ଘୋଷଣା କରି ପ୍ରତାରଣା

ଯାଜପୁର ଅଫିସ,୧୧ା୧୧:ଗତ ୩ ବର୍ଷ ମଧ୍ୟରେ ମହାମାରୀ କରୋନା ସମେତ ସାମୁଦ୍ରିକ ଝଡ଼ ହୁଡ୍‌ହୁଡ୍‌, ତିତ୍‌ଲି, ଫନି, ଅମ୍ଫନ, ଜୱାଦ ଯାଜପୁର ସମେତ ଉପକୂଳ ଜିଲାଗୁଡ଼ିକର ଚାଷୀଙ୍କୁ ତଳିତଳାନ୍ତ କରିଦେଇଛି। ରାଜ୍ୟ ସରକାରଙ୍କ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ୨୦୨୧-୨୨ ଓ ୨୦୨୨-୨୩ ବର୍ଷ ପାଇଁ ପ୍ରଭାବିତ ୧୨ ଜିଲାର ୭ ଲକ୍ଷ ଚାଷୀଙ୍କୁ ୬୭ କୋଟି ୧୮ ଲକ୍ଷ ଟଙ୍କାର ସହାୟତା ଦେବାକୁ ନିଷ୍ପତ୍ତି ନିଆଯାଇଥିଲା। ହେଲେ ଜିଲା ଓ ବ୍ଲକସ୍ତରରେ ଉଦ୍ୟାନ କୃଷି ବିଭାଗ ଅଧିକାରୀମାନେ ଚଞ୍ଚକତା କରି ମଞ୍ଜୁର ସାମଗ୍ରୀ ବାବଦ ଅର୍ଥ ହରିଲୁଟ୍‌ କରିଥିବା ଅଭିଯୋଗ ହୋଇଛି। ପୂର୍ବ ବାତ୍ୟାଗୁଡ଼ିକ ସମୟରେ ସରକାର ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରିବା ସହ ପନିପରିବା ମଞ୍ଜି କିଟ୍ସ (ମିନି କିଟ୍ସ) ବଣ୍ଟନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଜିଲାର ଅଧିକାଂଶ ପରିବା ଚାଷୀ ଏଭଳି ମିନି କିଟ୍ସ କେବେ ଦେଖି ନ ଥିବା କହିଛନ୍ତି।
କରୋନା ସମୟରେ ୨୦୨୦ ଜୁଲାଇରେ ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ ସାରା ଓଡ଼ିଶା ପାଇଁ ୩୪୦୦.୮୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ଏଥିରେ କିଚେନ ଗାର୍ଡେନ ପାଇଁ ମିନି କିଟ୍ସ ଓ ଛତୁ ଚାଷ ଲାଗି ବ୍ୟକ୍ତିଗତ ତଥା ଗୋଷ୍ଠୀଗତ ଭାବେ ଆର୍ଥିକ ସହାୟତା ଘୋଷଣା କରାଯାଇଥିଲା। ବାସ୍ତବରେ ଅଧିକାଂଶ ବାତ୍ୟା ପ୍ରଭାବିତ ଚାଷୀ ଏଭଳି ମିନି କିଟ୍ସ ପାଇ ନ ଥିବା କହୁଛନ୍ତି। ଜୱାଦ ବାତ୍ୟାରେ ପ୍ରଭାବିତ ଯାଜପୁର ଜିଲାର ଚାଷୀଙ୍କ ପାଇଁ ୩୭,୮୬୪ ପନିପରିବା ମିନି କିଟ୍ସ ବଣ୍ଟନ କରିବାକୁ ଗତ ଫେବୃୟାରୀରେ ନିଷ୍ପତ୍ତି ହୋଇଥିଲା। ଏଥିପାଇଁ ୨୭ ଲକ୍ଷ ୨୬ ହଜାର ୨୦୮ ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଥିଲା। ସେହିପରି