Categories: ଖେଳ

ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗିପାରିଲେନି ଫିଞ୍ଚ୍‌

ସାଉଥାମ୍ପଟନ, ୫।୯: ଅଷ୍ଟ୍ରେଲିଆ ଅଧିନାୟକ ଆରୋନ୍‌ ଫିଞ୍ଚ୍‌ ଘରୋଇ ଇଂଲଣ୍ଡ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ୩୨ ବଲରୁ ୪୬ ରନର ଉଲ୍ଲେଖନୀୟ ଇନିଂସ ଖେଳିଛନ୍ତି। ଭଲ ବ୍ୟାଟିଂ ସତ୍ତ୍ୱେ ଫିଞ୍ଚ ନିଜ ଦଳକୁ ଜିତାଇ ପାରି ନ ଥିଲେ ମଧ୍ୟ ଏକ ସଫଳତା ପାଇଛନ୍ତି। ଏହି ଅବସରରେ ସେ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ୍‌ରେ ୨ ହଜାର ରନ୍‌ ପୂରଣ କରିଛନ୍ତି। ଟି୨୦ ଫର୍ମାଟରେ ଦ୍ରୁତତ୍ତମ ବ୍ୟାଟ୍ସମ୍ୟାନ ଭାବେ ୨ ହଜାର ପୂରଣ କରିବା ତାଲିକରେ ସେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ନାମରେ ଟି୨୦ରେ ଦ୍ରୁତତ୍ତମ ବ୍ୟାଟ୍ସମ୍ୟାନ ଭାବେ ୨ ହଜାର ରନ୍‌ ପୂରଣ କରିବାର ରେକର୍ଡ ରହିଛି। ଅନ୍ତର୍ଜାତୀୟ ଟି୨୦ କ୍ରିକେଟ୍‌ରେ ୨ ହଜାର ରନ୍‌ ପୂରଣ କରିବା ଲାଗି ବିରାଟ ୫୬ ଇନିଂସ ଖେଳିଥିଲେ। କିନ୍ତୁ ଫିଞ୍ଚ୍‌ (୬୨ ଇନିଂସ) କୋହଲିଙ୍କଠାରୁ ୬ଟି ଇନିଂସ ଅଧିକ ଖେଳି ୨ ହଜାର ରନ୍‌ ପୂରଣ କରିଛନ୍ତି। ଏହି ତାଲିକାରେ ବ୍ରେଣ୍ଡନ ମ୍ୟାକ୍‌କୁଲମ (୬୬ ଇନିଂସ), ମାର୍ଟିନ ଗପ୍‌ଟିଲ୍‌ (୬୮), ପଲ୍‌ ଷ୍ଟ୍ରିଲିଂ (୭୨), ଡେଭିଡ୍‌ ଓ୍ବାର୍ନର (୭୩), ରୋହିତ୍‌ ଶର୍ମା (୭୭), ଇଅନ ମୋର୍ଗାନ (୮୪), ମହମ୍ମଦ ହାଫିଜ (୮୯) ଓ ସୋଏମ ମଲିକ (୯୨) ଯଥାକ୍ରମେ ୩ୟରୁ ୧୦ମ ସ୍ଥାନ ମଧ୍ୟରେ ରହିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ସାଉଥାମ୍ପଟନରେ ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚ୍‌ରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୭ ଉଇକେଟ୍‌ ହରାଇ ୧୬୨ ରନ କରିଥିଲା। ଜବାବରେ ଭ୍ରମଣକାରୀ ଅଷ୍ଟ୍ରେଲିଆ (୧୬୦/୬) ବିଜୟଠାରୁ ୩ ରନ୍‌ ଦୂରରେ ରହିଯାଇଥିଲା।

Share