କ୍ରିକେଟ ଖେଳରେ ଛୁରାମାଡ଼, ଯୁବକଙ୍କ ଜୀବନଗଲା

ଚୌଦ୍ୱାର,୨ା୪(ଡି.ଏନ୍‌.ଏ.): ଝିମିଟି ଖେଳରୁ ମହାଭାରତ ପରି କ୍ରିକେଟ ଖେଳରୁ ଛୁରାମାଡ଼ ଓ ବ୍ୟାଟ୍‌ରେ ଆକ୍ରମଣ କରିବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲା ଚୌଦ୍ୱାର ଥାନା ଅନ୍ତର୍ଗତ ମହିଷାଲଣ୍ଡା ଖେଳପଡ଼ିଆରେ। ସେଠାରେ ଆୟୋଜିତ ଏକ କ୍ରିକେଟ ଟୁର୍ନାମେଣ୍ଟରେ ଅମ୍ପାୟାରଙ୍କ ଏକ ନିଷ୍ପତ୍ତିଙ୍କୁ ନେଇ ବ୍ୟାଟ୍ସମ୍ୟାନ, ଅମ୍ପାୟାର ଓ ଦୁଇ ଟିମ୍‌ ମଧ୍ୟରେ ବଚସା ଠେଲାପେଲା ଭିତରେ ମୁନା ରାଉତ ବ୍ୟାଟ୍‌ରେ ଲକି ରାଉତଙ୍କ ମୁଣ୍ଡରେ ଶକ୍ତ ପ୍ରହାର ଦେଇଥିଲେ। ଫଳରେ ଲକି ତଳେ ପଡ଼ିଯିବାରୁ ମୁନା ଏକ ଛୁରି ଆଣି ଲକିଙ୍କ ପେଟକୁ ଭୁସି ଦେଇଥିଲେ। ସ୍ଥାନୀୟ ଲୋକେ ଲକିଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ସେଠାରେ ମୃତ ହୋଇଥିବା ଡାକ୍ତର ଘୋଷଣା କରିଛନ୍ତି। ତେବେ ଏନେଇ ଗ୍ରାମରେ ଉତ୍ତେଜନା ଲାଗି ରହିଛି। ମୁନାଙ୍କ ଭାଇ ଜଗା ରାଉତଙ୍କୁ ଗ୍ରାମବାସୀ ଏକ ଘରେ ପୂରାଇ ରଖିଥିବା ବେଳେ ପୋଲିସ ଜଗି ରହିଥିବା ଦେଖିବାକୁ ମିଳିଛି।