୨୫ ଲକ୍ଷ ଲୋକଙ୍କ ଘରକୁ ଯିବେ ଏଏପି କର୍ମକର୍ତ୍ତା

ଭୁବନେଶ୍ୱର,୧୦।୪ (ବ୍ୟୁରୋ): ରାଜ୍ୟରେ ୨୦୦ ୟୁନିଟ୍‌ ପର୍ଯ୍ୟନ୍ତ ଦେୟମୁକ୍ତ ବିଜୁଳି ପ୍ରଦାନ ଦାବି ନେଇ ଆମ ଆଦମୀ ପାର୍ଟି(ଏଏପି) ଓଡିଶା ଶାଖା ପକ୍ଷରୁ ଆନ୍ଦୋଳନର ରୂପରେଖ ଦେବା ପାଇଁ ଏକ ପ୍ରସ୍ତୁତି ସଭା ଶନିବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ଇନଷ୍ଟିଚ୍ୟୁଶନ ଅଫ ଇଂଜିନିୟର୍ସ ସଭାଗୃହରେ ଆୟୋଜିତ ଏହି ସଭାରେ ଏଏପି ଓଡିଶା ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର ସଭାପତିତ୍ୱ କରିଥିଲେ। ରାଜ୍ୟରେ ବିଦ୍ୟୁତ ସରବରାହର ବାସ୍ତବିକ ସ୍ଥିତି ଓ ୨୦୦ ୟୁନିଟ୍‌ ଦେୟମୁକ୍ତ ବିଜୁଳି ପ୍ରଦାନର ଯୁକ୍ତିଯୁକ୍ତତା ପରିପ୍ରେକ୍ଷୀରେ ଏଏପି ଓଡ଼ିଶାର ମୁଖ୍ୟ ମୁଖପାତ୍ର ରଙ୍ଗାଚରଣ ପ୍ରଧାନ ଆଲୋଚନା କରିଥିଲେ। ଏହି ଅଭିଯାନ କ୍ରମେ ସମସ୍ତ ଦାବିକୁ ନେଇ ଏକ ଦାବି ପତ୍ର ପ୍ରସ୍ତୁତ କରାଯାଇ ସମସ୍ତ କର୍ମକର୍ତ୍ତାଙ୍କୁ ପ୍ରଦାନ କରାଯାଇଥିଲା। ଏହି ଅଭିଯାନରେ ୨ ମାସ ମଧ୍ୟରେ ଏଏପି କର୍ମକର୍ତ୍ତା ଦାବିପତ୍ରକୁ ନେଇ ଘରକୁ ଘର ଯିବେ ଓ ସହମତି ସହ ଦସ୍ତଖତ ସଂଗ୍ରହ କରିବେ। ଉକ୍ତ ଦାବିପତ୍ରକୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବା ନେଇ ସ୍ଥିର କରାଯାଇଥିଲା। କାର୍ଯ୍ୟକ୍ରମରେ ବିଜୁଳି ଆନ୍ଦୋଳନକୁ ପ୍ରାୟ ୨୫ ଲକ୍ଷ ଲୋକଙ୍କ ଘରେ ପହଞ୍ଚାଇବା ପାଇଁ ରାଜ୍ୟ ଆବାହକ ମହାପାତ୍ର ଆହ୍ବାନ ଦେଇଛନ୍ତି। ଏହି ସଭାରେ ଏକ ମିଶ୍ରଣ ପର୍ବ ମଧ୍ୟ ଅନୁଷ୍ଠିତ ହୋଇଥିଲା।