ଘରୁ ବାହାରକୁ ଯାଉଥିଲେ ଯୁବକ, ହଠାତ୍‌ ତାଙ୍କ ଉପରକୁ ଲମ୍ଫ ମାରିଲା ଜଙ୍ଗଲୀ ବାର୍‌ହା

ପାରଳାଖେମୁଣ୍ଡି,୧୯ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୁମ୍ମା ବ୍ଲକ ତରଙ୍ଗଡ଼ା ପଞ୍ଚାୟତ ଦେବଗିରି ରେଞ୍ଜ ଅନ୍ତର୍ଗତ ତାମସିଂ ଗ୍ରାମରେ ବାର୍‌ହା ଆକ୍ରମଣରେ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି। ଆହାତ ଯୁବକ ଜଣକ ଜୈରାସ ରଇତ (୨୮) ବୋଲି ଜଣାପଡ଼ିଛି। ଗତକାଲି ଘରୁ ବାହାରକୁ ଗଲା ବେଳେ ହଠାତ୍‌ ଜଙ୍ଗଲୀ ବାର୍‌ହା ଆକ୍ରମଣର ଶିକାର ହୋଇଥିଲେ। ତାଙ୍କୁ ତୁରନ୍ତ ପରିବାର ଲୋକେ ଓ ଗ୍ରାମବାସୀ ଚିକିତ୍ସା ପାଇଁ ପାରଳାଖେମୁଣ୍ଡିସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଚିକିତ୍ସା ନିମନ୍ତେ ଅନ୍ୟତ୍ର ସ୍ଥାନାନ୍ତର କରିଥିବାର ଜଣାପଡ଼ିଛି।

ଏନେଇ ଦେବଗିରି ରେଞ୍ଜରଙ୍କୁ ଫୋନ୍‌ ଯୋଗେ ଯୋଗାଯୋଗ କଲେ ମଧ୍ୟ ଫୋନ୍‌ ଉଠାଉ ନ ଥିବାରୁ ବାର୍‌ହା ଆକ୍ରମଣର ଖବର ବିଭାଗ ନିକଟରେ ରହିଛି କି ନାହିଁ ତାହା ସ୍ପଷ୍ଟ ହୋଇନ ଥିବା ବେଳେ ସରକାରଙ୍କ ଅନୁକମ୍ପା ଆପ୍‌ରେ ଆବେଦନ କଲେ କ୍ଷତିପୂରଣ ମିଳିବ ବୋଲି ଜଣାପଡ଼ିଛି।

Dharitri – Odisha’s No.1 Odia Daily

Share