ଜିଲାର ୮,୭୨୪ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ସଦସ୍ୟାଙ୍କ ପାଇଁ ୪୩,୬୨୦ ପ୍ଲାଷ୍ଟିକ କ୍ରେଟ୍ସ, ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ପ୍ୟାକେଜରେ ୮୨,୨୪୦ଟି ବିଭିନ୍ନ ଫଳ ଚାରା ଏବଂ ୧୭୪୪.୮ ହେକ୍ଟର ଜମିରେ ହାଇବ୍ରିଡ ପନିପରିବା ଚାଷ କରିବାକୁ ଧାର୍ଯ୍ୟ ହୋଇଥିଲା। ଏଥିପାଇଁ ଖର୍ଚ୍ଚ ବାବଦରେ ଆବଶ୍ୟକ ଅର୍ଥ ଉଦ୍ୟାନ କୃଷି ଉପନିର୍ଦ୍ଦେଶକ(ଡିଡିଏଚ୍‌) ଏବଂ ସହକାରୀ ନିର୍ଦ୍ଦେଶକ(ଏଡିଏଚ୍‌)ଙ୍କୁ ପ୍ରଦାନ କରାଯାଇଛି। ଏହି ଅଧିକାରୀମାନେ ଓଏସ୍‌ଏସ୍‌ସି (ଓଡ଼ିଶା ଷ୍ଟେଟ୍‌ ସିଡ୍ସ କର୍ପୋରେଶନ)କୁ ଆବଶ୍ୟକ ଅର୍ଥ ଦେଇ ମିନି କିଟ୍ସ କିଣିବାକୁ ନିର୍ଦ୍ଦେଶ ହୋଇଥିଲା। ବ୍ଲକ ସ୍ତରରେ ଉଦ୍ୟାନ କୃଷି ଅଧିକାରୀ (ଏଚ୍‌ଓ) ଏବଂ ଅତିରିକ୍ତ ଉଦ୍ୟାନ କୃଷି ଅଧିକାରୀ (ଏଏଚ୍‌ଓ)ଙ୍କ ଦ୍ୱାରା ଚିହ୍ନଟ ହିତାଧିକାରୀଙ୍କ ତାଲିକାକୁ ଡିଡିଏଚ୍‌ ଏବଂ ଏଡିଏଚ୍‌ ମଞ୍ଜୁର କରି ବଣ୍ଟନ କରିବାକୁ କୁହାଯାଇଥିଲା। ମିନି କିଟ୍ସରେ ବାଇଗଣ, ଟମାଟୋ, ଲଙ୍କା, ବିନ୍‌, ମୂଳା, ଶାଗ, ଭେଣ୍ଡି, ଫୁଲକୋବି, ବନ୍ଧାକୋବି, କାକୁଡି, କଖାରୁ, ଲାଉ ଇତ୍ୟାଦି ମଞ୍ଜି ରହିଥାଏ। ଆମ୍ବ, ପଣସ, ଅମୃତଭଣ୍ଡା ଇତ୍ୟାଦି ଫଳ ଚାରା ମଧ୍ୟ ରହିଛି। ହେଲେ ଅଧିକାଂଶ ଚାଷୀ ଏହି ସହାୟତାରୁ ବଞ୍ଚିତ ହୋଇଛନ୍ତି।
ମହାମାରୀ କରୋନାଜନିତ ଅଚଳାବସ୍ଥା ସମୟରେ ଆର୍ଥିକ ଅବସ୍ଥାର ସୁଧାର ନିମନ୍ତେ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ତରଫରୁ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ଉପକୂଳବର୍ତ୍ତୀ ଜିଲାର ଚାଷୀମାନଙ୍କ ପାଇଁ ସହାୟତା ବ୍ୟବସ୍ଥା ହୋଇଥିଲା। ତଦନୁଯାୟୀ ବିନା ମୂଲ୍ୟରେ ୫ ଲକ୍ଷ ହିତାଧିକାରୀଙ୍କ ପାଇଁ ୬ କୋଟି ୫୮ ଲକ୍ଷ ଟଙ୍କାର ପନିପରିବା ମଞ୍ଜି କିଟ୍‌, ୧ ଲକ୍ଷ ହିତାଧିକାରୀଙ୍କୁ ୧ କୋଟି ୭୫ ଲକ୍ଷ ଟଙ୍କାର ୫ ଗୋଟି