Categories: Home Leftଖେଳ

ସେହୱାଗଙ୍କ ପୁଅ ଆର୍ଯ୍ୟବୀରଙ୍କୁ ଲାଗିଲା ବଡ଼ ଝଟ୍‌କା: ଭଲ ପ୍ରଦର୍ଶନ ସତ୍ତ୍ୱେ ଖେଳିପାରିବେନି ଅଣ୍ଡର-୧୯ ବିଶ୍ୱକପ, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୧୬।୧୧: ଭାରତର ପୂର୍ବତନ ବିସ୍ଫୋରକ ଓପନର ବ୍ୟାଟର ବୀରେନ୍ଦ୍ର ସେହୱାଗଙ୍କ ପୁଅ ଆର୍ଯ୍ୟବୀର ସେହୱାଗ ନିକଟରେ ଅଣ୍ଡର-୧୯ ଏସିଆ କପରେ ନିଜର ଦମଦାର ପ୍ରଦର୍ଶନ ବଳରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଆର୍ଯ୍ୟବୀର ଏହି ଟୁର୍ନାମେଣ୍ଟରେ ସର୍ବାଧିକ ୩୬୩ ରନ ସଂଗ୍ରହ କରିଥିଲେ। ଏଥିରେ ୩ଟି ଅର୍ଦ୍ଧଶତକ ଓ ଗୋଟିଏ ଶତକ ସାମିଲ ଥିଲା। ପାକିସ୍ତାନ ବିପକ୍ଷ ଫାଇନାଲରେ ମଧ୍ୟ ସେ ଚମତ୍କାର ଅର୍ଦ୍ଧଶତକୀୟ ଇନିଂସ ଖେଳି ଭାରତକୁ ଅଣ୍ଡର-୧୯ ଏସିଆ କପ ୨୦୨୬ ଟାଇଟଲ ଜିତାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ। ଏହା ସହିତ ସେ ପ୍ଲେୟାର ଅଫ ଦି ଟୁର୍ନାମେଣ୍ଟ ପୁରସ୍କାର ମଧ୍ୟ ହାତେଇଥିଲେ।

ତେବେ ଏତେ ଭଲ ପ୍ରଦର୍ଶନ ସତ୍ତ୍ୱେ ଆର୍ଯ୍ୟବୀର ଆଗାମୀ ଅଣ୍ଡର-୧୯ ବିଶ୍ୱକପରେ ଖେଳିପାରିବେ ନାହିଁ। ଏହା ପଛରେ ରହିଛି ତାଙ୍କ ବୟସ ସମ୍ବନ୍ଧୀୟ ନିୟମ।

ପୁରୁଷ ଅଣ୍ଡର-୧୯ ବିଶ୍ୱକପର ପରବର୍ତ୍ତୀ ସଂସ୍କରଣ ୨୦୨୮ରେ ବାଂଲାଦେଶ ଆୟୋଜନ କରିବ। କିନ୍ତୁ ବୀରେନ୍ଦ୍ର ସେହୱାଗଙ୍କ ପୁଅ ଏହି ବିଶ୍ୱକପରେ ଭାଗ ନେଇପାରିବେ ନାହିଁ। ସେ ୨୦୨୬ ଅଣ୍ଡର-୧୯ ବିଶ୍ୱକପରେ ମଧ୍ୟ ଖେଳିପାରିନଥିଲେ। ଏବେ ଭବିଷ୍ୟତରେ ମଧ୍ୟ ଏହି ଟୁର୍ନାମେଣ୍ଟ ଖେଳିବାର ସୁଯୋଗ ତାଙ୍କୁ ମିଳିବ ନାହିଁ।

