କିଟ୍‌ର ୬ ଇଞ୍ଜିନିୟରିଂ ପାଠ୍ୟକ୍ରମକୁ ଆବେଟ୍‌ର ସ୍ବୀକୃତି

ଭୁବନେଶ୍ୱର, ୧୯।୯(ବ୍ୟୁରୋ):କିଟ୍‌ ବିଶ୍ୱବିଦ୍ୟାଳୟରେ ଇିଞ୍ଜିନିୟରିଂର ୬ଟି ପାଠ୍ୟକ୍ରମକୁ ଆମେରିକାର ପ୍ରତିଷ୍ଠିତ ଆକ୍ରିଡିଟେଶନ ବୋର୍ଡ ଫର୍‌ ଇଞ୍ଜିନିୟରିଂ ଆଣ୍ଡ୍‌ ଟେକ୍ନୋଲୋଜି(ଆବେଟ୍‌)ର ସ୍ବୀକୃତି ମିଳିଛି। ଗୋଟିଏ ଅନୁଷ୍ଠାନର ୬ଟି ପାଠ୍ୟକ୍ରମକୁ ଆବେଟ୍‌ ମାନ୍ୟତା ମିଳିବା କ୍ଷେତ୍ରରେ କିଟ୍‌ ବିଶ୍ୱବିଦ୍ୟାଳୟ ହେଉଛି ଦେଶର ପ୍ରଥମ। ଆବେଟ୍‌ ହେଉଛି ଇିଞ୍ଜିନିୟରିଂ ଓ ଇଞ୍ଜିନିୟରିଂ ଟେକ୍ନୋଲୋଜି ଶିକ୍ଷାକୁ ମାନ୍ୟତା ପ୍ରଦାନ କରୁଥିବା ବିଶ୍ୱର ପ୍ରମୁଖ ସଙ୍ଗଠନ। ଇଞ୍ଜିନିୟରିଂ ଶିକ୍ଷା ପାଇଁ ‘ଗୋଲ୍ଡ ଷ୍ଟାଣ୍ଡାର୍ଡ’ ଭାବେ ବିବେଚିତ ହେଉଥିବା ଆବେଟ୍‌ ଗୁଣାତ୍ମକମାନ ଥିବା ପାଠ୍ୟକ୍ରମ ସହ ଉତ୍ତୀର୍ଣ୍ଣ ହେଉଥିବା ସ୍ନାତକମାନଙ୍କୁ ଅନ୍ତର୍ଜାତୀୟସ୍ତରର କର୍ମକ୍ଷେତ୍ରରେ ପ୍ରବେଶ କରିବାର ସୁଯୋଗ ଦେଇଥାଏ। ଗୁଣାତ୍ମକ ଶିକ୍ଷା ସହ ଅନ୍ୟାନ୍ୟ ବିଷୟରେ ସମାନୁପାତିକ ଉନ୍ନତ ମାନ ପାଇଁ ଆବେଟ୍‌ କିଟ୍‌ର ୬ଟି ପାଠ୍ୟକ୍ରମକୁ ଏକାଥରକେ ସ୍ବୀକୃତି ପ୍ରଦାନ କରିଛି। ଏଥିପାଇଁ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସମସ୍ତ ଛାତ୍ରୀଛାତ୍ର ଓ ଅଧ୍ୟାପିକାଅଧ୍ୟାପକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ଏହି ମାନ୍ୟତା ପାଇବା ଦ୍ୱାରା କିଟ୍‌ ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ପାଇଁ ଅନ୍ତର୍ଜାତୀୟ ସ୍ତରରେ ନିଜ ଭବିଷ୍ୟତ ତିଆରି କରିବାରେ ଆଉଏକ ସୁଯୋଗ ସୃଷ୍ଟି ହୋଇଛି। ଆବେଟ୍‌ ମାନ୍ୟତା ଯେକୌଣସି ବୈଷୟିକ ବିଶ୍ୱବିଦ୍ୟାଳୟ ପାଇଁ ଅତ୍ୟନ୍ତ ସମ୍ମାନର ବିଷୟ ବୋଲି ସାମନ୍ତ କହିଛନ୍ତି।