ଲେଖାଏ କଲମୀ ଆମ୍ବ ଚାରା, ୧ ଲକ୍ଷ ହିତାଧିକାରୀଙ୍କୁ ୨ କୋଟି ୫୯ ଲକ୍ଷ ଟଙ୍କା ବ୍ୟୟରେ ୧୦ଟି ଲେଖାଏ ମିଶ୍ରିତ ଫଳ ଚାରା, ୧୨ ହଜାର ହିତାଧିକାରୀଙ୍କୁ ୧୫ କୋଟି ୨୧ ଲକ୍ଷ ଟଙ୍କାର ଲତା ଜାତୀୟ ଫସଲ ଚାଷ ସହାୟତା, ୩ ହଜାର ହିତାଧିକାରୀଙ୍କୁ ୧ କୋଟି ୮୧ ଲକ୍ଷ ଟଙ୍କା ବ୍ୟୟରେ ଫୁଲ ଚାଷ ପାଇଁ ସହାୟତା, ୬୦ ହଜାର ହିତାଧିକାରୀଙ୍କୁ ଛତୁ ଚାଷ ନିମନ୍ତେ ୬ କୋଟି ୬ ଲକ୍ଷ ଟଙ୍କା ସହାୟତା, ୧ ଲକ୍ଷ ହିତାଧିକାରୀଙ୍କୁ ୧୬ କୋଟି ୩୬ ଲକ୍ଷ ଟଙ୍କାର ପ୍ଲାଷ୍ଟିକ କ୍ରେଟ, ୪ ହଜାର ହିତାଧିକାରୀଙ୍କୁ ୧୬ କୋଟି ଟଙ୍କା ବ୍ୟୟରେ ପାନ ବରଜ ପାଇଁ ସହାୟତା ଏବଂ ୫ ଲକ୍ଷ ହିତାଧିକାରୀଙ୍କୁ ୩୭ କୋଟି ୫୦ ଲକ୍ଷ ଟଙ୍କାର ସଙ୍କର ପନିପରିବା ମଞ୍ଜି କ୍ରୟ ପାଇଁ ସହାୟତା ବ୍ୟବସ୍ଥା ହୋଇଥିଲା। ୨୦୨୦ ଅକ୍ଟୋବରରେ ବିଧାନସଭା ଅଧିବେଶନ ସମୟରେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଅଣତାରକା ପ୍ରଶ୍ନ ନମ୍ବର ୧୦୪୬ର ଉତ୍ତରରେ ତତ୍କାଳୀନ କୃଷିମନ୍ତ୍ରୀ ଅରୁଣ ସାହୁ ଏହା ଦର୍ଶାଇଥିଲେ। କିନ୍ତୁ ଉପରୋକ୍ତ ସହାୟତା ସ୍ବପ୍ନ ହୋଇଥିବା ଚାଷୀମାନେ କହୁଛନ୍ତି। ତେଣୁ ଏହି ବିପୁଳ ଟଙ୍କା କୁଆଡ଼େ ଗଲା ତାହା ତଦନ୍ତସାପେକ୍ଷ ବୋଲି ସେମାନେ କହୁଛନ୍ତି।
ରସୁଲପୁର ବ୍ଲକ ଭଗୀରଥପୁରର ଚାଷୀ ଜଳଧର ଦାସ କୁହନ୍ତି, କୌଣସି ସରକାରୀ ସହାୟତା ମିଳିନାହିଁ। ସରକାରୀ ମଞ୍ଜି ପ୍ୟାକେଟ କିମ୍ବା ସାର, ଔଷଧ ସେ କେବେ ଦେଖିନାହାନ୍ତି। ଚାଷୀ ରବୀନ୍ଦ୍ର ବେହେରାଙ୍କ କହିବା ଅନୁସାରେ ଏବେ ଝାଉଁଳା ରୋଗରେ ବାଇଗଣ ଚାଷ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ପ୍ରାୟ ୨୦ ହଜାର ଟଙ୍କା ବିନିଯୋଗ କରି ଚାଷ କରିଥିଲୁ। ଏହି କ୍ଷତି କିଏ ଭରଣା କରିବ। ସରକାର କୌଣସି ମଞ୍ଜି ପ୍ୟାକେଟ ଦେଇନାହାନ୍ତି। ଚାଷୀ ଜଗବନ୍ଧୁ ବେହେରା କୁହନ୍ତି, ଦୁଇଥର ବନ୍ୟା ହେଲାଣି, ସରକାର କିଛି ସହାୟତା ଦେଉନାହାନ୍ତି। ରୋଗପୋକରେ ଗଛ ସବୁ ମରିଯାଉଛି। ରସୁଲପୁର ବ୍ଲକ ଟିକରପଡ଼ା ଗ୍ରାମର ଚାଷୀ ସୂର୍ଯ୍ୟମଣି ସାହୁ କୁହନ୍ତି, ସରକାର ଘୋଷଣା କରିଥାନ୍ତି, ହେଲେ ହାତଗଣତି କେତେଜଣ ଚାଷୀ ତାହା ପାଇଥାନ୍ତି। ସେ କୌଣସି ବିହନ କିଟ୍ସ କିମ୍ବା ଅନ୍ୟ କୌଣସି ସହାୟତା ପାଇନାହାନ୍ତି। ଏ ସଂକ୍ରାନ୍ତରେ ଯାଜପୁର ଉଦ୍ୟାନ ବିଭାଗର ସହକାରୀ ନିର୍ଦ୍ଦେଶକ ସୂର୍ଯ୍ୟମଣି ମହାରଣା କହିଛନ୍ତି, ବ୍ଲକସ୍ତରରେ ଅତିରିକ୍ତ ଉଦ୍ୟାନ ଅଧିକାରୀଙ୍କ ଜରିଆରେ ପ୍ରଭାବିତ ଚାଷୀଙ୍କୁ ସରକାରଙ୍କ ପକ୍ଷରୁ ଘୋଷିତ କୃଷି ସାମଗ୍ରୀ ବଣ୍ଟନ ହୋଇଛି। ଏଥିରେ କୌଣସି ଅନିୟମିତତା ହୋଇନାହିଁ।
ବାଲେଶ୍ୱର ଜିଲା ରେମୁଣା ବ୍ଲକ ନିଜାମପୁର ପଞ୍ଚାୟତ ଦୁମ୍‌ଦା ଗ୍ରାମର ଚାଷୀ ସନ୍ତୋଷ କୁମାର ମହାଲ କହନ୍ତି, ବାଲେଶ୍ୱର ସହରକୁ ନିଜାମପୁର, ଗଣ୍ଡର୍ଦ୍ଦା, କଲ୍ୟାଣପୁର, ମନ୍ଦାରପୁର ପଞ୍ଚାୟତରୁ ପ୍ରାୟ ସର୍ବାଧିକ ପନିପରିବା ଯାଇଥାଏ। ସନ୍ତୋଷ ପ୍ରତିବର୍ଷ ୧ଏକରରୁ ଅଧିକ ଚାଷଜମିରେ କୋବି, କାକୁଡ଼ି, ଲଙ୍କା ଓ ବିଲାତି ଆଦି ଚାଷ କରିଥାନ୍ତି। ଉକ୍ତ ଗ୍ରାମର ପ୍ରାୟ ୮୦% ଲୋକ ପନିପରିବା ଚାଷ କରି ପରିବାର ଭରଣପୋଷଣ କରିଥାନ୍ତି। ପ୍ରାୟ ପ୍ରତିବର୍ଷ ବନ୍ୟା, ବାତ୍ୟାରେ ଏହି ଅଞ୍ଚଳ ପ୍ରଭାବିତ ହୋଇଥାଏ। ସେ କୌଣସି ସରକାରୀ ସହାୟତା ପାଇ ନ ଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଗଣ୍ଡର୍ଦ୍ଦା ପଞ୍ଚାୟତ ଶଙ୍କରପୁର ଗ୍ରାମର ଚାଷୀ ଚନ୍ଦ୍ରଶେଖର ମହାନ୍ତି କହନ୍ତି, ୩ ଏକର ଚାଷଜମିରେ ଆମ ପରିବାର ପ୍ରତିବର୍ଷ ବିଭିନ୍ନ ପନିପରିବା ଚାଷ କରିଥାଉ। ବନ୍ୟା ଓ ବାତ୍ୟା ଆସିଲେ ପ୍ରାୟ ମୁଖ୍ୟତଃ ଚାରା ନଷ୍ଟ ହୋଇଯାଇଥାଏ। ଗତ ବନ୍ୟା ପରେ ଉଦ୍ୟାନ କୃଷି ବିଭାଗର ୨ କର୍ମଚାରୀ ସର୍ଭେ ପାଇଁ ଆସିଥିଲେ। ପଚାରିଲେ, ସମସ୍ତ କଥା ଲେଖି ନେଇଗଲେ, ଚାଷ ନଷ୍ଟ ହୋଇଥିବାର ଫଟୋ ମଧ୍ୟ ଉଠାଇଥିଲେ, ମାତ୍ର କୌଣସି ପ୍ରକାର ସହାୟତା ବର୍ତ୍ତମାନ ସୁଦ୍ଧା ମିଳିନାହିଁ। ମନ୍ଦାରପୁର