ ଦୁଇମାସର ଦରମା କରାଇଦେବାକୁ କହି ତାଙ୍କ ଠାରୁ ଶୁକ୍ରବାର ପୂର୍ବାହ୍ନରେ ୫୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି ଡେରାବିଶ ବ୍ଲକର ଅତିରିକ୍ତ ଶିକ୍ଷାଧିକାରୀ(ଏବିଇଓ) ବିପିନ ବିହାରୀ ସିଂ।

ସୂଚନାନୁଯାୟୀ କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଅନ୍ତର୍ଗତ ନହଙ୍ଗ ପଞ୍ଚାୟତର ଭାଗବତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅନିରୁଦ୍ଧ ସିଂ ନିଜର ବନ୍ଦ ହୋଇଥିବା ଦୁଇମାସର ଦରମା ପାଇବା ପାଇଁ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ବାରମ୍ବାର ଦୌଡ଼ି ନିରାଶ ହେଉଥିଲେ। ତେବେ ଏହି ଦରମା ବିଲ୍‌ କରାଇଦେବାକୁ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ବିପିନ ଅନିରୁଦ୍ଧଙ୍କୁ ୫୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ତେବେ ଆଜି ପୂର୍ବାହ୍ନରେ ବିପିନ ଅନିରୁଦ୍ଧଙ୍କ ଠାରୁ ଏହି ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଭିଜିଲାନ୍ସ ଟିମ୍‌ ହାତରେ ଧରାପଡ଼ିଥିଲେ। ଭିଜିଲାନ୍ସ ଟିମ୍‌ ପରେ ଲାଞ୍ଚ ଟଙ୍କା ଜବତ କରିବା ସହ ବିପିନଙ୍କୁ ଗିରଫ କରିଥିଲେ। ଏ ସଂକ୍ରାନ୍ତରେ କଟକ ଭିଜିଲାନ୍ସ ବିଭାଗରେ କେସ୍‌ ନଂ-୩୫/୨୨ୟୁ/ଏସ୍‌-୭ ପିସିଏସିଟି-୧୯୮୮ରେ ଏକ ମାମଲା ରୁଜୁ କରାଯାଇଛି। ପରେ କେନ୍ଦ୍ରାପଡ଼ା ବ୍ଲକ ଅଧିନ ବାଲିଆସ୍ଥିତ ବିପିନଙ୍କ ବାସଭବନ ଉପରେ ଚଢ଼ାଉ ଜରିରହିଛି।