ଏହାର କାରଣ ହେଉଛି ତାଙ୍କ ବୟସ। ଆର୍ଯ୍ୟବୀରଙ୍କ ଜନ୍ମ ୧୯ ଅକ୍ଟୋବର ୨୦୦୭ରେ ହୋଇଥିଲା। ଏବେ ତାଙ୍କୁ ୧୯ ବର୍ଷ ହୋଇସାରିଛି। ୨୦୨୮ ବିଶ୍ୱକପ ବେଳକୁ ତାଙ୍କ ବୟସ ୨୦ ବର୍ଷରୁ ଅଧିକ ହୋଇଯିବ। ତେଣୁ ବୟସ ସୀମା ନିୟମ ଯୋଗୁ ସେ ଅଣ୍ଡର-୧୯ ବିଶ୍ୱକପ ଖେଳିବାକୁ ଯୋଗ୍ୟ ହେବେ ନାହିଁ।

ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC)ର ନିୟମ ଅନୁସାରେ, କୌଣସି ଅନ୍ତର୍ଜାତୀୟ ମ୍ୟାଚରେ ଜାତୀୟ କ୍ରିକେଟ ଦଳ ପାଇଁ ଖେଳିବାକୁ ଜଣେ ଖେଳାଳିଙ୍କ ବୟସ ଅତି କମରେ ୧୫ ବର୍ଷ ହୋଇଥିବା ଆବଶ୍ୟକ। ICC ଟୁର୍ନାମେଣ୍ଟ ଓ ଅଣ୍ଡର-୧୯ ମ୍ୟାଚଗୁଡ଼ିକରେ ମଧ୍ୟ ଏହି ନିୟମ ଲାଗୁ ହୁଏ।

ଅନ୍ୟପକ୍ଷରେ, ICC ପୁରୁଷ ଅଣ୍ଡର-୧୯ ବିଶ୍ୱକପ ଓ ମହିଳା ଟି-୨୦ ବିଶ୍ୱକପରେ ଖେଳିବା ପାଇଁ ଏକ ସ୍ବତନ୍ତ୍ର ବୟସ ସୀମା ନିୟମ ରହିଛି। ଏହି ନିୟମ ଅନୁସାରେ, ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ ପୂର୍ବରୁ ଆସୁଥିବା ୩୧ ଅଗଷ୍ଟ ତାରିଖରେ ଖେଳାଳିଙ୍କ ବୟସ ୧୯ ବର୍ଷରୁ କମ ହୋଇଥିବା ଆବଶ୍ୟକ।

ଅର୍ଥାତ୍‌ ୩୧ ଅଗଷ୍ଟରୁ ୧ ସେପ୍ଟେମ୍ବର ମଧ୍ୟରାତ୍ରି ପର୍ଯ୍ୟନ୍ତ ଖେଳାଳିଙ୍କ ବୟସ ୧୯ ବର୍ଷରୁ କମ ରହିବା ଜରୁରୀ। ଖେଳାଳିଙ୍କ ଜନ୍ମ ଦେଶର ସ୍ଥାନୀୟ ସମୟ ଅନୁସାରେ ତାଙ୍କ ବୟସ ଗଣନା କରାଯାଏ। ଏହି ନିୟମ ଆଧାରରେ କେଉଁ ଖେଳାଳି ଅଣ୍ଡର-୧୯ ବିଶ୍ୱକପ ଖେଳିପାରିବେ, ତାହା ସ୍ଥିର କରାଯାଏ।

ତେବେ ଭାରତର ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ଼ଙ୍କ ପୁଅ ଅନୱୟ ଦ୍ରାବିଡ଼ଙ୍କ ପାଖରେ ଅଣ୍ଡର-୧୯ ବିଶ୍ୱକପ ଖେଳିବାର ସୁଯୋଗ ରହିଛି। ଅନୱୟ ମଧ୍ୟ ଅଣ୍ଡର-୧୯ ଏସିଆ କପରେ ପ୍ର ଖେଳିଥିଲେ। ତେବେ ଏହି ଟୁର୍ନାମେଣ୍ଟରେ ବ୍ୟାଟରେ ସେ ବିଶେଷ କିଛି କରିପାରିନଥିଲେ।

 

Dharitri – Odisha’s No.1 Odia Daily

Share