ପଞ୍ଚାୟତ କାଠସଙ୍ଗଡ଼ା ଗ୍ରାମର ଦୟାନିଧି ଗିରି କହନ୍ତି, ବନ୍ୟା ଓ ବାତ୍ୟା ସମୟରେ ପ୍ରାୟ ଚାଷ ନଷ୍ଟ ହେବା ପରେ ପୁଣି ଥରେ ଚାଷ କରିବାରେ ବହୁ ଅର୍ଥ ଖର୍ଚ୍ଚ ହୋଇଥାଏ। ମୁଖ୍ୟତଃ କୋବି, ପୋଟଳ, ଶାଗ, ବାଇଗଣ ଗଛଗୁଡ଼ିକ ବନ୍ୟା ଓ ବାତ୍ୟାରେ ଅଧିକ କ୍ଷୟକ୍ଷତି ହୋଇଥାଏ। ଗତ ୨୦ବର୍ଷ ମଧ୍ୟରେ କେବେ ବି ସରକାରୀ ସହାୟତା ମିଳି ନାହଁି। ବାଲେଶ୍ୱର ଜିଲା ଉଦ୍ୟାନ କୃଷି ଅଧିକାରୀ ତପନ କୁମାର ମହାନ୍ତି କହିଛନ୍ତି, ୧୨ ବ୍ଲକରେ ପ୍ରାୟ ୨୪ ହଜାର ଚାଷୀ ରହିଛନ୍ତି। ଚଳିତବର୍ଷ ଏମ୍‌ଆଇଡିଏସ୍‌ ଯୋଜନାରେ ୨୫୦ ହେକ୍ଟର ଚାଷଜମି ଓ ଷ୍ଟେଟ୍‌ପ୍ଲାନ୍‌ରେ ୧୫୦ ହେକ୍ଟର ଚାଷଜମି ବାବଦରେ ଚାଷୀଙ୍କୁ ସହାୟତା ମିଳିବ। ଆସିଷ୍ଟାନ୍ସ ହାଇବ୍ରିଡ୍‌ ଭେଜିଟେବୁଲ୍‌ କଣ୍ଟିଜେନ୍ସି ଅଣ୍ଡର ଜାୱା ଯୋଜନାରେ ୦.୨ ହେକ୍ଟର (୫୦ ଡିସିମିଲ) ଚାଷ ପାଇଁ ମଞ୍ଜି ଏବଂ ଚାଷ ନିମନ୍ତେ ୪ହଜାର ଟଙ୍କା ଲେଖାଏ ଚାଷୀଙ୍କୁ ପ୍ରତିବର୍ଷ ସହାୟତା କରାଯାଉଥିବା ମହାନ୍ତି ପ୍ରକାଶ କରିଛନ୍ତି।
ଜଗତ୍‌ସିଂହପୁର ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଜିଲା ଭାବେ ଜଣାଶୁଣା। ଫନି, ଜୱାଦ ଆଦି ବାତ୍ୟା ଏବଂ ଅନ୍ୟ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଦିଆଯାଉଥିବା ମଞ୍ଜି କିଟ୍ସ ଓ ଆର୍ଥିକ ସହାୟତା ଚାଷୀଙ୍କ ପାଖରେ ନ ପହଞ୍ଚତ୍ବା ଅସନ୍ତୋଷର କାରଣ ହୋଇଛି। ଏ ସମ୍ପର୍କରେ ରଘୁନାଥପୁର ବ୍ଲକ ନେଉଳିଆ ଗ୍ରାମର ଦେବେନ୍ଦ୍ର ମହାନ୍ତିଙ୍କ କହିବା କଥା ହେଲା, ତାଙ୍କ ସହ ଗ୍ରାମର ଅଧିକାଂଶ ଲୋକ ପରିବା ଚାଷ କରନ୍ତି। ବାତ୍ୟା, ବନ୍ୟା, ପ୍ରବଳ ବର୍ଷା ପ୍ରଭାବରେ ଅନେକ ସମୟରେ ଫସଲ ନଷ୍ଟ ହୋଇଯାଉଛି। ଉଦ୍ୟାନ କୃଷି ବିଭାଗ ପକ୍ଷରୁ କିଛି ମାସ ପୂର୍ବରୁ ଦିଆଯାଇଥିବା ମଞ୍ଜି କିଟ୍ସ ସମସ୍ତ କ୍ଷତିଗ୍ରସ୍ତ ଚାଷୀଙ୍କ ନିକଟରେ ପହଞ୍ଚତ୍ ପାରିନାହିଁ। ଯେଉଁମାନେ ନେଇଛନ୍ତି ସେମାନେ ନିମ୍ନମାନର ମଞ୍ଜି ଯୋଗୁ ନିରାଶ ହୋଇଥିବା ମହାନ୍ତି କହିଛନ୍ତି। ରଘୁନାଥପୁର ବ୍ଲକ ଜିରା ଗ୍ରାମର ବସନ୍ତ ସ୍ବାଇଁ କୁହନ୍ତି, ସରକାରୀ ସହାୟତା ପ୍ରଭାବଶାଳୀ ଲୋକେ ପାଉଛନ୍ତି। ଆର୍‌ଆଇ ଓ ଅନ୍ୟ ସରକାରୀ କର୍ମଚାରୀ ପ୍ରକୃତ କ୍ଷତିଗ୍ରସ୍ତ ଚାଷୀଙ୍କ ନିକଟରେ ପହଞ୍ଚୁ ନାହାନ୍ତି କି କ୍ଷୟକ୍ଷତି ଆକଳନ କରୁନାହାନ୍ତି। ନବ ନିର୍ମାଣ କୃଷକ ସଙ୍ଗଠନ ରାଜ୍ୟ ସହ ସଂଯୋଜକ ରଶ୍ମିରଞ୍ଜନ ସ୍ବାଇଁ କହିଛନ୍ତି, ବାତ୍ୟା ଫନି ଓ ଜୱାଦ ପ୍ରଭାବରେ ଜିଲାର ପ୍ରଭୂତ କ୍ଷତି ହୋଇଥିଲା। ସାମୁଦ୍ରିକ ଝଡ଼ ପ୍ରଭାବରେ ଅନେକ ପାନ ଓ ପରିବା ଚାଷୀଙ୍କୁ ସରକାରୀ ସହାୟତା ମିଳିପାରିଲା ନାହିଁ। ରିଲିଫ କୋଡ୍‌ ଅନୁଯାୟୀ ଜରୁରୀ ସହାୟତା ମିଳିବାରେ ବିଳମ୍ବ ହେବା କଥା ନୁହେଁ। କିନ୍ତୁ ସରକାର ଏଥିପ୍ରତି ଧ୍ୟାନ ନ ଦେବା ଦୁର୍ଭାଗ୍ୟଜନକ। ଏ ସମ୍ପର୍କରେ ଉଦ୍ୟାନ କୃଷି ସହକାରୀ ନିର୍ଦ୍ଦେଶକ ପ୍ରଦୀପ ବଳ କୁହନ୍ତି, ବାତ୍ୟା ଜୱାଦ ପରେ ଫୁଲକୋବି, ବନ୍ଧା କୋବି, ବିଲାତି ବାଇଗଣ ଓ ଲଙ୍କା ଆଦି ୨୦ ହଜାର ମଞ୍ଜି କିଟ୍ସ ଆସିଥିଲା। ତାହା ପିଆର୍‌ଆଇ ସଭ୍ୟ ଓ ବିଭାଗୀୟ ଏଏଚ୍‌ଓ, ଏଚ୍‌ଡବ୍ଲ୍ୟୁଓ ଆଦିଙ୍କ ମାଧ୍ୟମରେ ବଣ୍ଟନ କରାଯାଇଛି। କ୍ଷୟକ୍ଷତି ଅନୁସାରେ କିଟ୍‌ ଆସୁ ନ ଥିବାରୁ ଅନେକ ଲୋକ ବଞ୍ଚତ୍ତ ହେବା ସ୍ବାଭାବିକ ବୋଲି ସେ କହିଛନ୍ତି।
୨୦୨୧ ଡିସେମ୍ବର ପ୍ରଥମ ସପ୍ତାହରେ ବାତ୍ୟା ଜୱାଦ ୧୦ ଉପକୂଳ ଜିଲାରେ ପ୍ରଭାବ ପକାଇଥିଲା। ଏଥିରେ ଚାଷୀଙ୍କ ଖରିଫ ଫସଲ ସହ ପନିପରିବା ନଷ୍ଟ ହୋଇଥିଲା। ଚାଷୀଙ୍କ କ୍ଷତିଭରଣା ପାଇଁ ଡିସେମ୍ବର ୨୭ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦୭ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ। ୩୩ ପ୍ରତିଶତରୁ ଊର୍ଦ୍ଧ୍ୱ ଫସଲ କ୍ଷତି ସହିଥିବା ଲୋକଙ୍କୁ ହେକ୍ଟର ପିଛା ୬,୮୦୦ ଟଙ୍କା ଓ ଜଳସେଚିତ ଚାଷ ଜମି କ୍ଷତି ପାଇଁ ୧୩,୫୦୦ ଟଙ୍କା ଘୋଷଣା କରିଥିଲେ। ଏଥିସହିତ ୫୦ ହଜାର ମିନି କିଟ୍ସର ଡାଲି