ଆଦିପୁରୁଷ ବିବାଦ ଅନ୍ତରାଳେ

ନିକଟରେ ହିନ୍ଦୀ ଚଳଚ୍ଚିତ୍ର ‘ଆଦିପୁରୁଷ’କୁ ନେଇ ବିବାଦ ସୃଷ୍ଟି ହୋଇଛି। ତିନି ମାସ ତଳେ ଏହି ଚଳଚ୍ଚିତ୍ରର ଟିଜର୍‌ ରିଲିଜ୍‌ ହେବାବେଳେ ଏହାକୁ ହିନ୍ଦୁତ୍ୱବାଦୀ ସଙ୍ଗଠନମାନେ ବିରୋଧ କରିଥିଲେ। ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରଙ୍କ ପରି ଭାଜପାର ଅନେକ ନେତା ଏହାକୁ ନେଇ ତିବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ବିଶେଷ କରି ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ର ଭଗବାନ ରାମଙ୍କ ନିଶ ରହିବା, ହନୁମାନଙ୍କର ମୁସଲମାନଙ୍କ ପରି ଦାଢ଼ି ରହିବା ତଥା ରାବଣ ଚରିତ୍ରରେ ସୈଫ ଅଲ୍ଲୀ ଖାନ୍‌ ଅଭିନୟ କରିବାକୁ ସେମାନେ ବିରୋଧ କରିଥିଲେ। କିନ୍ତୁ ଗତ ତିନି ମାସ ମଧ୍ୟରେ ଚଳଚ୍ଚିତ୍ରର ପ୍ରଯୋଜକ ଓ ଅନ୍ୟମାନେ ଭାଜପା ଏବଂ ତା’ ସହଯୋଗୀ ସଙ୍ଗଠନମାନଙ୍କ ଶୀର୍ଷ ନେତୃତ୍ୱକୁ ଚଳଚ୍ଚିତ୍ର ସମ୍ପର୍କରେ କ’ଣ ଉପସ୍ଥାପନ କଲେ ଯେ ସେମାନଙ୍କ ଉଗ୍ର ବିରୋଧ ସହମତିରେ ପରିଣତ ହୋଇଗଲା। ଏପରିକି ଚଳଚ୍ଚିତ୍ରର ନିର୍ଦ୍ଦେଶକ ତା’ର ନିର୍ମାଣରେ ସହଯୋଗ କରିଥିବାରୁ ଆନୁଷ୍ଠାନିକ ଭାବେ ଯୋଗୀ ଆଦିତ୍ୟନାଥ, ପୁଷ୍କର ସିଂ ଧାମି, ହେମନ୍ତ ବିଶ୍ୱଶର୍ମା ଓ ଦେବେନ୍ଦ୍ର ଫଡ଼ନବୀଶଙ୍କ ପରି ଭାଜପାର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆଜି ଚଳଚ୍ଚିତ୍ରକୁ ନେଇ ଦେଶରେ ଓ ଦେଶ ବାହାରେ ଏତେ ବ୍ୟାପକ ବିରୋଧ ହେବା ପରେ ବି ଭାଜପା କିମ୍ବା ତା’ର ସହଯୋଗୀ ସଙ୍ଗଠନମାନେ ଏହାକୁ ବିରୋଧ କରିବାକୁ ସାମ୍‌ନାକୁ ଆସି ନାହାନ୍ତି।
