Categories: ଖେଳ

ଭାରତର ପତାକା ଉଠାଇବେ ଅବନୀ

ଟୋକିଓ,୪।୯: ରବିବାର ଟୋକିଓ ପାରାଲିମ୍ପିକ୍ସ ଉଦ୍‌ଯାପିତ ହେବ। ୧୨ ଦିନ ଧରି ଚାଲିଥିବା ପାରାଲିମ୍ପିକ୍ସର ୧୬ତମ ସଂସ୍କରଣର ଉଦ୍‌ଯାନୀ ଉତ୍ସବ ଟୋକିଓ ନ୍ୟାଶନାଲ ଷ୍ଟାଡିୟମରେ ଆୟୋଜନ ହେବ। ଉତ୍ସବରେ ସ୍ବର୍ଣ୍ଣ ପଦକ ଜିତିଥିବା ୧୮ ବର୍ଷୀୟା ମହିଳା ଶୁଟର ଅବନୀ ଲେଖରା ଭାରତର ପତାକା ବାହକ ଦାୟିତ୍ୱ ନିର୍ବାହ କରିବେ। ଅବନୀ ଆର-୨ ମହିଳା ୧୦ ମିଟର ଏୟାର ରାଇଫଲ ଷ୍ଟାଣ୍ଡିଂ ଏସ୍‌ଏଚ୍‌୧ ଇଭେଣ୍ଟରେ ସୋମବାର ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଏହାକୁ ବାଦ୍‌ ଦେଲେ ସେ ୫୦ ମି. ରାଇଫଲ ୩ ପୋଜିଶନ ଏସ୍‌ଏଚ୍‌୧ ଇଭେଣ୍ଟରେ ଶୁକ୍ରବାର ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଅବନୀ ପତାକା ବହନ କରିବେ ଓ ଭାରତୀୟ ଦଳର ୧୧ଜଣ ପ୍ରତିଯୋଗୀ ଉଦ୍‌ଯାପନୀ ଉତ୍ସବରେ ଅଂଶଗ୍ରହଣ କରିବେ ବୋଲି ପାରାଲିମ୍ପିକ୍‌ କମିଟି ଅଫ୍‌ ଇଣ୍ଡିଆ (ପିସିଆଇ) ପକ୍ଷରୁ କୁହାଯାଇଛି। ୨୦୧୨ରେ ଏକ କାରା ଦୁର୍ଘଟଣାରେ ସେ ଶିକାର ହୋଇଥିଲେ ଓ ଅଣ୍ଟା ତଳକୁ ସେ ପକ୍ଷାଘାତର ଶିକାର ହୋଇଥିଲେ। ସେ ପ୍ରଥମ ମହିଳା ଆଥଲେଟ ଭାବେ ଗୋଟିଏ ସଂସ୍କରଣରେ ଦୁଇଟି ପଦପ ହାସଲ କରିଛନ୍ତି। ଗତ ୨୪ ତାରିଖରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ଶଟ୍‌ପୁଟର ଟେକ ଚାନ୍ଦ ଭାରତ ପତାକା ବହନ କରିଥିଲେ।

Share