ବିହନ ଓ ୪ ଲକ୍ଷ ପନିପରିବା ମଞ୍ଜି କିଟ ସହିତ ୧ ଲକ୍ଷ ଚାଷୀଙ୍କୁ ୧୦ଟି ଫଳ ଚାରା ବଣ୍ଟନ ପାଇଁ ବ୍ୟବସ୍ଥା ହୋଇଥିଲା। ଇତିମଧ୍ୟରେ ଏହି ଘୋଷଣାକୁ ୧୦ ମାସ ବିତିଛି। କେନ୍ଦ୍ରାପଡ଼ା ଜିଲାରେ ଚାଷୀମାନଙ୍କ କ୍ଷତି ସର୍ଭେ ହୋଇଥିଲେ ମଧ୍ୟ ଅଦ୍ୟାବଧି କ୍ଷତିପୂରଣ ମିଳି ନ ଥିବା ସେମାନେ କହିଛନ୍ତି। କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଆଇତିପୁରର ଚାଷୀ ପିନାକୀ ସାମନ୍ତରାୟ କହିଛନ୍ତି, ଗତବର୍ଷ ଏହି ସମୟରେ ପ୍ରାୟ ୫ ଏକର କୋବି, ୨ ଏକର ଲଙ୍କା ଓ ପନିପରିବା ଲୁଣାନଦୀ ପଠା ଅଞ୍ଚଳରେ ଥିବା କ୍ଷେତରେ ଚାଷ କରିଥିଲେ। ଅମଳ ସମୟରେ ଜୱାଦ ବାତ୍ୟା ପନିପରିବା ଚାଷକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଥିଲା। ଏହି ଚାଷ ପାଇଁ ବ୍ୟାଙ୍କଋଣ ଏବଂ ହାତ ଉଧାରି ବାବଦରେ ୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା କ୍ଷତି ହୋଇଛି। ପ୍ରଶାସନର ସର୍ଭେ ସତ୍ତ୍ୱେ କୌଣସି ସରକାରୀ ସହଯୋଗ କିମ୍ବା କ୍ଷତିପୂରଣ ମିଳିନାହିଁ ବୋଲି ପିନାକୀ କହିଛନ୍ତି। ସେହିପରି ସମାନ ଅଭିଯୋଗ କରିଛନ୍ତି ମହାକାଳପଡ଼ା ବ୍ଲକ ଛପାଲି ଗ୍ରାମର ଚାଷୀ ହରେକୃଷ୍ଣ ପାତ୍ର। ଏନେଇ ଜିଲା ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ଦେବଦାସ ଦତ୍ତ କହିଛନ୍ତି, ଏକମାସ ପୂର୍ବେ କେନ୍ଦ୍ରାପଡା ଉଦ୍ୟାନ କୃଷି କାର୍ଯ୍ୟାଳୟରେ ଯୋଗଦେଇଛି। କିନ୍ତୁ ଚାଷୀଙ୍କୁ ପନିପରିବା କିଟ୍‌ ସମ୍ପୂର୍ଣ୍ଣ ବଣ୍ଟା ଯାଇଥିବା ସୂଚନା ରହିଛି।
ଏ ସମ୍ପର୍କରେ ଉଦ୍ୟାନ କୃଷି ଯୁଗ୍ମ ନିର୍ଦ୍ଦେଶକ ସୁକାନ୍ତ କୁମାର ସୁବୁଦ୍ଧି କହିଛନ୍ତି, ବାତ୍ୟା ପାଇଁ ପୂର୍ବରୁ ଯେଉଁ ସହାୟତା ନିମନ୍ତେ ଘୋଷଣା ହୋଇଥିଲା, ତା’ର ବଜେଟ ଏବେ ସରିଯାଇଥିବ। ଏବେ ଆଉ କିଛି କରିହେବ ନାହିଁ। ତେବେ ଚାଷୀମାନେ ବର୍ତ୍ତମାନ ବିଭାଗ ପକ୍ଷରୁ ଦିଆଯାଉଥିବା ଅନ୍ୟାନ୍ୟ ସୁବିଧାର ସୁଯୋଗ ନେବା ଉଚିତ।

ହର୍ଷବର୍ଦ୍ଧନ ବେହେରା, ମାନସ ବିଶ୍ୱାଳ, ପ୍ରମୋଦ ନାୟକ, ଜଗନ୍ନାଥ ଧଳ, ଅସମାପିକା ସାହୁ


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବଳ ଖରା ସହ କାଳବୈଶାଖୀ; ୧୫ ଯାଏ ସତର୍କ ରହିବାକୁ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୯ା୬(ବନ୍ଦନା ସେଠୀ)- ରାଜ୍ୟରେ ବର୍ଷା ଆରମ୍ଭ ହୋଇଥିଲେ ମଧ୍ୟ ଗରମ ଓ ଗୁଳୁଗୁଳି ଜାରି ରହିଛି। ମଙ୍ଗଳବାର ୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଏବଂ…

ଜୋଡିମାଦିଲି ଘାଟିରେ ଭୟଙ୍କର ଦୁର୍ଘଟଣା: କାର୍‌କୁ ଧକ୍କା ଦେଇ ଗାତକୁ ଖସି ପଡିଲା ମକା ବୋଝେଇ ଟ୍ରକ୍, ଚାଲିଗଲା…

ପଟ୍ଟାଙ୍ଗି, ୯।୬ (ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି ଥାନା ଅଧୀନ ଜୋଡିମାଦିଲି ଘାଟିରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ଗ୍ୟାସ୍ ସିଲିଣ୍ଡର ଲିକେଜ୍‌! କାଦୋବେଡା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୩ ବଖରା ଘର, ସର୍ବସ୍ୱ ହରାଇଲା…

ଥୁଆମୂଳ ରାମପୁର, ୯।୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ମହୁଲପାଟଣା ପଞ୍ଚାୟତର କାଦୋବେଡା ଗ୍ରାମରେ ସୋମବାର ସମୟରେ ଏକ ସଂଘାତିକ ଅଗ୍ନିକାଣ୍ଡ ଘଟିଯାଇଛି।…

କଙ୍କୋରଡ଼ା ପଞ୍ଚାୟତକୁ ଅବହେଳା ପ୍ରତିବାଦ: ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସରପଞ୍ଚ-ଗ୍ରାମବାସୀଙ୍କ ଧାରଣା

ଦିଗପହଣ୍ଡି, ୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କଙ୍କୋରଡ଼ା ପଞ୍ଚାୟତକୁ ବ୍ଲକ ପ୍ରଶାସନ ପକ୍ଷରୁ ଦୀର୍ଘଦିନ ଧରି ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି।…

ଭାଜପା ପକ୍ଷରୁ ସହିଦ ବିର୍ସା ମୁଣ୍ଡାଙ୍କ ବଳିଦାନ ଦିବସ ପାଳିତ: ଯୋଗଦେଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି, ୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ମହୁରୀ କାଳୁଆ ମନ୍ଦିର ପରିସରରେ ଭାରତୀୟ ଜନତା ପାର୍ଟି (ଭାଜପା) ପକ୍ଷରୁ ମହାନ ସ୍ୱାଧୀନତା…

ହୋମଗାର୍ଡଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ବଢ଼ିଲା ଦୈନିକ ଭତ୍ତା, ଜାଣନ୍ତୁ ଏବେ ମିଳିବ କେତେ..?

ଭୁବନେଶ୍ୱର,୯।୬(ସୁନୀତ ମିଶ୍ର): ରାଜ୍ୟର ଗୃହରକ୍ଷୀ (Home Guards) ମାନଙ୍କ ପାଇଁ ଏକ ଖୁସି ଖବର ଆସିଛି। ଗୃହରକ୍ଷୀମାନଙ୍କର ଦୈନିକ ଭତ୍ତା ବୃଦ୍ଧି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି…

ପ୍ରଥମ ଥର ଘର କିଣିବାକୁ ଯାଉଛନ୍ତି କି? କରନ୍ତୁନି ଏଭଳି ଭୁଲ, ନଚେତ ବୁଡ଼ିଯିବ ସାରା ଜୀବନର କଷ୍ଟାର୍ଜିତ ସଞ୍ଚୟ!

ନୂଆଦିଲ୍ଲୀ,୯।୬: ନିଜର ଗୋଟିଏ ସୁନ୍ଦର ଘରଟିଏ ହେଉ ବୋଲି ପ୍ରତ୍ୟେକ ବ୍ୟକ୍ତିର ସ୍ବପ୍ନ ଥାଏ। କିନ୍ତୁ ପ୍ରଥମ ଥର ପାଇଁ ଘର କିଣୁଥିବା ଲୋକଙ୍କ ପାଇଁ ଏହି…

ଅସରପା ବି ଅଟନ୍ତି ବିୟରପ୍ରେମୀ, କାରଣ ଜାଣିଲେ ତାଜୁବ ହେବେ…

ଆଜିକାଲି ଇଣ୍ଟରନେଟ ଏବଂ ସୋସିଆଲ ମିଡିଆ ଦୁନିଆରେ କକ୍ରୋଚ (ଅସରପା) ନାମଟି ବେଶ୍‌ ଭାଇରାଲ ହେବାରେ ଲାଗିଛି। ସାଧାରଣତଃ ଏହି ଜୀବର ନାମ ଶୁଣିବା ମାତ୍ରେ ଲୋକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri