ନାବାଳକ ଅମ୍ରିତ ଅପହରଣ ଘଟଣା: ଏନ୍‌ଏଚ୍‌ଆର୍‌ସିରେ ମାମଲା

ଭୁବନେଶ୍ୱର,୧୯।୧୨ (ବ୍ୟୁରୋ):ନୟାଗଡ ଜିଲା ଓଡ଼ଗାଁ ଥାନା କୁରାଳ ଗ୍ରାମର ପୂର୍ଣ୍ଣଚନ୍ଦ୍ର ପାତ୍ରଙ୍କ ୧୨ ବର୍ଷୀୟ ନାବାଳକ ପୁଅ ଅମ୍ରିତ ପାତ୍ରଙ୍କୁ ଅପହରଣ ଘଟଣା ଜାତୀୟ ମାନବ ଅଧିକାର କମିଶନ(ଏନ୍‌ଏଚ୍‌ଆର୍‌ସି)ଙ୍କ ନିକଟରେ ପହଞ୍ଚତ୍ଛି। ନ୍ୟାୟ ପାଇଁ ଲଢେଇ ପରିବାରର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ ଏକ ମାମଲା ଦାଏର କରିଛନ୍ତି। କ୍ଷମତାର ଅପବ୍ୟବହାର କରୁଥିବା ସମ୍ପୃକ୍ତ ଥାନା ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ଏନେଇ ଏନ୍‌ଏଚ୍‌ଆର୍‌ସି କେଶ ନଂ. ୨୧୧୩୨/ଇନ୍‌/୨୦୨୨ ଦାଏର ହୋଇଛି। ଗତ ୧୫ ରିଖରେ ନାବାଳକ ଅମ୍ରିତ ଟ୍ୟୁଶନ ଯାଇଥିବା ସମୟରେ ତାଙ୍କୁ କେହି ଅପହରଣ କରିନେଇଛନ୍ତି। ଘରଠାରୁ ୫୦ ମିଟର ଦୂରରେ ତାଙ୍କ ସାଇକେଲ ମିଳିଥିଲା। ଅମ୍ରିତଙ୍କୁ ନ ପାଇବାରୁ ପରିବାର ପକ୍ଷରୁ ଓଡ଼ଗାଁ ଥାନାରେ ଅଭିଯୋଗ କରାଯାଇଥିଲା। ଘଟଣାକୁ ୭୨ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ଓଡ଼ଗାଁ ପୋଲିସ ଏ ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି କି ଅମ୍ରିତଙ୍କ ପତ୍ତା ପାଇପାରୁନାହିଁ ବୋଲି ସୁବ୍ରତ ଅଭିଯୋଗ କରିଛନ୍ତି।