କନ୍ୟା ସନ୍ତାନ ବିମୁଖତା ଦୂରହେଉ

ବୈକୁଣ୍ଠନାଥ ମିଶ୍ର

 

ନାରୀ ଓ ପୁରୁଷ ପ୍ରକୃତିର ଅନନ୍ୟ ସୃଷ୍ଟି। ଦୁହେଁ ପରସ୍ପରର ପରିପୂରକ। ଏକ ବିନା ଅନ୍ୟର ସ୍ଥିତି ନିରର୍ଥକ। ସୃଷ୍ଟିର ପ୍ରାରମ୍ଭରୁ ଏ ପୁରୁଷ ପ୍ରଧାନ ସମାଜରେ ନାରୀକୁ ଗୈାଣଭାବେ ପ୍ରଦର୍ଶିତ କରାଯାଇ ଆସିଛି। ମନେ କରାଯାଉଥିଲା ଯେ ନାରୀର ମୁଖ୍ୟ ଦାୟିତ୍ୱ ହେଲା ସନ୍ତାନ ସୃଷ୍ଟି ଓ ପୁରୁଷର ଆନୁଗତ୍ୟ ସ୍ବୀକାର। ରାଷ୍ଟ୍ର ଗଠନରେ, ରାଜନୀତିରେ, ଧର୍ମୀୟ କ୍ରିୟାନୁଷ୍ଠାନରେ ଓ ସାମାଜିକ ଉତ୍ସବାନୁଷ୍ଠାନଗୁଡିକରେ ନାରୀର ଭୂମିକାକୁ ମିଳୁ ନ ଥିଲା ଯଥୋଚିତ ସ୍ବୀକୃତି। ଏପରି କି କୌଣସି ମାତାପିତାଙ୍କର ପୁତ୍ର ସନ୍ତାନ ନ ଥିଲେ ତାଙ୍କ ଶବରେ ମୁଖାଗ୍ନି ଦେବା ଓ ଅନ୍ତ୍ୟେଷ୍ଟିକ୍ରିୟା ସମାପନରେ କନ୍ୟାକୁ ବାରଣ କରାଯାଇ ସମ୍ପର୍କୀୟ ପୁତୁରା ବା ଭଣଜା ଦ୍ୱାରା ଏ କାର୍ଯ୍ୟ କରାଯାଇ ଆସୁଛି। କନ୍ୟା ଯଦି ଏଥିରେ ଭାଗ ନେବାକୁ ଚାହୁଁଛି ତାକୁ ସହିବାକୁ ପଡୁଛି ଅନବଦ୍ୟ ଲାଞ୍ଛନା ଓ ତିରସ୍କାର।
ତ୍ୟାଗ ହିଁ ନାରୀର ସର୍ବଶ୍ରେଷ୍ଠ ଭୂଷଣ। ପ୍ରତିକୂଳ ପରିସ୍ଥିତିରେ ସନ୍ତାପିତ ହୃଦୟରେ ସନ୍ତାନକୁ ମଣିଷ ପରି ଗଢିତୋଳିବାର ଅଭୀପ୍ସା ଓ ତଜ୍ଜନିତ ସଫଳତା ତାକୁ ଦିଏ ଶ୍ରେଷ୍ଠ ବିନ୍ଧାଣିଟିଏର ପରିଚୟ। ସେ ଜିଜାବାଈ ସାଜି ଗଢିପାରନ୍ତି ଏ ଜାତିର ଛତ୍ରପତି। ପୁଣି ସେମାନେ ନିଜକୁ ସଜାଇ ଦିଅନ୍ତି ଲକ୍ଷ୍ମୀବାଈ, ଦୁର୍ଗାବାଈ, ଅହଲ୍ୟାବାଈ ଓ ମହାରାଣୀ ଶୁକଦେଈ ଭାବରେ ଓ ଏ ଜାତିକୁ ଦିଅନ୍ତି ସମୁଚିତ ଦିଗ୍‌ଦର୍ଶନ। ସେ ଶକ୍ତିପ୍ରଦାୟିନୀ, ଅଭୟଦାୟିନୀ ସେ ପୁଣି ଲକ୍ଷ୍ମୀ, ସରସ୍ବତୀ ଓ ଦୁର୍ଗତିନାଶିନୀ। ସେ କାଳୀ କାତ୍ୟାୟନୀ ଓ ଦୁଷ୍ଟ ସଂହାରିଣୀ। ସେ ସ୍ମୃତି, ମେଧା, ଧୃତି, କ୍ଷମା, ସ୍ନିଗ୍ଧା ଓ ଅଭୟା। କେବେ ସେ ସର୍ବଂସହା