ଆମ ଦେଶରେ ଚଳଚ୍ଚିତ୍ରକୁ ନେଇ ବିବାଦ ନୂଆଁ ନୁହେଁ। ଅନେକ ଚଳଚ୍ଚିତ୍ର ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଉଦ୍ଦେଶ୍ୟ ନେଇ ନିର୍ମିତ ହୋଇଥିବାରୁ ତାକୁ ନେଇ ପକ୍ଷ ବିପକ୍ଷ ରହିବା ସ୍ବାଭାବିକ। ୧୯୫୩ରେ ନିର୍ମିତ ‘ଦୋ ବିଘା ଜମିନ୍‌’ ହେଉ ଅଥବା ୧୯୯୬ରେ ନିର୍ମିତ ‘ମାଚ୍ଚିସ୍‌’ କିମ୍ବା ‘ଚକ୍ରବୂ୍ୟହ’ ଏଭଳି ଚଳଚ୍ଚିତ୍ର ଜରିଆରେ ନିର୍ଦ୍ଦେଶକମାନେ ଦର୍ଶକମାନଙ୍କୁ ଏକ ରାଜନୈତିକ ବାର୍ତ୍ତା ଦେବାକୁ ସୁଚିନ୍ତିତ ଭାବେ ଉଦ୍ୟମ କରିଥାନ୍ତି। ତେଣୁ ସ୍ବାଭାବିକ ଭାବେ ଏଭଳି କୌଣସି ଚଳଚ୍ଚିତ୍ରକୁ ନେଇ ରାଜନୈତିକ ଦୃଷ୍ଟିରୁ ଭିନ୍ନମତ ବା ବିବାଦ ରହିଥାଏ। କିନ୍ତୁ ଏହି ବିରୋଧ ବା ବିବାଦ ମୂଳତଃ ବୌଦ୍ଧିକ ସ୍ତରରେ ସୀମିତ ରହୁଥିଲା। ତେବେ ଗତ କିଛି ବର୍ଷ ଧରି ଦେଶରେ ଚଳଚ୍ଚିତ୍ରକୁ ନେଇ ଯେଉଁଭଳି ଢଙ୍ଗରେ ବିରୋଧ କରାଯାଉଛି, ତାକୁ ଭିନ୍ନମତ ତ କୁହାଯିବନି ବରଂ ସାଂସ୍କୃତିକ ଦାଦାଗିରି ବୋଲି କୁହାଯିବା ଠିକ୍‌ ହେବ। ଏହି ବିପଜ୍ଜନକ ଧାରାର ଆରମ୍ଭ ପ୍ରଥମେ ବୋଧହୁଏ ‘ୱାଟର’ ଚଳଚ୍ଚିତ୍ରରୁ ହୋଇଥିଲା। ୨୦୦୦ରେ ଭାଜପା କ୍ଷମତାରେ ଥିବା ବେଳେ ବାରାଣସୀର ବିଧବା ହିନ୍ଦୁ ମହିଳାଙ୍କ ଦୁର୍ଦ୍ଦଶା ଉପରେ ନିର୍ଦ୍ଦେଶିକା ଦୀପା ମେହେଟ୍ଟାଙ୍କ ପ୍ରସ୍ତାବିତ ଏହି ଚଳଚ୍ଚିତ୍ରକୁ ଶୁଟିଂ ହେବାକୁ ଦିଆଯାଇ ନ ଥିଲା। ହିନ୍ଦୁତ୍ୱବାଦୀ ସଙ୍ଗଠନର ଲୋକମାନେ ଏହି ଚଳଚ୍ଚିତ୍ର ହିନ୍ଦୁମାନଙ୍କ ଭାବନାକୁ ଆହତ କରୁଛି ବୋଲି କହି ଶୁଟିଂ ସେଟ୍‌ରେ ପଣି ବ୍ୟାପକ ଭଙ୍ଗାରୁଜା କରିବା ପରେ ନିର୍ଦ୍ଦେଶକ ତାକୁ ଅଧାରେ ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ।
ତେବେ ଧର୍ମ ଓ ବିଚାର ଆଧାରରେ ଚଳଚ୍ଚିତ୍ରକୁ ହିଂସ୍ର ଭିଡ଼ ଦ୍ୱାରା ବିରୋଧ କରିବାର ଅନେକ ଉଦାହରଣ ଅତୀତରେ ଦେଖିବାକୁ ପାଇଛେ। ଗତ କିଛି ବର୍ଷ ଧରି କେବଳ ଧର୍ମୀୟ ଆଧାରରେ ବିଭିନ୍ନ ଚଳଚ୍ଚିତ୍ରକୁ ବିରୋଧ କରିବା ଏପରିକି ବଳପୂର୍ବକ ପ୍ରଦର୍ଶନକୁ ବନ୍ଦ କରି ତାକୁ ଏକରକମ ଫ୍ଲପ୍‌ କରିଦେବା ଦେଖିବାକୁ ମିଳିଛି। ସାମ୍ପ୍ରଦାୟିକ ଦୃଷ୍ଟିଭଙ୍ଗୀ ନେଇ କିଛି ସଙ୍ଗଠନ ଚଳଚ୍ଚିତ୍ର ଉପରେ ଏକପ୍ରକାର ସାଂସ୍କୃତିକ ଦାଦାଗିରି କରୁଛନ୍ତି। ଏକ ଫାସିବାଦୀ ଆଭିମୁଖ୍ୟ ନେଇ ସେମାନେ ଲୋକେ କ’ଣ ଖାଦ୍ୟ ଖାଇବେ, କ’ଣ ପୋଷାକ ପିନ୍ଧିବେ, କ’ଣ ଗୀତ ଶୁଣିବେ, କ’ଣ ଚଳଚ୍ଚିତ୍ର ଦେଖିବେ ତାହା ସ୍ଥିର କରିବାକୁ ଚେଷ୍ଟା କରୁଛନ୍ତି। ଗୋମାଂସ ଭକ୍ଷଣ ଉପରେ କେବେ ନିଜର ଏକ ମତାମତ ଦେଇଥିଲେ ବୋଲି ଅଭିଯୋଗ କରି ଏଭଳି ସଙ୍ଗଠନମାନେ ରଣବୀର କପୁରଙ୍କୁ ବିରୋଧ କରିବା ସହିତ ତାଙ୍କର ଓ ଆଲିଆ ଭଟ୍ଟଙ୍କ ଅଭିନୀତ ‘ବ୍ରହ୍ମାସ୍ତ୍ର’ ଚଳଚ୍ଚିତ୍ରକୁ ବିରୋଧ କରିଥିବା ବେଳେ ମୋଦି ସରକାରଙ୍କ ଅସହିଷ୍ଣୁତା ନେଇ ନିଜର ମତ ପ୍ରକାଶ କରିବା ଅଭିଯୋଗରେ ଅମୀର ଖାନ୍‌ଙ୍କ ନିର୍ଦ୍ଦେଶିତ ‘ଲାଲ୍‌ ସିଂ ଚଢ଼ା’କୁ ସେମାନେ ତିବ୍ର ବିରୋଧ କରିବା ଫଳରେ ଚଳଚ୍ଚିତ୍ରଟି ସମ୍ପୂର୍ଣ୍ଣ ରୂପେ ଫ୍ଲପ୍‌ ହୋଇଯାଇଥିଲା। କିଛିଦିନ ତଳେ ଦୀପିକା ପାଦୁକୋନ୍‌ ଏବଂ ଶାହରୁଖ୍‌ ଖାନ୍‌ଙ୍କ ଅଭିନୀତ ‘ପଠାନ୍‌’ ଚଳଚ୍ଚିତ୍ରରେ ଦୀପିକା ଏକ ଦୃଶ୍ୟରେ ଗେରୁଆ ବିକିନି ପିନ୍ଧିବାକୁ ନେଇ ସମ୍ପୂର୍ଣ୍ଣ ଚଳଚ୍ଚିତ୍ରକୁ ହିନ୍ଦୁତ୍ୱବାଦୀ ଶକ୍ତିମାନେ ବିରୋଧ କରିଥିଲେ। ତେବେ ସେମାନଙ୍କ ବିରୋଧ ସତ୍ତ୍ୱେ ଦର୍ଶକ ଏହି ଚଳଚ୍ଚିତ୍ରକୁ ଖବ୍‌ ପ୍ରଶଂସା କରିଥିଲେ, ଫଳରେ ତାହା ବକ୍ସ ଅଫିସ୍‌ରେ ବ୍ୟବସାୟରେ ଇତିହାସ ସୃଷ୍ଟି କରିଥିଲା। ତେବେ ସେମାନେ ନିଜର ସାମ୍ପ୍ରଦାୟିକ ବିଚାରରେ କେବଳ ଚଳଚ୍ଚିତ୍ରକୁ ବିରୋଧ କରୁନାହାନ୍ତି,ବରଂ ନିଜର ରାଜନୈତିକ ଏଜେଣ୍ଡାକୁ ସୁହାଉଥିବା କିଛି ଚଳଚ୍ଚିତ୍ରକୁ ଖୁବ୍‌ ପ୍ରୋତ୍ସାହିତ କରିବା ଦେଖିବାକୁ ମିଳୁଛି। ମୁସଲମାନ ସମ୍ପ୍ରଦାୟକୁ ଖରାପ ବା ନାକାରାତ୍ମକ ଭାବେ ପ୍ରଦର୍ଶିତ କରିବାକୁ ଜୋରଦାର ପ୍ରୟାସ କରିଥିବା ନିକଟ ଅତୀତରେ ମୁକ୍ତିଲାଭ କରିଥିବା ଦୁଇଟି ଚଳଚ୍ଚିତ୍ର ‘କାଶ୍ମୀର ଫାଇଲ୍‌ସ’ ଏବଂ ‘କେରଲା ଷ୍ଟୋରି’କୁ ଦେଶର ଶାସକ ଭାଜପା ଦଳ ଓ ତା’ର ସମର୍ଥିତ ସଙ୍ଗଠନମାନେ ଯେଉଁଭଳି ପ୍ରଚାର କଲେ ତାହା ଅଭୂତପୂର୍ବ ଥିଲା। ମିଥ୍ୟା ତଥ୍ୟ ଓ ସାମ୍ପ୍ରଦାୟିକ ବିଦ୍ୱେଷ ଉପରେ ଆଧାରିତ ‘କେରଲା ଷ୍ଟୋରି’କୁ ଖୋଦ୍‌ ପ୍ରଧାନମନ୍ତ୍ରୀ ଗତ କର୍ନାଟକ ବିଧାନସଭା ନିର୍ବାଚନ ସମୟରେ ପ୍ରଚାରିତ କରିଥିବା ବେଳେ ଉଭୟ ଚଳଚ୍ଚିତ୍ରକୁ ଭାଜପା ଶାସିତ ରାଜ୍ୟଗୁଡ଼ିକ ଟିକସ ମୁକ୍ତ କରି ପ୍ରୋତ୍ସାହିତ କରିବାକୁ ଚେଷ୍ଟା କରିଥିଲେ।
ତେବେ ସଦ୍ୟ ମୁକ୍ତିଲାଭ କରିଥିବା ‘ଆଦିପୁରୁଷ’ ଚଳଚ୍ଚିତ୍ରକୁ ନେଇ ସେମାନଙ୍କ ଭୂମିକା ସବୁଠାରୁ ରୋଚକ ହୋଇଛି। ଅତୀତରେ ଜଣେ ଅଭିନେତ୍ରୀ ଚଳଚ୍ଚିତ୍ରରେ ପରିହିତ ବିକିନିର ରଙ୍ଗକୁ ନେଇ ସମ୍ପୂର୍ଣ୍ଣ ଚଳଚ୍ଚିତ୍ରକୁ ହିଂସ୍ର ବିରୋଧ କରିଥିବା ଏହି ଗୋଷ୍ଠୀ ଆଜି ‘ଆଦିପୁରୁଷ’ରେ ଭଗବାନ ରାମ ଓ ହନୁମାନଙ୍କୁ ବିକୃତ କରିବାକୁ ନେଇ ଏକଦମ୍‌ ଚୁପ୍‌ ରହିବା ସେମାନଙ୍କ ରାଜନୈତିକ ଅସହାୟତାକୁ ଉଜାଗର କରୁଛି। ଅସଲ କଥା ହେଲା, ଚଳଚ୍ଚିତ୍ରର ପ୍ରଯୋଜକ, ନିର୍ଦ୍ଦେଶକ ଓ ସଂଳାପ ରଚୟିତା ସମସ୍ତେ ସେମାନଙ୍କ ବିଚାରଧାରାର ଲୋକ ହେବା ସହିତ ଚଳଚ୍ଚିତ୍ରଟିକୁ ସେମାନଙ୍କ ରାଜନୀତିକୁ ସୁହାଇବା ପାଇଁ ନିର୍ମାଣ କରାଯାଇଥିଲା। ନିଜର ଉଗ୍ର ହିନ୍ଦୁତ୍ୱ ରାଜନୀତିକୁ ସୁହାଇବା ପାଇଁ ସେଥିରେ ଉଭୟ ଭଗବାନ ରାମ ଓ ହନୁମାନଙ୍କ ଚେହେରାକୁ ଉଗ୍ର ଓ ହିସ୍ର ଭାବେ ଉପସ୍ଥାପିତ କରାଯାଇଥିଲା। କିନ୍ତୁ ସାଧାରଣ ଜନତା ଉଗ୍ର ରାଜନୀତିକୁ ଆଦୌ ଗ୍ରହଣ କଲେ ନାହିଁ । ସେଇଥିପାଇଁ ରାମାୟଣକୁ ବିକୃତ କରିବାକୁ ଦେଶର ସାଧାରଣ ହିନ୍ଦୁ ଧର୍ମାବଲମ୍ବୀ ଦର୍ଶକମାନେ ବିରୋଧ କରୁଥିବା ବେଳେ ହିନ୍ଦୁତ୍ୱର ରାଜନୀତି କରୁଥିବା ସଙ୍ଗଠନମାନେ ଏଥିରେ ଚୁପ ରହିଛନ୍ତି। ଅସଲ କଥା ହେଲା, ୨୦୨୪ ନିର୍ବାଚନ ପୂର୍ବରୁ ଦେଶରେ ଭାଜପା ଓ ତା’ର ସମର୍ଥକମାନେ ଏକ ସାମ୍ପ୍ରଦାୟିକ ପରିବେଶ ସୃଷ୍ଟି କରିବାକୁ ଚାହୁଁଛନ୍ତି। ଆଗାମୀ କିଛି ମାସ ମଧ୍ୟରେ ରାମାୟଣ ଉପରେ ଆଧାରିତ ଆହୁରି ଦୁଇଟି ଚଳଚ୍ଚିତ୍ର, ଆର୍‌ଏସ୍‌ଏସ୍‌ର ସ୍ଥାପନାର ଶହେ ବର୍ଷ ଉପରେ ଆଧାରିତ ଏବଂ ରାମଜନ୍ମଭୂମି ଆନ୍ଦୋଳନ ଉପରେ ଆଧାରିତ ଆଉ ଦୁଇଟି ଚଳଚ୍ଚିତ୍ର ନିର୍ମାଣ ହେବାକୁ ଯାଉଛି। ଅତଏବ ଉପରୋକ୍ତ ଚଳଚ୍ଚିତ୍ରଗୁଡ଼ିକ ହିନ୍ଦୁତ୍ୱବାଦୀ ରାଜନୀତି ଓ ଏଜେଣ୍ଡାର ଅନୁରୂପ। ସେହି କାରଣରୁ ହିଁ ‘ଆଦିପୁରୁଷ’ ବିବାଦରେ ସେମାନଙ୍କ ସମ୍ପୂର୍ଣ୍ଣ କ୍ୟାମ୍ପ୍‌ ଏକଦମ୍‌ ନୀରବ ମୁଦ୍ରାରେ ରହିଛନ୍ତି।

  • ଭାଲଚନ୍ଦ୍ର ଷଡ଼ଙ୍ଗୀ
    ମୋ :୯୪୩୭୧୭୬୩୭୪

Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?