ଦେବଗଡ଼,୨୬ା୧୦(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଥାନାଞ୍ଚଳ କୁର ଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥରେ କୌଣସି ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି । ମୃତ ଯୁବକ ଜଣକ ଦେବଗଡ଼ ଥାନା ନୂଆଁଗାଁ ଗ୍ରାମର ମୁନା ନାଏକ(୪୫) ବୋଲି ଜଣାପଡ଼ିଛ।
ମିଳିଥିବା ସୂଚନାନୁଯାୟୀ, ମୁନା ଚେନ୍ନାଇରେ ଜଣେ ଶ୍ରମିକ ଭାବେ କାମ କରୁଥିବା ବେଳେ ନୂଆଗାଁସ୍ଥିତ ନିଜ ଘରକୁ ଫେରୁଥିଲେ। ମାତ୍ର ରବିବାର ରାତିରେ ମୁନ୍ନା କୁରଡ଼ ପଟୁ ଦେବଗଡ଼ ପଟକୁ ଆସୁଥିବା ବେଳେ କୁରଡ଼ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥରେ କୌଣସି ଏକ ଅଜଣା ଗାଡ଼ି ଧକ୍କାରେ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଦେବଗଡ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ମାତ୍ର ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ନିଆଯାଉଥିଲା। ତେବେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା । ସୂଚନା ପାଇ ଦେବଗଡ଼ ଥାନା ପୋଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇବା ସହ ମୁନ୍ନାଙ୍କ ମୃତଦେହ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ତେବେ ମୁନ୍ନାଙ୍କ ଘର ଦେବଗଡ଼ ସହର ଉପକଂଠସ୍ଥ ନୂଆଁଗାଁ ଗ୍ରାମରେ ହୋଇଥିବା ବେଳେ ରାତିରେ ସେ କେଉଁ ପରିସ୍ଥିତିରେ ସେହି ରାସ୍ତାରେ ଯାଉଥିଲେ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଅନ୍ୟପକ୍ଷରେ ସେ ସମ୍ବଲପୁରରୁ କୌଣସି ବସ୍ ଯୋଗେ ଆସି ପୁରୁଣାଗଡ଼ ନିକଟସ୍ଥ ବାଇପାସ ଛକରେ ଓହ୍ଲାଇବା ସହ ଉକ୍ତ ରାସ୍ତାରେ ଯାଉଥିବା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଅନୁମାନ କରାଯାଉଛି।