ଧରିତ୍ରୀ ଓ କେବେ ପୁଣି ଅଗ୍ନିପ୍ରଜ୍ୱଳିନୀ। କେବେ ସେ କ୍ଷୀଣକଟି ସ୍ରୋତସ୍ବିନୀ, କଳନନ୍ଦିନୀ ନାୟିକା ଝରଣା ତ କେବେ ପୁଣି ବନ୍ୟାପ୍ଳାବିନୀ ତଟକ୍ଷୟୀ ଉଗ୍ରତଟିନୀ। ନାରୀ ଅବଳା ଦୁର୍ବଳା ବୋଲି ପ୍ରତୀୟମାନ ହେବା ଏକ ଭ୍ରମ ମାତ୍ର। ନାରୀର ସହନଶୀଳତାକୁ ତା’ର ଦୁର୍ବଳତା ମନେକରିବା ଉଚିତ ନୁହେଁ।
ମା’ର ସନ୍ତାନ ବାତ୍ସଲ୍ୟ, ଅପତ୍ୟ ସ୍ନେହ ଓ ସର୍ବୋପରି ଉଦାର ସହନଶୀଳତା ଅନନ୍ୟ। ବିଶ୍ୱକବି ରବୀନ୍ଦ୍ରନାଥଙ୍କର ଚେତାବନୀ ହେଲା ଶିଶୁକୁ କୌଣସି ପରିସ୍ଥିତିରେ ମା’ଠାରୁ ଦୂରେଇନେବା ଉଚିତ ନୁହେଁ। ଦୁଷ୍ଟପିଲାକୁ ଶାସନ କରିବାକୁ ଯାଇ ଆମେ ବେଳେବେଳେ ତାକୁ ମାମୁ, ମାଉସୀ କିମ୍ବା ଅନ୍ୟ ସମ୍ପର୍କୀୟଙ୍କ ଘରେ ରଖାଇ ପାଠପଢ଼ାର ବ୍ୟବସ୍ଥା କରୁ; ଯାହା ଶିଶୁର ମନୋରାଜ୍ୟକୁ ଭୟଙ୍କର ପ୍ରଭାବିତ କରେ। ଆମେ ଭଲକରିବାକୁ ଯାଇ ଏପରି କିଛି କରିବା ନାହିଁ ଯାହା ପିଲାର ଭବିଷ୍ୟତକୁ ଦୁର୍ଦ୍ଦିନକୁ ଠେଲିଦେବ। ସମସ୍ତ ପ୍ରତିକୂଳତାକୁ ସାହସର ସହ ସମ୍ମୁଖୀନ ହେବାର ଦକ୍ଷତା ଶୈଶବରୁ ହିଁ ଶିକ୍ଷାଦେବା ଉଚିତ। ଏଠାରେ ଏକ ଦୃଷ୍ଟାନ୍ତର ପ୍ରାସଙ୍ଗିକତା ଉଲ୍ଲେଖ କରାଯାଇପାରେ। ପ୍ରସିଦ୍ଧ ଗଣିତଜ୍ଞ ଭାସ୍କରାଚାର୍ଯ୍ୟ ତାଙ୍କ କନ୍ୟା ଲୀଳାବତୀଙ୍କୁ ଅତି କମ୍‌ ବୟସରେ ବିବାହ କରାଇଥିଲେ। ମାତ୍ର ବିଧିର ବିଡମ୍ବନା ଯେ ଲୀଳାବତୀ ମାତ୍ର ଏଗାର ବର୍ଷ ବୟସରେ ବିଧବା ହେଲେ। ଝିଅ ଯେତେବେଳେ ଦୁଃଖରେ ଭାଙ୍ଗି ପଡୁଥିଲା, ଠିକ୍‌ ସେତିକି ବେଳେ ପିତା ତାଙ୍କୁ ଗଣିତବିଦ୍ୟା ଅଧ୍ୟୟନ ପାଇଁ ଅନୁପ୍ରେରିତ କରିଥିଲେ। ପିତାଙ୍କର ପ୍ରେରଣା ପ୍ରାପ୍ତହୋଇ ଗଣିତ ବିଦ୍ୟାରେ ଅତୀବ ବିଜ୍ଞ ଓ ଧୂରୀଣ ହୋଇ ଉଠିଲେ। ତାଙ୍କ ପ୍ରଣୀତ ‘ଲୀଳାବତୀ ସୂତ୍ର’ ପ୍ରାଚୀନ ଗଣିତଶାସ୍ତ୍ରକୁ ଏକ କାଳଜୟୀ ଅବଦାନ। ପୃଥିବୀ ଇତିହାସରେ ଗର୍ବ ଓ ଗୌରବର ଅଧିକାରିଣୀ ସାଜିଥିବା ନାରୀ ଚରିତ୍ରର ରହିଛି ସୀମାହୀନ ଉଦାହରଣ।
ସନ୍ତାନକୁ ଶ୍ରେଷ୍ଠରୂପେ ଗଢିତୋଳିବାରେ ଯେଉଁ ମା’ର ଅବଦାନ ଅତୁଳନୀୟ ପିଲା ବଡ ହେଲା ପରେ ସେହି ମା’କୁ ଦେଉଛି ଅସହ୍ୟ କଷଣ। ମା’କୁ ସୁଦୂରକୁ ଅପସାରିତ କରି ନିଜେ ସୁଖ ସମ୍ଭୋଗରେ ମାତିଉଠେ। ତା’ର ପତ୍ନୀ ଓ ସନ୍ତାନ ବିଶିଷ୍ଟ ସଂସାରରେ ମା’ଏକ ଅଲୋଡା ବସ୍ତୁ। ଯେଉଁ ନାରୀ ସ୍ବୟଂସମ୍ପୂର୍ଣ୍ଣା, ପରିପୂର୍ଣ୍ଣା ତା’ ପ୍ରତି ଆଜି ଏ ବିପରୀତ ଭାବନା କାହିଁକି ? କ୍ରମାଗତ ଭାବେ ଲକ୍ଷ୍ୟ କରାଯାଉଛି ଝିଅଙ୍କର ସଂଖ୍ୟା ପୁଅ ସଂଖ୍ୟା ତୁଳନାରେ କ୍ରମାଗତ ଭାବେ ହ୍ରାସପାଇ ଚାଲିଛି। ନ୍ୟାଶନାଲ ଫ୍ୟାମିଲ ହେଲ୍‌ଥ ସର୍ଭେ କହେ ଓଡ଼ିଶାରେ ୨୦୧୫-୧୬ରେ ପ୍ରତି ହଜାରେ ପୁଅଙ୍କ ତୁଳନାରେ ଝିଅ ସଂଖ୍ୟା ଥିଲା ୯୩୨। କିନ୍ତୁ ୨୦୨୦-୨୧ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି ଯେ ଝିଅଙ୍କ ସଂଖ୍ୟା ୮୯୪କୁ ଖସି ଆସିଛି। ଆଶ୍ଚର୍ଯ୍ୟର କଥା ୧୯୬୧ ଜନଗଣନାରେ ପ୍ରତି ୧୦୦୦ ପୁଅଙ୍କ ତୁଳନାରେ ଝିଅ ସଂଖ୍ୟା ଥିଲା ୧୦୩୫। ୧୯୭୧ରେ ଥିଲା ୧୦୨୦। ପ୍ରଥମ ଥର ପାଇଁ ୧୯୮୧ ଜନଗଣନାରେ ଝିଅ ସଂଖ୍ୟା ପୁଅ ସଂଖ୍ୟା ତୁଳନାରେ ହ୍ରାସ ପାଇ ହେଲା ୯୯୫। ସେହିବର୍ଷଠାରୁ ଝିଅ ସଂଖ୍ୟା କ୍ରମାଗତ ହ୍ରାସ ପାଇଁ ବର୍ତ୍ତମାନ ୮୯୪ରେ ପହଞ୍ଚତ୍ଛି। ପୁଅ ସଂଖ୍ୟା ତୁଳନାରେ ଝିଅ ସଂଖ୍ୟା ହ୍ରାସ ପାଇବାରେ ଓଡ଼ିଶାର ସ୍ଥାନ ସର୍ବଭାରତୀୟ ସ୍ତରରେ ଛ’ନମ୍ବର। କେରଳ, ଛତିଶଗଡ଼, ହିମାଚଳ ପ୍ରଦେଶ, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ କ୍ରମାନ୍ବୟରେ ଓଡ଼ିଶା ଉପରକୁ ଅଛନ୍ତି। ସାମଗ୍ରିକ ଭାବେ ଭାରତବର୍ଷରେ ଓ ବିଶେଷଭାବେ ଓଡ଼ିଶାରେ ଝିଅ ସଂଖ୍ୟା ହ୍ରାସ ପାଇବା କେବଳ ସରକାର ନୁହେଁ ସବୁ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। ଝିଅପୁଅ ସଂଖ୍ୟାରେ ସମତା ରକ୍ଷା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ କର୍ମଶାଳା ଆୟୋଜନ କରାଯାଇ ବିଶଦ ଆଲୋଚନା କରାଯାଇଛି। ମାତୃଗର୍ଭରେ ଲିଙ୍ଗ ନିରୂପଣକୁ ସମ୍ପୂର୍ଣ୍ଣ ଅବୈଧ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଲିଙ୍ଗ ନିରୂପିତ ନ ହୋଇ କନ୍ୟା ସନ୍ତାନ ଭୂମିଷ୍ଠ ହେଲା ପରେ ତାକୁ ମୃତ୍ୟୁମୁଖକୁ ଠେଲି ଦିଆଯାଉଛି। ନିକଟରେ ସମ୍ବଲପୁର ଅଞ୍ଚଳରେ ନବଜାତ ଶିଶୁକନ୍ୟାକୁ ଅବ୍ୟବହୃତ ନଳକୂପ ଖାତ ମଧ୍ୟରେ ନିକ୍ଷେପ କରିବା ଏହାର ଏକ ବଳିଷ୍ଠ ଉଦାହରଣ। ଉଦ୍ଧାର ହେବା ପରେ ଭିମ୍‌ସାର ମେଡିକାଲର ଡାକ୍ତର ଓ କର୍ମଚାରୀଙ୍କ ଉଦ୍ୟମରେ ଶିଶୁଟି ନବଜୀବନ ଲାଭ କରିଛି। ଉଦ୍ଧାରର ଏକୋଇଶ ଦିନ ଭିମ୍‌ସାର ପକ୍ଷରୁ ଏକ ଉତ୍ସବାନୁଷ୍ଠାନ ପାଳନ କରାଯାଇ କନ୍ୟାଟିର ନାମ ରଖାଯାଇଛି ‘ବିଜୟିନୀ’। ଭିମ୍‌ସାର କର୍ତ୍ତୃପକ୍ଷ ବାସ୍ତବରେ ଧନ୍ୟବାଦାର୍ହ।
ପୁତ୍ରମାନଙ୍କର ବୃଦ୍ଧ ମାତାପିତାଙ୍କ ପ୍ରତି ସକଳ ଅବିଚାର ସତ୍ତ୍ୱେ କନ୍ୟା ସନ୍ତାନ ପ୍ରତି ବିମୁଖତା ବଢିଚାଲିଛି। ତା’ର କାରଣ ଉଭୟ ସାମାଜିକ ଓ ଅର୍ଥନୈତିକ। ଯୌତୁକ ରାକ୍ଷସ ଓ କନ୍ୟାମାନଙ୍କୁ ମାତାପିତାଙ୍କ ଅନ୍ତ୍ୟେଷ୍ଟିକ୍ରିୟା ଓ ପିଣ୍ଡ ଦାନରେ ଭାଗ ନେବାରୁ ବଞ୍ଚତ୍ତ କରାଯିବା ଦୁଇଟି ମୁଖ୍ୟ କାରଣ। ଆମର ମା’ଟିଏ ଦରକାର, ଭଉଣୀଟିଏ ଦରକାର ମାତ୍ର କନ୍ୟା ସନ୍ତାନଟିଏ ଜାତ ହେଲେ ସବୁ ଅଙ୍କ ଯେମିତି ବିଗିଡି ଯାଉଛି। ଏ ପ୍ରକାର ହୀନ ମାନସିକତାରୁ କ’ଣ ଆମର ମୁକ୍ତି ନାହିଁ।
ସିଦ୍ଧଳ, ଜଗତ୍‌ସିଂହପୁର
ମୋ: ୯୯୩୭୪୫୦୫୪୦


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri