ଭୁବନେଶ୍ୱର,୨୮।୧୧(ତ୍ରିନାଥ ମହାନ୍ତି): ଜଣେ ୨୮ ବର୍ଷୀୟା ଯୁବତୀଙ୍କ ବିବାହ ପ୍ରସ୍ତାବ ଭାଙ୍ଗିବା ଉଦ୍ଦେଶ୍ୟରେ ଭାବି ବର ଓ ତାଙ୍କ ପରିବାର ନିକଟକୁ ସମ୍ପୃକ୍ତ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ପଠାଇବା ସହ ଏହାକୁ ସୋସିଆଲ ମିଡିଆରେ ଭାଇରାଲ କରିବା ଅଭିଯୋଗରେ ନୟାପଲ୍ଲୀ ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ପୁରୀ ଜିଲା ନିମାପଡ଼ା ଅନ୍ତର୍ଗତ ଶ୍ୟାମସୁନ୍ଦରପୁରର ବାସୁଦେବ ସେନାପତି (୨୮)। ତାଙ୍କୁ କୋର୍ଟରେ ହାଜର ପରେ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ଜଣାପଡ଼ିଛି ଯେ, ପୀଡ଼ିତା ଯୁବତୀଙ୍କ ଘର ପୁରୀ ଜିଲା ଗୋପ ଅଞ୍ଚଳରେ ହୋଇଥିବା ବେଳେ ସେ ନୟାପଲ୍ଲୀରେ ଥିବା ଏକ ଘରୋଇ ସଂସ୍ଥାରେ କାମ କରିବା ସହ ସେହି ଅଞ୍ଚଳରେ ଘର ଭଡ଼ା ନେଇ ରହୁଛନ୍ତି। ୨୦୨୩ ମସିହାରେ ନିମାପଡ଼ା କୋର୍ଟରେ ମୋହରି ଭାବେ କାର୍ଯ୍ୟ କରୁଥିବା ଅଭିଯୁକ୍ତ ବାସୁଦେବଙ୍କ ସହ ଯୁବତୀଙ୍କର ପରିଚୟ ଓ ପରେ ବନ୍ଧୁତା ହୋଇଥିଲା। ପରବର୍ତ୍ତୀ ସମୟରେ ଯୁବତୀଙ୍କ ବିବାହ ପ୍ରସ୍ତାବ ସ୍ଥିର ହେବା ପରେ ସେ ଅଭିଯୁକ୍ତଙ୍କଠାରୁ ୫୦ ହଜାର ଟଙ୍କା ଧାର ନେଇଥିଲେ ଏବଂ ପରେ ଫୋନ ପେ’ ମାଧ୍ୟମରେ ଉକ୍ତ ଟଙ୍କା ଫେରସ୍ତ କରିଥିଲେ। ତେବେ ଅଭିଯୁକ୍ତ ସେହି ଟଙ୍କାକୁ ପୁନର୍ବାର ଯୁବତୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଫେରାଇ ଦେଇ ନଗଦ ଆକାରରେ ଟଙ୍କା ଦେବାକୁ ଜିଦ ଧରିଥିଲେ। ଏହାପରଠାରୁ ଅଭିଯୁକ୍ତ ସମ୍ପୃକ୍ତ ଯୁବତୀଙ୍କ ବିବାହ ପ୍ରସ୍ତାବରେ ବାଧା ସୃଷ୍ଟି କରିବାକୁ ଲାଗିଥିଲେ। ଭାବି ବରଙ୍କ ନିକଟରେ ଯୁବତୀଙ୍କ ଚରିତ୍ରକୁ ନେଇ ମିଥ୍ୟା ଓ ଅପମାନଜନକ ମନ୍ତବ୍ୟ ଦେଇ ପୂର୍ବରୁ ସ୍ଥିର ହୋଇଥିବା ଦୁଇଟି ବିବାହ ପ୍ରସ୍ତାବ ଭାଙ୍ଗି ଦେଇଥିଲେ। ଏନେଇ ୨୦୨୫ ଅଗଷ୍ଟ ୧ରେ ଯୁବତୀ ନୟାପଲ୍ଲୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କ ଆଫିଡେଭିଟ୍ ଆଧାରରେ ତାହା ବନ୍ଦ ହୋଇଥିଲା। ପୁଣି ଗତ ୧୫ ତାରିଖରେ ଯୁବତୀଙ୍କ ବିବାହ ଅନ୍ୟତ୍ର ସ୍ଥିର ହୋଇଥିବା ଜାଣିବା ପରେ ଅଭିଯୁକ୍ତ ବାସୁଦେବ ତାଙ୍କ ଭାବି ବରଙ୍କୁ ଫୋନ କରି ମିଥ୍ୟା କଥା କହି ବଦନାମ କରିବା ସହ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ପଠାଇଥିଲେ। ଏନେଇ ଭାବି ବର ଯୁବତୀଙ୍କୁ ଜଣାଇବା ପରେ ସେ ଅଭିଯୁକ୍ତଙ୍କୁ ଏହାର କାରଣ ପଚାରିଥିଲେ। ଗତ ୨୩ ତାରିଖରେ ଅଭିଯୁକ୍ତ ଫୋନ ଯୋଗେ ଯୁବତୀଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରି ତାଙ୍କୁ କୌଣସି ସ୍ଥାନରେ ବିବାହ କରାଇ ଦେବି ନାହିଁ କହିଥିଲେ। ଏଥିସହିତ ଜୀବନରୁ ମାରିଦେବାକୁ ଧମକ ଦେବା ସହ ତାଙ୍କ ବ୍ୟକ୍ତିଗତ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ। ଏନେଇ ପୀଡ଼ିତା ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ ସହ ଅଭିଯୁକ୍ତ ବାସୁଦେବଙ୍କୁ ଗିରଫ କରିଥିଲା।